ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଏକ କୃଷି ପ୍ରାଧାନ୍ୟ ବ୍ଲକ ଭାବେ ପରିଚିତ। ଏହି ବ୍ଳକରେ ପ୍ରାୟ ୯୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି। ପ୍ରଶାସନ ପକ୍ଷରୁ ଜଳ ସେଚନ ସୁବିଧା ନଥିବା ଯୋଗୁଁ ବ୍ଳକର ଚାଷୀମାନେ କେବଳ ବର୍ଷା ଦିନ ବିଭିନ୍ନ କିସମର ଚାଷ କରିଥାନ୍ତି। ଚଳିତ ବର୍ଷ ଝରିଗାଁ ବ୍ଳକରେ ସ୍ଵଳ୍ପ ବୃଷ୍ଟିପାତ ଯୋଗୁଁ ଅମଳ କମି ଥିବା ଚାଷୀମାନେ ଅଭିଯୋଗ କରିଥିଲେ। ବିଶେଷ କରି ଝରିଗାଁ ବ୍ଳକର ଧାନ ଚାଷୀ ମାନେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଅଧିକ କ୍ଷତି ହୋଇଥିବା ଜଣାପଡିଛି। ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ପ୍ରାୟ ୪୦ ପ୍ରତିଶତ ଧାନ ଅମଳ କମିଥିବା ଅଭିଯୋଗ ହୋଇଥିଲା। ଏହାର ପ୍ରଭାବ ଏବେ ଝରିଗାଁ ବ୍ଲକ ଧାନ ମଣ୍ଡିରେ ଦେଖା ଦେଇଛି।

Advertisment

ଝରିଗାଁ ବ୍ଳକରେ ପ୍ରଶାସନ ପକ୍ଷରୁ ଝରିଗାଁ ସହ ଚଚା, ଧୋଡ୍ରା, ବେଲଗାଁ, ଏକାମ୍ବା ଓ ଚାଟିଗୁଡ଼ା ଠାରେ ମଣ୍ଡି ମାଧ୍ୟମରେ ଚାଷୀ ମାନଙ୍କ ଠାରୁ ଧାନ କ୍ରୟ କରାଯାଉଛି। ଗତ ବର୍ଷ ଜାନୁଆରି ମାସ ୧୫ ତାରିଖ ସୁଦ୍ଧା ୨୫୫୮ ଜଣ ଚାଷୀଙ୍କ ଠାରୁ ୧ଲକ୍ଷ ୨୨ହଜାର ୮୨୧ କ୍ୟୁଟେଲ ଧାନ ଚାଷୀମାନଙ୍କ ଠାରୁ ଝରିଗାଁ ଲେମ୍ପସ କିଣିଥିବା ସୂଚନା ମିଳିଛି। ସେହିପରି ଗତ ବର୍ଷ ବ୍ଳକର ମୋଟ ୬ଟି ଧାନ ମଣ୍ଡିରେ ୧ ଲକ୍ଷ ୬୯ହଜର ୧୩୮ କ୍ୟୁଟେଲ ଧାନ ଚାଷୀମାନଙ୍କ ଠାରୁ କିଣି ଥିବା ସୂଚନା ମିଳିଛି। କିନ୍ତୁ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଧାନ ମଣ୍ଡିରେ ଲେମ୍ପସ ପକ୍ଷରୁ ଧାନ କିଣା ଗତ ବର୍ଷ ତୁଳନାରେ ଢେର କମ ଥିବା ସୂଚନା ମିଳିଛି। ଚଳିତ ବର୍ଷ ଜାନୁଆରି ମାସ ୧୫ ତାରିଖ ସୁଦ୍ଧା ଲେମ୍ପସ ପକ୍ଷରୁ ୬୨୩ ଜଣ ଚାଷୀଙ୍କ ଠାରୁ ମାତ୍ର ୨୯ହଜାର ୮୨୪ କ୍ୟୁଟେଲ ଧାନ କିଣାଯାଇ ଥିବା ସୂଚନା ମିଳିଛି।

ସେହିପରି ଚାଷୀଙ୍କ ପାଖକୁ ଆସିଥିବା ଟକେନ୍ ଅନୁଯାୟୀ ଧାନ ଅଳମ ହୋଇନଥିବା ଯୋଗୁଁ ମଣ୍ଡିରେ ଚାଷୀ କମ ପରିମାଣର ଧାନ ବିକ୍ରି କରୁଥିବା ଅଭିଯୋଗ ହୋଇଛି।ତେଣୁ ସ୍ଥାନୀୟ ଚାଷୀ ପ୍ରଶାସନ ପକ୍ଷରୁ ବନସ ଦେବା ପାଇଁ ଦାବି କରିଛନ୍ତି। ଅନ୍ୟପଟେ କିଛି ଚାଷୀ ମଣ୍ଡିକୁ ଅପେକ୍ଷା ନକରି ବଜାରରେ ଭଲ ଦରରେ ଧାନ ବିକ୍ରି ହେଉଥିବାରୁ ବ୍ୟବସାୟୀମାନଙ୍କୁ ଧାନ ବିକ୍ରି କରୁଥିବା ଶୁଣିବାକୁ ମିଳିଛି। ମଣ୍ଡିରେ ଧାନ ବିକ୍ରି ପାଇଁ ଗଲେ କଟନି ଛଟନି କରାଯାଉଥିବା ବେଳେ ଧାନ ବିକ୍ରି କରିବା ଚାଷୀଙ୍କୁ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି।

ସେହିପରି ହଜାର ହଜାର ଟଙ୍କା ଖର୍ଚ୍ଚ କରି ଧାନବସ୍ତା ମଣ୍ଡି ନିକଟକୁ ନେବା ପାଇଁ ପଡୁଛି। ଧାନ ବିକ୍ରି ହୋଇନପାରିଲେ ରାତିରେ ଶୀତ କାକରରେ ଜଗିବାକୁ ପଡୁଛି। ଧାନ ବିକ୍ରି କରିବା ପରେ ଟଙ୍କା ପାଇବା ପାଇଁ ମଧ୍ୟ ମାସ ମାସ ଅପେକ୍ଷା କରିବା ପାଇଁ ପଡୁଛି। ସ୍ଥାନୀୟ ବ୍ୟବସାୟୀଙ୍କ ନିକଟରେ ଧାନ ବିକ୍ରି କଲେ ମଣ୍ଡି ଦରଠାରୁ ଅଧିକ ଲାଭ ଏବଂ ତୁରନ୍ତ ଟଙ୍କା ମିଳୁଥିବାରୁ କିଛି ଚାଷୀ ବ୍ୟବସାୟୀଙ୍କୁ ଧାନ ବିକ୍ରି କରୁଥିବା ମଧ୍ୟ ସୂଚନା ମିଳିଛି।