ସରକାରୀ ଔଷଧ କାଳ ହେଲା : ହେକ୍ଟର ହେକ୍ଟର ଧାନଗଛ ଶୁଖିଲା

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ରେମୁଣା ପରେ ଏବେ ଜଳେଶ୍ୱର ବ୍ଲକ୍‌ରେ କୃଷି ବିଭାଗର ଖାମଖିଆଲ ନୀତିର ଆଉ ଏକ ନମୁନା ଦେଖିବାକୁ ମିଳିଛି। ରେମୁଣାରେ ବିଭାଗୀୟ ବାବୁମାନେ ଚାଷୀଙ୍କୁ ଭୁଲ୍‌ ଔଷଧ ଦେବାରୁ ହେକ୍ଟର ହେକ୍ଟର ଜମିର ଧାନଗଛ ପୋଡ଼ିଯାଇଥିଲା। ଏଥିରୁ କିନ୍ତୁ ବିଭାଗ ନ ଚେତିବା ପରି ମନେହେଉଛି। ଏବେ ଜଳେଶ୍ୱରରେ ପୁଣି ବିଭାଗୀୟ ଭୁଲ୍‌ ଔଷଧ ଯୋଗୁ ଚାଷୀଙ୍କ ହେକ୍ଟର ହେକ୍ଟର ଜମିର ଧାନ ଫସଲ ପୋଡ଼ିଯାଇଥିବା ଅଭିଯୋଗ ଆସିଛି। ଫଳରେ ଚାଷୀମାନେ ଚିନ୍ତାରେ ଦିନ କାଟୁଛନ୍ତି।

ପ୍ରବଳ ଖରା ଓ ଗୁଳୁଗୁଳିର ପ୍ରକୋପ ବଢ଼ୁଥିବାରୁ ଜଳେଶ୍ବର ଅଞ୍ଚଳ‌େର ଗତ ସପ୍ତାହ ଧରି ପୁଣି ରୋଗପୋକର ପ୍ରାଦୁର୍ଭାବ ବଢ଼ିଛି। ବିଶେଷ କରି ବ୍ଲକ୍‌ର ସୁଗୋ, ଆରଆରପୁର, ଚମାରଗାଁ, ବରିଡିହା, ନେତୁଆ, ନାମ୍ପୋ ଆଦି ଅଞ୍ଚଳରେ ଏକପ୍ରକାର ବିଏଲ୍‌ବି ରୋଗ ଯୋଗୁ ଗଛ ନାଲି ପଡ଼ିବା ସହ ଚକଡ଼ା ଲାଗିବା ପରି ଦେଖାଯାଉଥିଲା। ଏହାର ମୁକାବିଲା ପାଇଁ ଚାଷୀମାନେ ଜଳେଶ୍ବର କୃଷି ବିଭାଗ ସହ ଯୋଗାଯୋଗ କରିଥିଲେ। ଚାଷୀମାନେ ବିଭାଗୀୟ ବାବୁମାନଙ୍କ ପରାମର୍ଶ କ୍ରମେ ସରକାରୀ କପର ଫଞ୍ଜିସାଇଡ୍ ଔଷଧ କିଣିବା ସହ ଜମିରେ ସିଞ୍ଚନ କରିଥିଲେ। ତେବେ ସିଞ୍ଚନ କରିବାର ଦିନେ ଦୁଇଦିନ ମଧ୍ୟରେ ଗଛର ପତ୍ର ସବୁ ଶୁଖିଯିବା ସହ ମୋଡ଼ି ହୋଇଯାଇଛି। ଏବେ ଧାନଗଛରେ ଗଣ୍ଡି ବାହାରି ସାରିଥିବାରୁ ଆଉ ନୂୂଆ ପତ୍ର ବାହାରିବାର ସମ୍ଭାବନା ନାହିଁ। ଚାଷୀ ଏପରି ଅସ୍ବାଭାବିକ ପରିସ୍ଥିତ ପାଇଁ ଚିନ୍ତାରେ ପଡ଼ିଯାଇଛନ୍ତି। ବ୍ଲକ୍‌ର ପ୍ରାୟ ୨ ଶହ ହେକ୍ଟର ଜମିରେ ଏପରି ଅସୁବିଧା‌ ହୋଇଛି।

ଯାହା ଜଣାପଡ଼ିଛି; ଚାଷୀମାନେ କିଣିଥିବା ଔଷଧର ଅବଧି ଶେଷ ହୋଇଯାଇଥିଲା। ଔଷଧ ପ୍ୟା‌େକଟ୍‌ରେ ରିଷ୍ଟିକରିଂ କରାଯାଇ ଚାଷୀଙ୍କୁ ଠକାଯାଇଛି ବୋଲି ଅଭିଯୋଗ ହୋଇଛି। ତେବେ ଓଡ଼ିଶା ଏଗ୍ରୋ ଇଣ୍ଡଷ୍ଟ୍ରି ଏହି ଔଷଧ ଯୋଗାଇଛି। ତେବେ ଏନେଇ ଜଳେଶ୍ବର କୃଷି ଅଧିକାରିଣୀ ଅଭିଯୋଗ ପାଇବା ପରେ ଆଜି ସୁଗୋ ଅଞ୍ଚଳକୁ ଗସ୍ତ କରିଥିଲେ। ସେ କୃଷି କ୍ଷେତ ବୁଲି ଚାଷୀଙ୍କ ସହ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ଜିଲ୍ଲା କୃଷି ଅଧିକାରୀଙ୍କୁ ରିପୋର୍ଟ ଦିଆଯିବ ଓ ଖୁବ୍‌ଶୀଘ୍ର କୃଷି ବୈଜ୍ଞାନିକମାନେ କ୍ଷେତ୍ର ପରିଦର୍ଶନ କରିବେ ବୋଲି ସେ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ‌; ରେମୁଣା ବ୍ଲକ୍‌ ଅଧୀନ ଶ୍ରୀଜଙ୍ଗ ପଞ୍ଚାୟତର ପ୍ରାୟ ୧ ଶହ ହେକ୍ଟର ଧାନକ୍ଷେତରେ ପତ୍ରପୋଡ଼ା, କାଣ୍ତବିନ୍ଧା, ପଚା ଆଦି ରୋଗ ଦେଖାଯାଇଥିଲା। ଫଳରେ ବିଭାଗ ପକ୍ଷରୁ ଚାଷୀମାନଙ୍କୁ ରୋଗର ଲକ୍ଷଣ ଦେଖି ରିହାତି ଦରରେ ଔଷଧ କିଣି ଚାଷଜମିରେ ପକାଇବାକୁ ପରାମର୍ଶ ଦିଆଯାଇଥିଲା। ପରାମର୍ଶ ଅନୁସାରେ ପଞ୍ଚାୟତର ୨ ଶହରୁ ଅଧିକ ଚାଷୀ ୟୁନିକପ୍‌ ୫୦୦ ଓ ଆଣ୍ଟିବେକ୍‌ ଔଷଧ କିଣି ଜମିରେ ପକାଇଥିଲେ। ଔଷଧ ବ୍ୟବହାର କରିବାର ୩ ଦିନ ପରେ ଧାନଗଛ ହଳଦିଆ ରଂଗ ହେବା ସହ ପୋଡ଼ିଯାଇଥିଲା। ସ୍ଥିତି ସୁଧୁରିବା ପରିବର୍ତେ ଅଧିକ ଜଟିଳ ହୋଇପଡ଼ିଥିଲା।

ସମ୍ବନ୍ଧିତ ଖବର