ପ୍ରକୃତ ଚାଷୀଙ୍କ ଠାରୁ ଧାନ ଉଠୁ ନାହିଁ : ବଳଭଦ୍ର

ଦଳୀୟ କାର୍ଯ୍ୟ ପାଇଁ ସରକାରୀ ଖର୍ଚ୍ଚରେ ହେଲିକପ୍ଟର ବ୍ୟବହାର ହେଉଛି

ଭୁବନେଶ୍ୱର : ଧାନ କିଣାକୁ ନେଇ ରାଜ୍ୟରେ ବହୁତ ସମସ୍ୟା ଲାଗି ରହିଛି । ନଭେମ୍ବରରୁ ଧାନ ଅମଳ ହୋଇଥିଲେ ମଧ୍ୟ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଧାନ ବିକିବା ପାଇଁ ଟୋକନ ଦିଆଯାଇଥିଲା। ଏହାକୁ ନେଇ ଚାଷୀ ହତାଶ ହୋଇଥିଲେ। ବାଧ୍ୟ ହୋଇ କିଛି କ୍ଷୁଦ୍ର, ନାମମାତ୍ର ଓ ଭାଗ ଚାଷୀ ଦଲାଲ ଓ ମିଲ ମାଲିକଙ୍କୁ କମ୍ ଦାମ୍‌ରେ ଧାନ ବିକିଲେ, ଯାହା କି ସରକାର ଚାହୁଁଥିଲେ। କିଛି ଅସାଧୁ ଦଲାଲ ଓ ମିଲ ମାଲିକ ଜାଲ୍‌ କାଗଜପତ୍ର କରି ନିଜକୁ ଭାଗ ଚାଷୀ ଦେଖାଇ ମଣ୍ଡିକୁ ଧାନ ଆଣିଲେ। ଆଶ୍ଚର୍ଯ୍ୟର କଥା, ସରକାର ସ୍ୱଚ୍ଛତା ପାଇଁ ଟୋକନ ବ୍ୟବସ୍ଥା କରିଥିବା କହୁଥିଲେ ମଧ୍ୟ ଏପରି ଦଲାଲ ଓ ମିଲ ମାଲିକଙ୍କର ଟୋକନ କିପରି ପ୍ରଥମେ ଆସିଲା? ଆଜି ବି ପ୍ରକୃତ ଚାଷୀର ଧାନ ଉଠୁ ନାହିଁ ବୋଲି ବିଜେପି ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ ଅଭିଯୋଗ କରିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ କହିଛନ୍ତି ଯେ ଗତ ୨ ତାରିଖରେ ଦିନ ରାଜ୍ୟ ଯୋଜନା ବୋର୍ଡ ଉପାଧକ୍ଷ ସଂଜୟ ଦାସବର୍ମା ନବରଙ୍ଗପୁରର ଆରଏମ୍‌ସି ପ୍ରାଙ୍ଗଣରେ ଏକ ନବ ନିର୍ମିତ ‘କୃଷକ ସୂଚନା କେନ୍ଦ୍ର’ର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଆସିଥିଲେ। ଚାଷୀଙ୍କ ସମସ୍ୟା, ଟୋକନ ଅବ୍ୟବସ୍ଥା, ବିଶେଷ କରି ଧାନ କିଣାବିକା ବିଷୟରେ ଅବଗତ କରିବା ପାଇଁ ଚାଷୀ ସେଠାରେ ଉପସ୍ଥିତ ଥିବା ସମୟରେ ଜିଲ୍ଲାପାଳ ଏହା ସରକାରୀ କାର୍ଯ୍ୟକ୍ରମ କହି ଚାଷୀମାନଙ୍କୁ ତାଗିଦ କରିଥିଲେ। ଦୁର୍ଭାଗ୍ୟର କଥା ଶ୍ରୀ ଦାସବର୍ମା ଚାଷୀଙ୍କ ଅଭିଯୋଗ ନ ଶୁଣି କେବଳ ୨୪ ଘଣ୍ଟାରେ ଧାନ ଉଠିଯିବ କହି ଚାଲିଗଲେ। ସଞ୍ଜୟ ଦାସବର୍ମା ଓ ପ୍ରଣବ ପ୍ରକାଶ ଦାସ ସରକାରୀ ଖର୍ଚ୍ଚରେ ହେଲିକପ୍ଟର ଯୋଗେ ରାଇଘର ଆସିଥିଲେ। ଗସ୍ତକୁ ସରକାରୀ ରୂପ ଦେବା ପାଇଁ ରାଇଘରଠାରେ ଏକ ପ୍ରସୂତି ଗୃହର ଭିତ୍ତିପ୍ରସ୍ଥର ସ୍ଥାପନର ଭୂମିପୂଜା ରଖା ଯାଇଥିଲା। ଯଦିଓ ଏହି ଗୃହଟି କେନ୍ଦ୍ରର ଜାତୀୟ ସ୍ୱାସ୍ଥ୍ୟ ମିସନ ଟଙ୍କାରେ ହେବାକୁ ଯାଉଛି, ସ୍ଥାନୀୟ ବିଧାୟକ, ବ୍ଲକ ଅଧକ୍ଷ କିମ୍ବା ସରପଞ୍ଚ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ହୋଇ ନ ଥିଲେ। ୨୩ ଲକ୍ଷ ଟଙ୍କାରେ ନିର୍ମିତ ହେବାକୁ ଥିବା ଏହି ଗୃହ ପାଇଁ ରାଜକୋଷରୁ ହେଲିକପ୍ଟର ବାବଦରେ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବା କେତେଦୂର ଯୁକ୍ତିଯୁକ୍ତ ‌େବାଲି ଶ୍ରୀ ମାଝୀ ପ୍ରଶ୍ନ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ସୋନାଲି ସାହୁ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର