ପୋଲସରା: ଗଞ୍ଜାମ ଜିଲ୍ଲାରେ ଧାନକିଣାକୁ ନେଇ ବ୍ୟାପକ ଅବ୍ୟବସ୍ଥା ସାମ୍ନାକୁ ଆସିବାରେ ଲାଗିଛି। କେଉଁଠି ଚାଷୀ ଟୋକନ୍ ଥାଇ ବି ଧାନ ବିକିପାରୁନାହାନ୍ତି, ତ ଆଉ କେଉଁଠି ଚାଷୀ ଧାନବିକ୍ରିର ପ୍ରାପ୍ୟ ପାଇନାହାନ୍ତି। ଏହାସହ କିଛି ଚାଷୀଙ୍କ ଟୋକନ୍ ଅବଧି ସରିଯାଇଥିଲେ ହେଁ, ମଣ୍ଡିରେ ସେମାନଙ୍କ ଧାନ ଉଠିନି। କାରଣ ଟାର୍ଗେଟ୍ ମିଳିବାରେ ବିଳମ୍ବ ହେଉଛି। ଫଳରେ ବର୍ତ୍ତମାନ ପରିସ୍ଥିତିରେ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ସଂରକ୍ଷଣ ସମସ୍ୟା ଯୋଗୁଁ କିଛି ଚାଷୀ ଆନ୍ଧ୍ର ବେପାରୀ ଓ ସ୍ଥାନୀୟ ବେପାରୀମାନଙ୍କୁ କ୍ବିଣ୍ଟାଲ୍ ପିଛା ୪୦୦ ଟଙ୍କା କମ୍ରେ ଧାନ ବିକି କ୍ଷତି ସହୁଛନ୍ତି। ପୋଲସରା ବ୍ଲକ୍ରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି।
ଚିରିକିପଡ଼ାଶାସନର ଚାଷୀ ସତ୍ୟନାରାୟଣ ସାହୁଙ୍କ ସହ ଆଲୋଚନା ବେଳେ କହିଛନ୍ତି, ୯୯ କ୍ବିଣ୍ଟାଲ୍ ଧାନ ବିକ୍ରି ପାଇଁ ସେ ଟୋକନ୍ ପାଇଥିଲେ। କିନ୍ତୁ ଟୋକନ୍ ଅବଧି ସରିଯାଇଥିଲେ ମଧ୍ୟ ସେବା ସମବାୟ ସମିତି ତାଙ୍କ ଧାନ ନେଇନି। ସେହିପରି ତାଙ୍କ ପତ୍ନୀ ରଶ୍ମିବାଳାଙ୍କ ୭୫ କ୍ବିଣ୍ଟାଲ୍, ଭାଇ ଲକ୍ଷ୍ମୀନାରାୟଣଙ୍କ ୯୯ କ୍ବିଣ୍ଟାଲ୍, ପତ୍ନୀ ରାଜକୁମାରୀ ସାହୁଙ୍କ ୭୫ କ୍ବିଣ୍ଟାଲ୍, ସତ୍ୟନାରାୟଣଙ୍କ ଦୁଇପୁଅଙ୍କ ମଧ୍ୟରୁ ପ୍ରୀତନାରାୟଣଙ୍କ ୭୦ କ୍ବିଣ୍ଟାଲ୍ ଧାନ ବିକ୍ରି ହୋଇପାରିନି। କେବଳ ଆଉ ଜଣେ ପୁଅ ଶ୍ରୁତିନାରାୟଣଙ୍କ ୫୦ କ୍ବିଣ୍ଟାଲ୍ ଧାନ ବିକ୍ରି ହୋଇଛି। କିନ୍ତୁ ଏହାମଧ୍ୟରେ ଅନ୍ୟ ସମସ୍ତଙ୍କ ଟୋକନ୍ ଅବଧି ଶେଷ ହୋଇଯାଇଛି। ସତ୍ୟନାରାୟଣଙ୍କ ଭଉଣୀ ଶାରଦା ମଧ୍ୟ ୫୦ କ୍ବିଣ୍ଟାଲ୍ ଧାନ ବିକ୍ରି କରିପାରିନାହାନ୍ତି।
