ମଣ୍ଡିରେ ଭିଜୁଛି ୭୦ ହଜାର କୁଇଣ୍ଟାଲ ଧାନ: ଚିନ୍ତାରେ ଚାଷୀ, ଅଚିନ୍ତାରେ ପ୍ରଶାସନ

କେନ୍ଦୁଝର : ଅଦିନିଆ ବର୍ଷାରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ମଣ୍ଡିରେ ଭିଜୁଛି ୭୦ ହଜାର କୁଇଣ୍ଟାଲ ଧାନ। ଶୁକ୍ରବାର ସକାଳୁ ଲାଗି ରହିଥିବା ଅଦିନିଆ ବର୍ଷା ଯୋଗୁଁ କ୍ଷତି ସହିବା ଆଶଙ୍କାରେ ଚାଷୀ ଚିନ୍ତିତ ଥିବାବେଳେ ପ୍ରଶାସନ କିନ୍ତୁ ଅଚିନ୍ତାରେ। ଓଦା ଧାନକୁ ଚାଷୀ କିପରି ମଣ୍ଡିରେ ବିକିବେ? ନା କମ୍‌ ମୂଲ୍ୟରେ ଦଲାଲଙ୍କ ହାତକୁ ଟେକିଦେବେ ସେହି ଚିନ୍ତାରେ ଅଛନ୍ତି।

କେନ୍ଦୁଝର ଜିଲ୍ଲାରେ ଗତକାଲିଠାରୁ ପାଗ କୋହଲା ଥିଲା। ଶୁକ୍ରବାର ଭୋର୍‌ରୁ ହଠାତ୍‌ କଳାହାଣ୍ଡିଆ ମେଘ ମାଡ଼ିଆସିବା ସହ ପବନ ଏବଂ ପ୍ରବଳ ବର୍ଷା ହୋଇଥିଲା। ୩ ଘଣ୍ଟା ଧରି ବର୍ଷା ଲାଗି ରହିଥିଲା। କେନ୍ଦୁଝର ଜିଲ୍ଲାର ୪୫ଟି ଲ୍ୟାମ୍ପସ୍‌ ଅଧୀନରେ ଥିବା ୮୯ଟି ମଣ୍ଡିରେ ପଡ଼ିଥିବା ୬୯ ହଜାର ୭୬୦ କୁଇଣ୍ଟାଲ ଧାନ ବର୍ଷାରେ ଭିଜିଛି। ବର୍ଷାରେ ଧାନ ଭିଜିବା ପରେ ଏବେ ଲ୍ୟାମ୍ପସ୍‌ କର୍ମଚାରୀମାନେ ଧାନ କିଣିବାକୁ କୁନ୍ଥକୁନ୍ଥ ହେଉଛନ୍ତି। ଅନ୍ୟପକ୍ଷରେ ମଣ୍ଡିରେ ଦଲାଲମାନେ ଘୂରି ବୁଲିବା ସହ କମ୍‌ ମୂଲ୍ୟରେ ଧାନ ବିକ୍ରି କରିଦେବାକୁ ଚାଷୀଙ୍କୁ ଉସକାଉଥିବା ଜଣାପଡ଼ିଛି। ଫଳରେ ଚାଷୀ ଅକଳ ପରସ୍ଥିତିରେ ପଡ଼ିଛି।

ଯୋଗାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅଳତି ମଣ୍ଡିରେ ୮୨୬ କୁଇଣ୍ଟାଲ ଧାନ ଆଜି ସକାଳ ୧୧ଟା ପର୍ଯ୍ୟନ୍ତ ପଡ଼ିରହିଛି। ବଳରାମପୁର ମଣ୍ଡିରେ ୨୯୬ କୁଇଣ୍ଟାଲ, ବାଉଁଶଗଡ଼ ୧୩୫ କୁଇଣ୍ଟାଲ, ବେଲବାହାଳିରେ ୨୭ କୁଇଣ୍ଟାଲ ଧାନ ପଡ଼ିଛି। ଆଜିର ବର୍ଷାରେ ଏସବୁ ଭିଜି ଯାଇଥିବା ସୂଚନା ମିଳିଛି। ସେହିପରି ଜ୍ୟୋତିପୁର ମଣ୍ଡିରେ ୮୦୫ କୁଇଣ୍ଟାଲ, ଫୁଲକଅଁଳେଇରେ ୯୭୧ କୁଇଣ୍ଟାଲ, ଭଣ୍ଡାରେ ୨୭୫୩ କୁଇଣ୍ଟାଲ, ଭୂଇଁପୁରରେ ୧୦୬୯ କୁଇଣ୍ଟାଲ, ଜାମୁଦଲକରେ ୫୧୦ କୁଇଣ୍ଟାଲ, କରଞ୍ଜିଆରେ ୨୩୩ କୁଇଣ୍ଟାଲ, ରିମୁଳିରେ ୬୬୯ କୁଇଣ୍ଟାଲ, କଣ୍ଡରାରେ ୧୨୯ କୁଇଣ୍ଟାଲ, ଡଅଁରରେ ୨୮୫ କୁଇଣ୍ଟାଲ, ଶାଳଣିଆଁରେ ୯୪ କୁଇଣ୍ଟାଲ, ଦରଡ଼ିପାଳରେ ୧୦୯୧ କୁଇଣ୍ଟାଲ, ଦେଓଗାଁରେ ୧୫୮ କୁଇଣ୍ଟାଲ, ପଣ୍ଡାପଡ଼ାରେ ୧୭୦୨ କୁଇଣ୍ଟାଲ, ଢେଙ୍କିକୋଟରେ ୧୧୪୭ କୁଇଣ୍ଟାଲ, ପିପିଳିଆରେ ୧୬୨୩ କୁଇଣ୍ଟାଲ, ଘଟଗାଁରେ ୩୩୬ କୁଇଣ୍ଟାଲ, ଫକୀରପୁରରେ ୧୧୬ କୁଇଣ୍ଟାଲ, ଗଡ଼ବାନ୍ଧଗୋଡ଼ାରେ ୩୩୨ କୁଇଣ୍ଟାଲ, କୋଳିମାଟିରେ ୯୫ କୁଇଣ୍ଟାଲ, ଗୟଳମୁଣ୍ଡାରେ ୧୯୩ କୁଇଣ୍ଟାଲ, ରେବଣାପଳାଶପାଳରେ ୧୦୨୫ କୁଇଣ୍ଟାଲ, ବଡ଼ପଳାଶପାଳ ମଣ୍ଡିରେ ୧୪୫୯ କୁଇଣ୍ଟାଲ ଧାନ ପଡ଼ିଛି। ମୋଟାମୋଟି ଭାବେ ଜିଲ୍ଲାର ସମସ୍ତ ୮୯ଟି ମଣ୍ଡିରେ ମୋଟ ୬୯ ହଜାର ୭୬୦ କୁଇଣ୍ଟାଲ ଧାନ ପଡ଼ିରହିଛି। ଅଦିନିଆ ବର୍ଷାରେ ଧାନ ସବୁ ଭିଜୁଛି। କିଛି ସ୍ଥାନରେ ଚାଷୀମାନେ ଧାନବସ୍ତାକୁ ପଲିଥିନ ଘୋଡ଼ାଇ ରଖିଥିବା ଦେଖିବାକୁ ମିଳିଛି।

