ଭାତହାଣ୍ଡିରେ ‘ଜୱାଦ୍‌’ ମାଡ଼: ଅଢ଼େଇ ଲକ୍ଷ ହେକ୍ଟର୍‌ ଜମିରେ ପଡ଼ିଛି ଧାନ, ଅମଳ ଆଶା ଛାଡ଼ିଲେ ଚାଷୀ

କଟକ : ବାତ୍ୟା ‘ଜୱାଦ୍‌’ ଓଡ଼ିଶା ଉପକୂଳରୁ ଦୂରେଇ ଯାଇଥିଲେ ବି ଏହାର ପ୍ରଭାବରେ ସମଗ୍ର ଅବିଭକ୍ତ କଟକ ଜିଲ୍ଲାରେ ଶନିବାରଠାରୁ ବର୍ଷା ଲାଗି ରହିଛି। ଧାନ ଅମଳ ସମୟ ହୋଇଥିବାରୁ ବର୍ଷା ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହେବାର ଆଶଙ୍କା କରାଯାଉଛି। କଟକ, କେନ୍ଦ୍ରାପଡ଼ା ଓ ଜବତସିଂହପୁରର ଅଢ଼େଇ ଲକ୍ଷ ହେକ୍ଟର ଜମିରୁ ଧାନ ଅମଳ ହୋଇ ପାରିନାହିଁ। ଏପଟେ, ୬ତାରିଖ ସକାଳ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଥିବାରୁ ବର୍ଷା ପରେ ଫସଲର ଅବସ୍ଥା କଣ ହେବ ତାକୁ ନେଇ ଚାଷୀମାନେ ଆଶଙ୍କାରେ ରହିଛନ୍ତି।

ଜୱାଦ୍‌ ପ୍ରଭାବରେ ଶନିବାର ରାତିରୁ ଆଜି ଅପରାହ୍ନ ପର୍ଯ୍ୟନ୍ତ କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରାୟ ସବୁ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ କେତେକ ସ୍ଥାନରେ ବାଦଲଫଟା ବର୍ଷା ହୋଇଥିଲା। ସରକାରୀ ରିପୋର୍ଟ ମୁତାବକ ଗତକାଲିଠାରୁ ଆଜି ଅପରାହ୍ନ ଭିତରେ କଟକ ଜିଲ୍ଲାର ନିଆଳିରେ ସର୍ବାଧିକ ୯୬ ମିଲିମିଟର ବର୍ଷା ହୋଇଥିବା ବେଳେ ଟାଙ୍ଗୀ-ଚୌଦ୍ବାର ବ୍ଲକ୍‌ରେ ୬୫ ମିଲିମିଟର ବର୍ଷା ହୋଇଛି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ୍‌ରେ ସର୍ବାଧିକ ୬୫ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେପଟେ, ଜଗତସିଂହପୁରର ଏରସମା ବ୍ଲକ୍‌ରେ ସର୍ବାଧିକ ୨୨୦ ମିଲିମିଟର ଓ ବାଲିକୁଦାରେ ୧୪୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲା ତୁଳନାରେ ଜଗତସିଂହପୁରରେ ଢ଼େର୍‌ ଅଧିକ ବର୍ଷା ହୋଇଥିବାରୁ ଏହାର ପ୍ରଭାବ ସିଧାସଳଖ ବିଲରେ ଥିବା ଧାନଫସଲ ଉପରେ ପଡ଼ିବ ବୋଲି ଆଶଙ୍କା କରାଯାଉଛି। ସରକାରୀ ସୂଚନା ମୁତାବକ, କଟକ ଜିଲ୍ଲାର ୧ ଲକ୍ଷ ୬ହଜାର ୬୪୫ ହେକ୍ଟର୍‌ ଜମିରେ ପାଚିଲା ପାଚିଲା ଧାନ ପଡ଼ି ରହିଥିବା ବେଳେ ଜଗତସିଂହପୁରରେ ୫୫ହଜାର ହେକ୍ଟର୍‌ ଜମିରେ ଓ କେନ୍ଦ୍ରାପଡ଼ାରେ ୯୧ହଜାର ହେକ୍ଟର୍‌ ଜମିରେ ଧାନ ବିଲରେ ପଡ଼ି ରହିଛି। ଆଜିର ବର୍ଷା ପରେ ଅଧିକାଂଶ ସ୍ଥାନରେ ବିଲରେ ପାଚିଲା ଧାନଗଛ ସବୁ ପାଣିରେ ଲୋଟୁଛି। ବର୍ଷା ଛାଡ଼ିବା ଓ ଜମିରୁ ପାଣି ଖସିବା ବେଳକୁ ଫସଲର ଅବସ୍ଥା କଣ ହେବ ତାହା ଆକଳନ କରିବା କଷ୍ଟକର ହୋଇପଡ଼ିଛି। ଚାଷୀମାନେ ଫସଲ କ୍ଷତି ହେବାକୁ ନେଇ ଆଶଙ୍କିତ ଅବସ୍ଥାରେ ଥିବା ବେଳେ ବର୍ଷା ଛାଡ଼ିବା ପରେ ପ୍ରକୃତ କ୍ଷୟକ୍ଷତିର ହିସାବ ମିଳିବ ବୋଲି କୃଷି ବିଭାଗ କହୁଛି।

ଅମଳ ଆଶା ଛାଡ଼ିଲେ ଚାଷୀ
ବାଲେଶ୍ବର : ବାତ୍ୟା ଜୱାଦ୍ ଦୁର୍ବଳ ହୋଇ ଯାଇଥିଲେ ବି ଏହାର ପ୍ରଭାବରେ ଗତକାଲି ରାତିରୁ ବାଲେଶ୍ବର ଜିଲ୍ଲାରେ ବର୍ଷା ଲାଗି ରହିଛି। କୋହଲା ପାଗ ସାଙ୍ଗକୁ ତୁହାକୁତୁହା ବର୍ଷା ଲାଗି ରହିବା ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଦୋକାନ ବଜାର ଏକପ୍ରକାର ବନ୍ଦ ରହିଥିବାବେଳେ ରାସ୍ତାଘାଟ ଶୂନଶାନ୍ ହୋଇପଡ଼ିଛି। ଜିଲ୍ଲାରେ ମୋଟ୍ ୨୦୩.୩ ମିଲିମିଟର ବର୍ଷା ହୋଇଥିବା ବେଳେ ଆନୁମାନିକ ବର୍ଷାହାର ୧୬.୯୪ ମିମି ରହିଛି। ନୀଳଗିରି ବ୍ଳକରେ ସର୍ବାଧିକ ଓ ଔପଦା ବ୍ଳକରେ ସର୍ବନିମ୍ନ ବର୍ଷା ହୋଇଛି।

ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଭୋଗରାଇ ବ୍ଳକରେ ୧୯.୩ ମିମି, ବସ୍ତାରେ ୧୯ ମିମି, ଜଳେଶ୍ବରରେ ୧୮ ମିମି, ବାଲିଆପାଳରେ ୨୦ ମିମି, ବାଲେଶ୍ବର ସଦର ବ୍ଳକରେ ୧୮ମିମି, ରେମୁଣାରେ ୨୧ ମିମି, ନୀଳଗିରିରେ ୨୫ ମିମି, ସୋରରେ ୧୩ ମିମି, ବାହାନଗାରେ ୧୮ ମିମି, ସିମୁଳିଆରେ ୧୪ ମିମି, ଖଇରାରେ ୧୦ ମିମି, ଔପଦାରେ ୮ ମିଲିମିଟର ବର୍ଷା ହୋଇଛି। ବାତ୍ୟା ଟଳିଯିବା ପରେ ବଡ଼ଧରଣର କ୍ଷୟକ୍ଷତି ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ପଡିଛି ସତ, କିନ୍ତୁ ଅଦିନିଆ ବର୍ଷା ଚାଷୀଙ୍କ ଯାତନା ବଢ଼େଇ ଦେଇଛି। ଫସଲ ଅମଳ କରି ବିକ୍ରି କରିବା ପୂର୍ବରୁ ବାତ୍ୟା ‘ଜୱାଦ୍’ ଚାଷୀର ଭାତହାଣ୍ଡିକୁ ଉଜାଡ଼ି ଦେଇଛି। ଜଳେଶ୍ବର, ଭୋଗରାଇ, ବସ୍ତା, ସିମୁଳିଆ, ବାହାନଗା, ନୀଳଗିରି ଓ ସଦର ବ୍ଲକରେ ହଜାର ହଜାର ହେକ୍ଟର ଜମିରେ ଅମଳ ହେବାକୁ ଥିବା ଧାନ ଫସଲ ପାଣିରେ ଭିଜି ନଷ୍ଟ ହେବାକୁ ବସିଛି। ପାଚିଲା ଧାନ ଓ ପନିପରିବା ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟା ଆସିବା ପୂର୍ବରୁ ପ୍ରାୟତଃ ୭୦ ପ୍ରତିଶତ ଧାନ ଅମଳ କରିଥିଲେ ଚାଷୀ। ଅବଶିଷ୍ଟ ୩୦ ପ୍ରତିଶତ ଧାନ ବିଳମ୍ବରେ ପାଚିବାରୁ ଅମଳ ପାଇଁ ବିଳମ୍ବ ହୋଇଥିଲା। ଆଉ ମାତ୍ର ସପ୍ତାହ ପରେ ଏସବୁ ଧାନକୁ ଚାଷୀ ବିଲରୁ କାଟିଥାନ୍ତା। ହେଲେ ତା ପୂର୍ବରୁ ବାତ୍ୟା ପ୍ରଭାବରେ ଅମଳ ଧାନ ବର୍ଷାରେ ଭିଜିଛି। ବିଲରେ ଥିବା ଧାନଫସଲ ପାଣିରେ ବୁଡ଼ିରହିଛି।

ସୋମବାର ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବାରୁ ଅମଳ ଆଶା ଛାଡ଼ିଦେଇଛି ଚାଷୀ। ଅବଶ୍ୟ ବର୍ଷାଜନିତ କ୍ଷତି ପାଇଁ ଚାଷୀଙ୍କୁ ସହାୟତା ଦିଆଯିବ ବୋଲି କୁହାଯାଇଛି। ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି, ବର୍ଷା ପରେ କ୍ଷୟକ୍ଷତି ଆକଳନ କରାଯାଇ ସରକାରଙ୍କୁ ରିପୋର୍ଟ ଦିଆଯିବ। ବର୍ଷାରେ ୫୦ ହଜାର ହେକ୍ଟରରୁ ଅଧିକ ଜମିରେ ଧାନ ଓ ଅଣଧାନ ଫସଲ କ୍ଷତିଗ୍ରସ୍ତ ହୋଇଥବା କୃଷି ବିଭାଗ ଅନୁମାନ କରୁଛି। ଚଳିତ ଖରିଫ ଋତୁରେ ଜିଲ୍ଲାରେ ୧ ଲକ୍ଷ ୯୮ ହଜାର ୫୩୧ ହେକ୍ଟର ଜମିରେ ଧାନ ଓ ୨୧ ହଜାର ୨୦୭ ହେକ୍ଟର ଜମିରେ ଅଣଧାନ ଚାଷ ହୋଇଥିଲା। ବାତ୍ୟା, ବନ୍ୟା ଓ ନିଅଣ୍ଟିଆ ବର୍ଷା ଯୋଗୁ ଏଥର ବିଳମ୍ବରେ ଚାଷ କାର୍ଯ୍ୟ ହୋଇଥିଲା।

ସମ୍ବନ୍ଧିତ ଖବର