ବର୍ଷାରେ ଭିଜି ଗଜାହେଲା ମଣ୍ଡିର ଧାନ

ବସ୍ତା ବସ୍ତା ଗଜାଧାନ ଫିଙ୍ଗିଦେଲେ, କୁଇଣ୍ଟାଲ ହଜାରେ ଟଙ୍କାରେ ଯାଚୁଛନ୍ତି ଚାଷୀ

କଲମପୁର : ଗତ ତିନିଦିନର ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲା କଲମପୁର ମଣ୍ଡିରେ ପଡ଼ିଥିବା ଧାନ ଭିଜି ଗଜା ହୋଇଯାଇଛି। ଚାଷୀମାନେ ଅନ୍ୟ ଉପାୟ ନପାଇ ଗଜା ହୋଇଥିବା ବସ୍ତା ବସ୍ତା ଧାନକୁ ଫିଙ୍ଗି ଦେଇଛନ୍ତି। ଅନ୍ୟପକ୍ଷରେ ମଣ୍ଡିରୁ ଧାନ ଉଠୁ ନଥିବା ଓ ଟୋକନ ଲେପ୍ସ ହୋଇଯାଉଥିବାରୁ ଚାଷୀମାନେ ଦଲାଲମାନଙ୍କୁ କୁଇଣ୍ଟାଲ ହଜାରେ ଟଙ୍କାରେ ଉଠାଇବାକୁ ଯାଚୁଥିବା ଲକ୍ଷ୍ୟ କରାଯାଇଛି।

ପ୍ରକାଶ ଯେ ଏହି ମଣ୍ଡିରେ ଚାଷୀମାନେ ଧାନ ପକାଇଥିଲେ ମଧ୍ୟ ତାହା ଉଠୁ ନାହିଁ। ଗତ ତିନିଦିନ ଧରି ବର୍ଷା ଲାଗି ରହିଥିଲା। ସୋମବାର ଅପରାହ୍ଣରେ ପାଗ ଟିକେ ଶୁଖିଲା ରହିଥିଲା। ଏଣୁ ଚାଷୀମାନେ ରଖିଥିବା ଧାନ ଯାଞ୍ଚ କରିଥିଲେ। ଅନେକ ଚାଷୀଙ୍କ ଧାନ ଗଜା ହୋଇ ଯାଇଥିବା ଦେଖିବାକୁ ମିଳିଥିଲା। ଏହି ମଣ୍ଡିରେ ଦେବାଶିଷ ନାଗ, ଜଗନ୍ନାଥ ଦୁର୍ଗା, ବନମାଳୀ ରାଉତ, ନୃପ କେତକୀ, ସଞ୍ଜୟ ସାହୁଙ୍କ ଧାନ ଗଜା ହୋଇଯାଇଥିବାରୁ ଫିଙ୍ଗି ଦେଇଥିବା ପ୍ରକାଶ କରିଛନ୍ତି। ଏଭଳି ବହୁ ଚାଷୀଙ୍କର ଧାନ ଅନ୍ୟ ମଣ୍ଡିଗୁଡ଼ିକରେ ମଧ୍ୟ ଗଜା ହୋଇଥିବା ଖବର ମିଳିଛି।

କଲମପୁର ପେକ୍ସ, ମଣ୍ଡଳ ପେକ୍ସ ଏବଂ ବଡ଼କୁଟରୁ ପେକ୍ସ ସହିତ ୪ଟି ଏସ୍‌ଏଚ୍‌ଜି ପରିଚାଳିତ ମଣ୍ଡିଗୁଡ଼ିକରେ ଧାନ ଉଠାଣ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଛି। ପାଗ ଦେଖି ଧାନ ଉଠାଣ କରି ଚାଲିଛନ୍ତି କ୍ରୟକାରୀ ସଂସ୍ଥାମାନେ। ହେଲେ ମନ୍ଥର ଗତିରେ ଧାନ ଯାଉଥିବାରୁ କାଳେ ଟୋକନ ଲେପ୍ସ ହୋଇଯିବ ବୋଲି ଚାଷୀମାନେ ଭୟଭୀତ ହୋଇ ପଡ଼ିଛନ୍ତି। ବର୍ଷା ଭୟରେ କିଛି ଚାଷୀ ନଯିବାରୁ ରବିବାର ମଣ୍ଡଳରୁ ଧାନବସ୍ତା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଟୋକନ ନଥିବାରୁ ଏବେ ଅନେକ ଚାଷୀ ହଜାରେ ଟଙ୍କାରେ ଧାନ ଯାଚି ବୁଲୁଛନ୍ତି। ହେଲେ ଏହି ବର୍ଷା ପାଗ ପାଇଁ ବି କେହି ମଧ୍ୟ କିଣୁନାହାନ୍ତି। ବର୍ତ୍ତମାନ ଯେଭଳି ପରିସ୍ଥିତି ସୃଷ୍ଟି ହେଲାଣି ଧାନ ବିକ୍ରି ନହେଲେ ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବ ବୋଲି ଆଲୋଚନା ହେଉଛି। ଏଣୁ ସରକାର ତୁରନ୍ତ ଜରୁରୀ ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର