ନିଆଁ ଗିଳିଦେଲା ୫୦ ଏକର ଧାନ ଫସଲ

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ୍‌ ଅନ୍ତର୍ଗତ କୁଳିଦା ପଞ୍ଚାୟତ ଧୂଳିଉଡ଼ା ଗାଁରେ ଆଜି ଅଗ୍ନିକାଣ୍ତରେ ୫୦ ଏକରରୁ ଅଧିକ ଜମିର ଧାନ ଫସଲ ପୋଡ଼ି ନଷ୍ଟ ହୋଇଯାଇଛି। ସୂଚନା ଅନୁସାରେ; ଧୂଳିଉଡ଼ା ଗ୍ରାମ ନିକଟ ଧାନବିଲରେ ଆଜି ହଠାତ୍‌ ନିଆଁ ଜଳୁଥିବା ସ୍ଥାନୀୟ ଲୋକ ଦେଖିିଥିଲେ। ଆଖପାଖ ବିଲରେ ଧାନକଟା ଚାଲିଥିବା ବେଳେ ନିଆଁ ଦେଖି ଚାଷୀ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ବି ବିଲ ଭିତରକୁ ଯାଇ ନ ପାରିବାରୁ କିଛି ଫଳ ମିଳିନଥିଲା। ଏପରି ସମୟରେ ପାଖ ବିଲରେ ଥିବା ଏକ ମେସିନ୍‌ ଦ୍ବାରା ନିଆଁ ମାଡ଼ି ଆସୁଥିବା କିଛି ବିଲର ଧାନଗଛ ସହସା କାଟି ଦିଆଯାଇଥିଲା। ଫଳରେ ନିଆଁ ଆଗକୁ ବଢ଼ି ନପାରି ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ହେଲେ ଏଇଭିତରେ ଗ୍ରାମର ୨୨ ଜଣ ଚାଷୀଙ୍କ ୫୦ ଏକରରୁ ଅଧିକ ଜମିର ଫସଲ ନଷ୍ଟ ହୋଇଯାଇଥିଲା। ତେବେ ଅଗ୍ନିକାଣ୍ତର ଠିକ୍‌ କାରଣ ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର