ରାଉରକେଲା: ପୂର୍ବ ବର୍ଷ ଭଳି ଏଥର ମଧ୍ୟ ଜିଲ୍ଲାରେ ଖରିଫ୍ ଧାନ ଚାଷ ହ୍ରାସ ପାଇଛି। ଚଳିତ ବର୍ଷ ମୋଟ୍ ୨ ଲକ୍ଷ ୧୨ ହଜାର ହେକ୍ଟର ଜମିରେ ଧାନ ଚାଷ କରିବାକୁ ଜିଲ୍ଲା କୃଷି ବିଭାଗ ଲକ୍ଷ୍ୟ ରଖିଥିଲା। ତେବେ ଏଥର କେବଳ ୧ ଲକ୍ଷ ୯୬ ଲକ୍ଷ ହେକ୍ଟରରେ ଧାନ ଚାଷ ସୀମିତ ରହିଛି। ଅର୍ଥାତ୍ ପ୍ରାୟ ୧୬ ହଜାର ହେକ୍ଟର ଜମିରେ ଏଥର ଧାନ ଚାଷ ସମ୍ଭବ ହୋଇପାରିନି। ଅପରପକ୍ଷରେ, ଅଣଧାନ ଚାଷ ଲକ୍ଷ୍ୟ ବୃଦ୍ଧି ପାଇଛି। ଅଣଧାନ ପାଇଁ ଚାଷ ପାଇଁ ପୂର୍ବ ନିର୍ଦ୍ଧାରିତ ୧ ଲକ୍ଷ ୧ ହେକ୍ଟର ବ୍ୟତିତ ଧାନ ଚାଷ ହୋଇପାରିନଥିବା ୧୬ ହଜାର ହେକ୍ଟର ଜମିରେ ମଧ୍ୟ ଅଣଧାନ, ଯଥା ପନିପରିବା, ତୈଳବୀଜ, ଡାଲି ଜାତୀୟ, ମିଲେଟ୍ ଆଦି ଚାଷ କରାଯିବ। ଅର୍ଥାତ୍, ଏଥର ପାଖାପାଖି ୧ ଲକ୍ଷ ୧୭ ହଜାର ହେକ୍ଟର ଜମିରେ ଅଣଧାନ ଚାଷ କରାଯିବ।
ଜିଲ୍ଲାରେ ମୋଟ୍ ୩ ଲକ୍ଷ ୧୩ ହଜାର ହେକ୍ଟର ଚାଷ ଜମି ରହିଛି। ଏଥିମଧ୍ୟରୁ ୨ ଲକ୍ଷ ୧୨ ହଜାର ହେକ୍ଟର ଜମିରେ ଧାନ ଚାଷ ଏବଂ ଅବଶିଷ୍ଟ ୧ ଲକ୍ଷ ୧ ହଜାର ହେକ୍ଟର ଜମିରେ ଅଣଧାନ ଚାଷ କରାଯାଇଥାଏ। ତେବେ ଗତ ଦୁଇ ବର୍ଷ ହେଲା ଧାନ ଚାଷ ଲକ୍ଷ ପୂରଣ ହୋଇପାରୁନି। କ୍ରମାନୁସାରେ, ଗତ ୨୦୨୧ ମସିହାରେ ୮,୯୫୩ ହେକ୍ଟର ଜମି ଓ ୨୦୨୨ରେ ୧୩,୩୯୪ ହେକ୍ଟର ଏକର ଜମିରେ ଧାନ ଚାଷ କରାଯାଇପାରିନଥିଲା। ହ୍ରାସ ପାଉଥିବା ଧାନ ଚାଷ ଲକ୍ଷ୍ୟରେ ବୃଦ୍ଧି ଆଣିବାକୁ ଏଥର ସରକାର ପ୍ରାଧାନ୍ୟ ଦେଇଥିଲେ। ସରକାରଙ୍କ ନିର୍ଦ୍ଦେଶକ୍ରମେ ଏଥର ଜିଲ୍ଲାରେ ଥିବା ୭୩,୮୬୮ ହେକ୍ଟର ଜଳସେଚିତ ଜମି ଓ ୧,୩୮,୧୩୨ ଅଣ ଜଳସେଚିତ ଜମି, ମୋଟ୍ ୨ ଲକ୍ଷ ୧୨ ହଜାର ହେକ୍ଟର ଜମିରେ ଧାନ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ତେବେ ନିର୍ଦ୍ଧାରିତ ସମୟରେ ବର୍ଷା ଅଭାବ ଯୋଗୁଁ ଧାନ ରୁଆ, ଧାନ ବୁଣା ଆଦି ହୋଇପାରିନଥିଲା। ବିଶେଷକରି ଉଚ୍ଚ ଜମିରେ ଧାନଚାଷ ବହୁମାତ୍ରାରେ ପ୍ରଭାବିତ ହୋଇଥିଲା। ଏଣୁ କୃଷି ବିଭାଗ ଲକ୍ଷ୍ୟ ଧାର୍ଯ୍ୟରେ ପରିବର୍ତ୍ତନ କରି ଅଣ ଧାନ ଚାଷ ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଉଛି।
ଉଚ୍ଚ ଜମିରେ ଧାନ ଚାଷ ଓ ଅମଳ ଆଖିଦୃଶିଆ ହେଉନଥିବାରୁ ଏହି ଧରଣର ଜମିରେ ଅଣଧାନ ପାଇଁ ସରକାର ଚାଷୀମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ଚାଷୀମାନେ ତିନି ବର୍ଷ ପାଇଁ ଅଣଧାନ ଚାଷ କଲେ ଆର୍ଥିକ ସହାୟତା ଦିଆଯାଉଛି। ପ୍ରକାଶଥାଉକି, ଏହି ଜାତୀୟ ଜମିରେ ପନିପରିବା ଚାଷ କଲେ ପ୍ରଥମ ବର୍ଷ ହେକ୍ଟର ପିଛା ୨୨ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଉଥିବାବେଳେ ଦ୍ବିତୀୟ ବର୍ଷରେ ୧୮ ହଜାର ଓ ତୃତୀୟ ବର୍ଷରେ ୧୪ ହଜାର ଟଙ୍କା ଦିଆଯାଉଛି। ସେହିଭଳି ଚିନା ବାଦାମ ପାଇଁ ପ୍ରଥମ ବର୍ଷରେ ୧୦ ହଜାର ଟଙ୍କା ଦିଆଯାଉଥିବାବେଳେ ଦ୍ବିତୀୟ ଓ ତୃତୀୟ ବର୍ଷରେ ଏହି କ୍ରମରେ ଆର୍ଥିକ ସହାୟତା ଦିଆଯାଉଛି। କେବଳ ଚିନାବାଦାମ, ପନିପରିବା ନୁହେଁ; ବରଂ ଅନ୍ୟାନ୍ୟ ତୈଳ ବୀଜ, ମିଲେଟ୍ ଆଦି ଚାଷ ପାଇଁ ସ୍ବତନ୍ତ୍ର ଆର୍ଥିକ ସହାୟତା ଦିଆଯାଉଛି।