ମଣ୍ଡିରୁ ଉଠୁନି ଧାନ, ଚୁଡ଼ାପାଲିରେ ଚାଷୀଙ୍କ ରାସ୍ତାରୋକ

ଚୁଡ଼ାପାଲି : ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ଚୁଡ଼ାପାଲି ପେକ୍ସ ମଣ୍ଡିରେ ପଡ଼ିଥିବା ଧାନ ଉଠୁ ନାହିଁ। ଏହାର ପ୍ରତିବାଦରେ ଶନିବାର ଚାଷୀମାନେ ବଲାଙ୍ଗୀର- ପାଟଣାଗଡ଼ ରାସ୍ତାକୁ ଅବରୋଧ କରିଥିଲେ। ଚାଷୀମାନଙ୍କ ଅଭିଯୋଗ ଅନୁସାରେ, ଗତ ୨୦ ତାରିଖରୁ ଚ‌ାଷୀମାନେ ଧାନ ବିକ୍ରି ପାଇଁ ଅପେକ୍ଷା କରିଛନ୍ତି। ଆଉ କିଛି ଚାଷୀଙ୍କ ଟୋକନ ଅବଧି ସରି ଯାଇଛି। କିଛି ଚାଷୀ ନୂଆ ଟାର୍ଗେଟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିଛନ୍ତି। ଏଭଳି ଭାବେ ମଣ୍ଡିରେ ଚାଷୀଙ୍କ ହଜାର ହଜାର ବସ୍ତା ଧାନ ପଡ଼ିରହିଛି। ଏପଟେ ଅଦିନିଆ ବର୍ଷା ଲାଗି ରହୁଥିବାରୁ ଚାଷୀମାନେ ଶୀଘ୍ର ମଣ୍ଡିରୁ ଧାନ ଉଠାଇବା ଦାବି କରି ରାସ୍ତା ଅବରୋଧ କରିଥିଲେ।

ପ୍ରାୟ ୩ଘଣ୍ଟା ଧରି ମୁଖ୍ୟ ରାସ୍ତା ଅବରୋଧ କଲା ପରେ ସମାଧାନ ପାଇଁ ସଦର ଥାନା ଭାରପ୍ରାପ୍ତ ଅଧିକାରୀ ମଳୟ ପଣ୍ଡା ପହଞ୍ଚିଥିଲେ। ଚୁଡ଼ାପାଲି ପେକ୍ସ ସମ୍ପାଦକ ଓ ଉପଜିଲ୍ଲାପାଳଙ୍କ ସହ ଫୋନ୍ ଯୋଗେ କଥା ହୋଇ ମଣ୍ଡିରେ ଥିବା ଧାନ ଓ ଟୋକନ ଅବଧି ସରିଥିବା ଚାଷୀଙ୍କ ଧାନ କିଣିବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା। ଚାଷୀ କୃଷ୍ଣ ମେହେର, ରାମେଶ୍ଵର ଭୁଏ, ରାମରତନ ବେହେରା, ଭବାନୀ କୁମୁରା, ଜଗଦୀଶ ରାଉତ, ବ୍ୟାସଦେବ ଥନାପତି ଓ ଅଞ୍ଚଳର ଅନେକ ଚାଷୀ ଆନ୍ଦୋଳନରେ ସାମିଲଥିଲେ।

ସମ୍ବନ୍ଧିତ ଖବର