କେବଳ ସତ୍ୟନାରାୟଣ ନୁହେଁ, ତାଙ୍କ ଭଳି ପୋଲସରା ବ୍ଲକ୍ର ଅନେକ ଚାଷୀ ଟୋକନ୍ ଥାଇ ମଧ୍ୟ ଧାନ ବିକ୍ରି କରିବାରେ ସମର୍ଥ ହୋଇପାରୁନାହାନ୍ତି। ପୋଲସରା ବ୍ଲକ୍ରେ ମୋଟ ୧ ଲକ୍ଷ ୫୧ହଜାର ୯୪୭.୨୮ କ୍ବିଣ୍ଟାଲ୍ ଧାନ କିଣିବାକୁ ଟାର୍ଗେଟ୍ ଧାର୍ଯ୍ୟ କରାଯାଇଛି। ବର୍ତ୍ତମାନସୁଦ୍ଧା ମୋଟ ୪ ହଜାର ୫୬୪ ଚାଷୀଙ୍କ ମଧ୍ୟରୁ ୩ ହଜାର ୪୫୫ ଚାଷୀଙ୍କଠୁ ୧ ଲକ୍ଷ ୪୭ ହଜାର ୨୦୦.୫୭ କ୍ଵିଣ୍ଟାଲ୍ ଧାନ କିଣାଯାଇଛି। ବଳକା ୪ହଜାର ୭୪୬.୬୧ କ୍ବିଣ୍ଟାଲ୍ ଧାନ କିଣାଯିବ ବୋଲି ସୂଚନା ମିଳିଛି। ତନ୍ମଧ୍ୟରୁ ଚିରିକିପଡ଼ାଶାସନ ସେବା ସମବାୟ ସମିତିରେ ଚଳିତମାସ ୧୬ ତାରିଖ ସୁଦ୍ଧା ୨୦୭ ଚାଷୀଙ୍କ ମଧ୍ୟରୁ ୧୬୨ ଜଣ ଚାଷୀଙ୍କଠୁ ୬ହଜାର ୨୩ କ୍ବିଣ୍ଟାଲ୍ ଧାନ କିଣାଯାଇଛି। ଆଉ ୩୪.୯ କ୍ଵିଣ୍ଟାଲ୍ ଧାନ କିଣାଯିବ।
କିନ୍ତୁ ଏହାମଧ୍ୟରେ ସତ୍ୟନାରାୟଣଙ୍କ ପରିବାର ସଦସ୍ୟଙ୍କ ପାଖରେ ଟୋକନ୍ ଥାଇ ବି କେଉଁ ଆଧାରରେ ଧାନ ଉଠାଗଲାନି, ଏହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚିରିକିପଡ଼ା ସେବା ସମବାୟ ସମିତି ସମ୍ପାଦକଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ, ସତ୍ୟନାରାୟଣଙ୍କ ପରିବାରର ଜଣେ ସଦସ୍ୟଙ୍କଠୁ କେବଳ ୫୦ କ୍ବିଣ୍ଟାଲ୍ ଧାନ ଉଠାଯାଇଛି। ଟାର୍ଗେଟ୍ ଆସିଲେ ପୁଣି ଧାନ ଉଠାଯିବ। ଅନ୍ୟପକ୍ଷରେ ଆଉ କିଛି ଚାଷୀ ମଣ୍ଡିକୁ ଧାନ ଦେଇ ଟଙ୍କା ଡେରିରେ ଆସୁଥିବାରୁ ସେମାନେ ବାଧ୍ୟ ହୋଇ ଆନ୍ଧ୍ରପ୍ରଦେଶ ଓ ସ୍ଥାନୀୟ ବେପାରୀମାନଙ୍କୁ ଶାଗମାଛ ଦରରେ ଧାନ ବିକି ଦେଉଛନ୍ତି। ଏଦିଗରେ ପ୍ରଶାସନ ଧ୍ୟାନ ଦେବାକୁ ଦାବି ହୋଇଛି।