ପ୍ରାକ୍‌ ମୌସୁମୀ ମାଡ଼ରେ ଧାନ ବରବାଦ

ବରଗଡ଼ : ଚାଷୀ ଯାହା ଆଶଂକା କରୁଥିଲା, ତାହା ସତ ହୋଇଛି। ପୂର୍ବରୁ ଧାନ ବିକ୍ରି ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଚାଷୀଙ୍କୁ ପ୍ରାକ୍‌ ମୌସୁମୀ ବର୍ଷା ଶକ୍ତ ଧକ୍କା ଦେଇଛି। ପୂର୍ବରୁ କିଛି ଦିନ ଅଦିନିଆ ବର୍ଷାରୁ ଯାହା ଧାନ ବର୍ତି ଯାଇଥିଲା, ତାକୁ ଶୁଖାଇବାରେ ଚାଷୀ ଲାଗି ପଡ଼ିଥିଲା। କିନ୍ତୁ ବୁଧବାର ବିଳମ୍ବିତ ରାତିର ବର୍ଷା ସବୁ ବରବାଦ କରି ଦେଇଛି। ତୁହାକୁ ତୁହା ବର୍ଷାରେ ଶୁଖୁଥିବା ଧାନ ବୋହି ଯାଇଛି।

ଜିଲ୍ଲାରେ ବୁଧବାର ରାତିରେ ସାଂଘାତିକ ବର୍ଷା ହୋଇଛି। ଜିଲ୍ଲାରେ ମୋଟ୍‌ ୩୯୭.୭ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ହାରାହାରି ୩୩.୧୪ ମିମି ରହିଛି। ଏଥିରେ ଭଟଲିରେ ସର୍ବାଧିକ ୯୦ମିମି ବର୍ଷା ହୋଇଛି। ବରଗଡ଼ରେ ୬୮.୪ ଏବଂ ଅତାବିରାରେ ୬୨.୨, ଭେଡ଼େନରେ ୩୮ ମିମି ବର୍ଷା ହୋଇଛି। ବରପାଲି ଅଂଚଳରେ ୩୮.୦ ମିମି ବର୍ଷା ରେକର୍ଡ ହୋଇଛି। ଅର୍ଥାତ ରବି ଧାନ ପ୍ରବଣ ବ୍ଲକ୍‌ଗୁଡ଼ିକରେ ସାଂଘାତିକ ବର୍ଷା ଅଜାଡ଼ିଛି। ଲକ୍‌ଡାଉନ୍‌ ଯୋଗୁଁ ବହୁ କଷ୍ଟରେ ରୋଗ ପୋକ ଦାଉରୁ ନିଜ ଫସଲକୁ ବଞ୍ଚାଇ ଚାଷୀ ଧାନ ସଂଗ୍ରହ କରିଥିଲେ। ତେବେ ପ୍ରାକ୍‌ ମୌସୁମୀ ବର୍ଷାରେ ମଣ୍ଡିରେ ଥିବା ଧାନ ଭିଜିଛି।

ଜିଲ୍ଲାରେ ଶ୍ରମିକ ଅଭାବ କାରଣରୁ ଧାନ କଟା ମନ୍ଥର ଥିଲା। ବିଲରେ ଏଯାଏ ଧାନ ପଡ଼ିଛି। କିଏ ଧାନ ସବୁ ମଣ୍ଡିରେ ପକାଇଥିଲା ବିକ୍ରି ପାଇଁ ତ ଆଉ କିଏ ବିଲରେ ପ୍ରସ୍ତୁତ କରିସାରିଥିଲା ମଣ୍ଡିକୁ ନେବା ପାଇଁ। ମାତ୍ର ବର୍ଷା ଯୋଗୁଁ ଧାନ ସବୁ ବର୍ଷା ପାଣିରେ ଭିଜି ଗଲାଣି। ଏବେ ନା ମିଲର୍ସ ଏପରି ଧାନକୁ ନେବା ପାଇଁ ପ୍ରସ୍ତୁତ, ନା ଚାଷୀ ନିକଟରେ ଆଉ ସମୟ ଅଛି ପୁଣି ଘରକୁ ନେଇ ଧାନକୁ ଶୁଖାଇ ମଣ୍ଡିକୁ ଆଣିବା ପାଇଁ। ଏଭଳି ପରିସ୍ଥିତିରେ ଚାଷୀ ନିଜର ଧାନ ବିକ୍ରି କରିବା ପାଇଁ ଚିନ୍ତାରେ ପଡ଼ିଯାଇ। ମଣ୍ଡିରେ ଗଦା ହୋଇଛି ହଜାର ହଜାର ବସ୍ତା ଧାନ। ମାତ୍ର ମଣ୍ଡିରେ ଚାଷୀଙ୍କ ପାଇଁ ଆବଶ୍ୟକ ମୁତାବକ ପାଲ ନଥିବାରୁ ବହୁ ଧାନ ବର୍ଷା ପାଣିରେ ଭିଜି ନଷ୍ଟ ହୋଇଯାଇଛି। ଏବେ ଚାଷୀଙ୍କ ପାଇଁ ଧାନର ଅଭାବୀ ବିକ୍ରିର ଭୟ ରହିଥିବା ବେଳେ ଅନ୍ୟପଟେ ମିଲର୍ସଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ହୋଇଛି। ରବି ଧାନ କିଣା ପ୍ରକିୟା ଆଉ ହାତଗଣତି ଦିନ ବାକି ଥିବାବେଳେ ବର୍ଷା ଚାଷୀଙ୍କ ପାଇଁ କାଳ ସାହିଛି। ଏହାବାଦ୍‌ ଚାଷୀଙ୍କ ଟୋକନ୍‌ ଉଡ଼ିବାକୁ ଲାଗିଛି। ଟୋକନ୍‌ ଅବଧି ସରିଯାଇଥିଲେ ହେଁ ବହୁ ଚାଷୀ ଧାନ ବିକି ପାରିନାହାନ୍ତି। ଯଦ୍ବାରା ସବୁ ମଣ୍ଡିରେ ଅଚଳାବସ୍ଥା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର