ଭୁବନେଶ୍ୱର : ବାତ୍ୟା ‘ଜୱାଦ’ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ଚାଷୀମାନେ ତଳିତଳାନ୍ତ ହୋଇଗଲେଣି। ପ୍ରବଳ ବର୍ଷା ଓ ପବନ ଯୋଗୁଁ ସାରା ରାଜ୍ୟରେ ଧାନ ସମେତ ପରିବା ଫସଲ ଉଜୁଡ଼ିଯାଇଛି। ଫସଲ ଏବେ ବି ପାଣିରେ ବୁଡ଼ି ରହିଛି। ୭ ଦିନ ମଧ୍ୟରେ ଏଥିରୁ ମୁକ୍ତି ପାଇବାର ସମ୍ଭାବନା କମ୍। ବ୍ୟାପକ ଫସଲ ନଷ୍ଟ ହୋଇଥିଲେ ମଧ୍ୟ ସରକାର ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆଶ୍ବାସନା ଟିକଏ ବି ଦେଇ ନାହାନ୍ତି। କ୍ଷତିପୂରଣ ମିଳିବ କି ନାହିଁ ସେହି ଆଶଙ୍କାରେ ରହିଛନ୍ତି ଚାଷୀ। ଅନ୍ୟ କୌଣସି ଉପାୟ ନପାଇ ଚାଷୀମାନେ ଅନେକ ସ୍ଥାନରେ ମୋଟର ଲଗାଇ ବିଲରୁ ପାଣି କାଢ଼ିବାରେ ଲାଗିଛନ୍ତି। ପାଣି ଭିତରୁ ଫସଲ କାଟି ବାହାରେ ସୁଖାଉଛନ୍ତି। ଏଭଳି ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହେଉଥିବା ଚାଷୀମାନଙ୍କ ପାଇଁ କୌଣସି ରାଜନୈତିକ ଦଳ ବିଧାନସଭା ଭିତରେ କି ବାହାରେ ସ୍ବର ଉତ୍ତୋଳନ ନକରିବା ଘଟଣା ସେମାନଙ୍କ ପାଇଁ କେବଳ ନିରାଶା ଆଣିଦେଇଛି। ଋଣ କରି ଚାଷ କରିଥିବା କୃଷକମାନେ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। ଗତ ତିନି ମଧ୍ୟରେ ଦୁଇ ଜଣ ଚାଷୀ ଆତ୍ମହତ୍ୟା ମଧ୍ୟ କଲେଣି। ଗଞ୍ଜାମ ଜିଲ୍ଲାରେ ଧାନ ଓ ପନିପରିବା କ୍ଷତି ସହି ନପାରି ଗତ ରବିବାର ଦିନ ପାତ୍ରପୁର ବ୍ଲକ୍ର ଜଣେ ଚାଷୀ କୀଟନାଶକ ପିଇ ଆତ୍ମହତ୍ୟା କରିଥିଲେ। ଏହାର ୨୪ ଘଣ୍ଟା ପରେ ଚିକିଟି ବ୍ଲକ୍ ତହସିଲ କଳବାଡ଼ ପଞ୍ଚାୟତ ପାରସମ୍ବା ଗ୍ରାମର ଅଭିମନ୍ୟୁ ପ୍ରଧାନ ବିଲରେ ଉଜୁଡ଼ା ଫସଲ ଦେଖି ଟଳିଯାଇଥିବା ନେଇ ଅଭିଯୋଗ ଆସିଛି।
/sambad/media/post_attachments/wp-content/uploads/2021/12/balipatana.jpg)
ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଉପକୂଳ ଓଡ଼ିଶାରୁ ଆରମ୍ଭ କରି ଆଭ୍ୟନ୍ତୀରଣ ଏବଂ ପଶ୍ଚିମାଞ୍ଚଳରେ କେତେକ ଅଞ୍ଚଳରେ ଲକ୍ଷ ଲକ୍ଷ ହେକଟର ଫସଲ ନଷ୍ଟ ହୋଇଯାଇଛି। କୋରାପୁଟ, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଧା, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ବାଲେଶ୍ବର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର ଏବଂ କଳାହାଣ୍ଡି ଜିଲ୍ଲାରେ ପାଚିଲା ଧାନଗଛ ବିଲ ପାଣିରେ ଲୋଟୁଛି। ପାଣି କାଦୁଅ ଯୋଗୁଁ ଧାନକଟା ମେସିନ୍ ବିଲ ଭିତରକୁ ଯାଇପାରୁ ନାହିଁ। କେତେକ ଜମିରେ ପାଣି ନିଷ୍କାସନର ବାଟ ମଧ୍ୟ ନାହିଁ। ତଥାପି ମୋଟର ଲଗାଇ ପାଣି ନିଷ୍କାସନ ପାଇଁ ଚାଷୀମାନେ ଉଦ୍ୟମ କରୁଛନ୍ତି । ବିଲରୁ ପାଣି ଛାଡ଼ିବା ବେଳକୁ ଫସଲ ଅବସ୍ଥା କଣ ଥିବ ତାହା ଆକଳନ କରିବା କଷ୍ଟକର ହୋଇପଡ଼ିଛି। ସେହିଭଳି ପରିବା ଚାଷୀମାନେ ମଧ୍ୟ ଆଶା ହରାଇଛନ୍ତି। ସେମାନେ କହିଛନ୍ତି ଯେ ଯେତେ ବର୍ଷା ହୋଇଛି ତାହା ପରିବା ଚାଷକୁ କ୍ଷତି କରିବାକୁ ଯଥେଷ୍ଟ। ବର୍ଷା ଛାଡ଼ିବା ପରେ ପତ୍ରଝଡ଼ା, ଝାଉଁଳା, ମୂଳଶଢ଼ା ଭଳି ରୋଗ ଦେଖାଯିବାର ଆଶଙ୍କା ରହିଛି। ବିଶେଷ କରି ଫୁଲକୋବିରେ ପୋକ ହେବା ସହିତ ପଚିଯିବା ନିଶ୍ଚିତ। ପରିବା ଚାଷ ଆଉ ଲାଭଜନକ ହେବନାହିଁ। ଯାହା କଲେ ବି କ୍ଷତି ହେବ ବୋଲି ସେମାନେ କହୁଛନ୍ତି।
ବାତ୍ୟା ପ୍ରଭାବରେ ଚାଷୀକୂଳ ସାଂଘାତିକ ପ୍ରଭାବିତ ହୋଇଥିବାରୁ ଅନୁମାନ କରାଯାଉଥିଲା ଯେ ଏହି ପ୍ରସଙ୍ଗକୁ ବିଧାନସଭାରେ ପ୍ରାଥମିକତା ଦିଆଯାଇ ଆଲୋଚନା ହେବ। ମାନସିକ ଦୁଃଶ୍ଚିନ୍ତାରେ ଥିବା ଚାଷୀଙ୍କୁ ବିଧାୟକମାନେ ନୈତିକ ସମର୍ଥନ ଦେବା ସହ କିପରି କ୍ଷତିପୂରଣ ପାଇବେ ତାହାର ବାଟ ବାହାର କରିବେ। ବିଧାୟକମାନେ ତୁରନ୍ତ ଚାଷୀ ପ୍ରସଙ୍ଗ ଆଲୋଚନା କରନ୍ତୁ ବୋଲି ମତପ୍ରକାଶ ପାଇଥିଲା। କିନ୍ତୁ ଗତକାଲି ଓ ଆଜି ସେପରି କିଛି ଘଟି ନ ଥିଲା। ଉଭୟ ବିରୋଧୀ ଓ ଶାସକଙ୍କ ଏଜେଣ୍ଡାରେ ଚାଷୀ ହିଁ ନ ଥିଲେ। ବିରୋଧୀ ଦଳ ତାଙ୍କର ଗୋଟିଏ ଦାବିରେ ଅଟଳ ରହିଥିଲା ବେଳେ ଶାସକ ଦଳ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗରେ ଅଟକିଯାଇଥିଲା। ସମସ୍ତେ ମିଳିତ ଭାବେ ଗୃହକୁ ବନ୍ଦ କରିଦେଲେ ସିନା। ଚାଷୀ କଥା ଉଠାଇବାକୁ କାହାର ସାମାନ୍ୟ ଆଗ୍ରହ ପ୍ରକାଶ ପାଇଲା ନାହିଁ।