ଚାଷୀଙ୍କ କହିବା କଥା ହେଉଛି, ବର୍ତ୍ତମାନ ଦୁଇଦିନ ବର୍ଷା ଲାଗି ରହିବ। ବର୍ଷା ପୂର୍ବରୁ ଚାଷୀମାନେ ଯେଉଁ ଧାନ ମଣ୍ଡିକୁ ବିକ୍ରି କରିବା ପାଇଁ ଆଣିଥିଲେ ତାହା କିଣାଯିବା କଥା। ମାତ୍ର ଲ୍ୟାମ୍ପସ୍‌ କର୍ମଚାରୀମାନେ ଦଲାଲଙ୍କୁ ସୁହାଇବା ଭଳି କାର୍ଯ୍ୟ କରୁଛନ୍ତି। ଟଭାସରୁଆ ମଣ୍ଡିରେ ଚାଷୀମାନେ ଧାନ ବିକ୍ରି କରିବାକୁ ଆଣିଥିଲେ। କିଛିଦିନ ତଳେ ଲ୍ୟାମ୍ପସ୍‌ ସଂପାଦକ ଉପସ୍ଥିତ ନଥିବାରୁ ସେମାନେ ମଣ୍ଡିରେ ଧାନ ବିକ୍ରି କରିପାରିଲେ ନାହିଁ। ପରବର୍ତ୍ତୀ ସମୟରେ ଦଲାଲଙ୍କୁ ଧାନ ବିକ୍ରି କରିବାକୁ ବାଧ୍ୟ ହେଲେ। ସେମାନେ ଏନେଇ ଜିଲ୍ଲାପାଳଙ୍କୁ ଜଣାଇଥିଲେ। ମାତ୍ର କୌଣସି ସୁଫଳ ମିଳିଲା ନାହିଁ। ବର୍ତ୍ତମାନ ବିଭିନ୍ନ ମଣ୍ଡିରେ ହଜାରହଜାର କୁଇଣ୍ଟାଲ ଧାନ ଗଚ୍ଛିତ ଅଛି। କର୍ମଚାରୀଙ୍କ ଅବହେଳା ପାଇଁ ଚାଷୀଙ୍କ ଧାନ ବିକ୍ରି ହୋଇପାରୁ ନାହିଁ। ମଣ୍ଡିରେ ଶୀତକାକର ସହି ଚାଷୀ ଧାନ ଜଗୁଛନ୍ତି। ଏବେ ଅଦିନିଆ ବର୍ଷା ‘ବୋଝ ଉପରେ ନଳିତାବିଡ଼ା’ ପରି ହୋଇଛି। ବର୍ଷାରେ ଭିଜିଥିବା ଧାନ ଗଜା ହୋଇଗଲେ ମିଲର୍‌ ନେବାକୁ ଅମଙ୍ଗ ହେବ। ବ୍ୟାପକ କଟ୍‌ନିଛଟ୍‌ନି ହେବ। ଏହାଦ୍ବାରା ଚାଷୀ କ୍ଷତି ସହିବେ। ନଚେତ କମ୍‌ ଦରରେ ଚାଷୀମାନେ ଦଲାଲଙ୍କ ହାତରେ ନିଜ ଧାନ ଟେକି ଦେବାକୁ ବାଧ୍ୟ ହେବେ।

ସମ୍ବନ୍ଧିତ ଖବର