ଖୋଲା ଆକାଶ ତ‌ଳେ ଖଳାରେ ଧାନ : ଆସୁନି ଟାର୍ଗେଟ୍, ଟୋକନ୍ ଥାଇ ବି ଧାନ ବିକିପାରୁନି ଚାଷୀ

ଭଞ୍ଜନଗର : ଚାଷୀଙ୍କଠୁ ଧାନକିଣା ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବାକୁ ବ୍ୟାପକ ପଦକ୍ଷେପ ନିଆଗଲା। ତୁହାକୁ ତୁହା ସମୀକ୍ଷା ବୈଠକ ବି ବସିଲା। ଟୋକନ୍ ପାଇବା ପରେ ଚାଷୀ ଧାନ ବିକିବାରେ ଯେମିତି ଅସୁବିଧା ନଭୋଗିବେ, ଏଥିପ୍ରତି ଧ୍ୟାନ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ବି ଦିଆଗଲା। ମେସେଜ୍ ମାଧ୍ୟମରେ ଚାଷୀଙ୍କ ନିକଟକୁ ଟୋକନ୍ ଯିବା ପରେ ସଂପୃକ୍ତ ଚା‌ଷୀ ଦିନକୁ ୫୦ କ୍ବିଣ୍ଟାଲ୍‌ ଏବଂ ଗୋଟିଏ ସମବାୟ ସମିତି ଦିନକୁ ସର୍ବାଧିକ ୧୦୦୦ କ୍ବିଣ୍ଟାଲ୍ ଧାନ ସଂଗ୍ରହ କରିପାରିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା। ହେଲେ ଗଞ୍ଜାମ ଜିଲ୍ଲାରେ ଏବେ ବହୁ ଆଡ଼ମ୍ବରେ ଲଘୁ କ୍ରିୟା ନୀତିରେ ଧାନକିଣା ଚାଲିଛି। ଦିନ ସିନା ଗଡ଼ି ଗଡ଼ି ଚାଲିଛି, ହେଲେ ଚାଷୀର ଦୁଃଖ ସରୁନି। କାରଣ ଟୋକନ୍ ଥାଇ ବି ଧାନ କିଣିବାକୁ ଅଧିକ ଟାର୍ଗେଟ୍ ଆସୁ ନଥିବାରୁ ଚାଷୀ ମୁଣ୍ଡରେ ଏବେ ଭାଳେଣି ପଡ଼ିଛି। ଚାଷୀ ଧାନକୁ ବିକି ନପାରି ସେମିତି ଖଳାରେ ପକାଇ ରଖିଥିବା ବେଳେ ଏବେ କିଛି ଦିନ ହେଲା ଅଦିନିଆ ବର୍ଷା ଚିନ୍ତା ବଢ଼ାଇସାରିଲାଣି। ଏହାସାଙ୍ଗକୁ ହାତୀ ଉପଦ୍ରବ ବି ଚିନ୍ତାକୁ ଦ୍ବିଗୁଣିତ କରିଛି। ଧାନକୁ ସୁରକ୍ଷା ଦେବାକୁ ଚାଷୀ ଦିନରାତି ଖଳାରେ ଜଗୁଥିବା ଦେଖିବାକୁ ମିଳିଛି।

ଭଞ୍ଜନଗର ଉପଖଣ୍ଡ ଉପରେ ନଜର ପକାଇଲେ, ମୋଟ ଟାର୍ଗେଟରୁ ଆଜି ସୁଦ୍ଧା ୧୨୫ଟି ସେବା ସମବାୟ ସମିତି ଏବଂ ୨୭ଟି ସ୍ବଂୟ ସହାୟକ ଗୋଷ୍ଠୀ ସାହାଯ୍ୟରେ ୮୨ ପ୍ରତିଶତ ‌ଧାନ କିଣାଯାଇଛି। ବଳକା ଟାର୍ଗେଟ ଆଉ ଦିନେ ଦୁଇ ଦିନ ମଧ୍ୟରେ ସରିଯିବ। ହେଲେ ନୂଆ ଟାର୍ଗେଟ ଆସି ନଥିବାରୁ ଏହାପରେ ଚାଷୀଙ୍କ ଠାରୁ କିଭଳି ଧାନ କିଣାଯିବ, ତାହା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି।

ପ୍ରତିବର୍ଷ ଭଞ୍ଜନଗର ଉପଖଣ୍ଡରୁ ଶତାଧିକ ଟ୍ରକରେ ଦଲାଲ୍ ମାନେ ଅତି କମ୍‌ ଦରରେ ଚାଷୀଙ୍କ ଠାରୁ ଧାନ କିଣି ନେଇ ଯାଉଥିଲେ। ଧାନ ଅମଳର ପ୍ରାୟ ୫୦ ପ୍ରତିଶତ ବାହାର ରାଜ୍ୟକୁ ଚାଲିଯାଉଥିଲା। ତେବେ ଚଳିତବର୍ଷ ବାହାର ବ୍ୟବସାୟୀ ଜମାରୁ ଧାନ କିଣିନାହାନ୍ତି। ଚଳିତବର୍ଷ ଆନ୍ଧ୍ର ସରକାର ଅନ୍ୟ ରାଜ୍ୟର ଅଭାବୀ ଧାନକୁ ଆଣି ବିକ୍ରି କରିବା ଦିଗରେ କଟକଣା ଜାରି ରଖିଛନ୍ତି। ଯଦ୍ବାରା ବାହାର ରାଜ୍ୟରୁ ଚାଉଳ ନେଇ ଆସୁଥିବା କୌଣସି ଟ୍ରକ୍ ଜିଲ୍ଲା ସୀମାନ୍ତ ଦେଇ ଆନ୍ଧ୍ରପ୍ରଦେଶରେ ପ୍ରବେଶ କରିପାରୁନି। ଯାହାଫଳରେ ଚାଷୀ ନିକଟରେ ବର୍ତ୍ତମାନ ବହୁ ମାତ୍ରାରେ ଧାନ ମହଜୁଦ୍ ରହିଛି।

ଚଳିତବର୍ଷ ଧାନ ବିକିବା ଲାଗି ୪୭ ହଜାର ୮୨୮ ଜଣ ଚାଷୀ ନାମ ପଞ୍ଜୀକରଣ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୬ ହଜାର ୨୩୨ ଜଣ ଚାଷୀ ମଣ୍ଡିରେ ଧାନ ବିକିଥିବା ଜଣାପଡ଼ିଛି। ଗତବର୍ଷ ଭଞ୍ଜନଗର ଉପଖଣ୍ଡରେ ୧୨ ଲକ୍ଷ ୭୮ ହଜାର ୪୭୪ କ୍ବିଣ୍ଟାଲ୍ ଧାନ କ୍ରୟ କରାଯାଇଥିଲା। ଚଳିତବର୍ଷ ଉପଖଣ୍ଡରେ ଆଜି ସୁଦ୍ଧା ୧୦ ଲକ୍ଷ ‌୨୦ ହଜାର ୧୨୯ କ୍ବିଣ୍ଟାଲ୍ ଧାନ କ୍ରୟ ପାଇଁ ଟାର୍ଗେଟ୍ ଆସିଥିବା ବେଳେ ୮ ଲକ୍ଷ ୪୦ ହଜାର ୮୯୭ କ୍ବିଣ୍ଟାଲ୍‌ ଧାନ କ୍ରୟ କରାଯାଇଛି।

ଆସିକା ବ୍ଲକ୍‌କୁ ୧ ଲକ୍ଷ ୭୮, ୭୮୫ କ୍ବିଣ୍ଟାଲ୍‌ ଟାର୍ଗେଟ୍ ଆସିଥିବା ବେଳେ ୧ଲକ୍ଷ ୪୩,୬୨୮ କ୍ବିଣ୍ଟାଲ୍‌ ଧାନ କିଣା ହୋଇଛି। ସେହିପରି ବେଲଗୁଣ୍ଠାରେ ୧ ଲକ୍ଷ ୩,୨୯୮ କ୍ବିଣ୍ଟାଲ୍ ଟାର୍ଗେଟ୍‌ରୁ ୮୧,୯୯୧, ଭଞ୍ଜନଗରରେ ୧ ଲକ୍ଷ ୨୧,୯୭୮ କ୍ବିଣ୍ଟାଲ୍ ଟାର୍ଗେଟ୍‌ରୁ ୧ ଲକ୍ଷ ୨,୧୯୨, ବୁଗୁଡ଼ାରେ ୯୧,୧୦୦ କ୍ବିଣ୍ଟାଲ୍‌ ଟାର୍ଗେଟ୍‌ରୁ ୭୭,୨୯୦, ଧରାକୋଟରେ ୧ ଲକ୍ଷ ୨୬,୪୯୯ କ୍ବିଣ୍ଟାଲ୍‌ ଟାର୍ଗେଟ୍‌ରୁ ୧ଲକ୍ଷ ୯, ୪୯୫, ଜଗନ୍ନାଥପ୍ରସାଦରେ ୧ ଲକ୍ଷ ୯,୮୧୧ କ୍ବିଣ୍ଟାଲ୍ ଟାର୍ଗେଟ୍‌ରୁ ୯୩,୩୧୦, ଶେରଗଡ଼ର ୧ ଲକ୍ଷ ୨୦,୭୦୪ କ୍ବିଣ୍ଟାଲ୍ ଟାର୍ଗେଟ୍‌ରୁ ୯୪,୯୬୧ ଏବଂ ସୋରଡ଼ା ବ୍ଲକ୍‌ର ୧ଲକ୍ଷ ୬୭,୯୫୪ କ୍ବିଣ୍ଟାଲ୍ ଟାର୍ଗେଟରୁ ୧ ଲକ୍ଷ ୩୮ହଜାର ୨୭ କ୍ବିଣ୍ଟାଲ୍ ଧାନ କିଣାଯାଇଛି।

ନୂଆ ଟାର୍ଗେଟ୍ ଆସି ନଥିବାରୁ ଟୋକନ୍ ପାଇଥିବା ଚାଷୀ ଧାନ ବିକିବାକୁ ଚାତକ ପରି ଚାହିଁବସିଛନ୍ତି। ଅନ୍ୟପକ୍ଷରେ ମିଲର୍ ମାନେ ମିଲିଂ ସମୟରେ ଧାନ ଗଡ଼ି ହୋଇଯାଉଥିବା ଦର୍ଶାଇ ୧୦୦୧ କିସମର ଧାନ ନେବାକୁ ଅମଙ୍ଗ ହେବା ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ଖଳ‌ାରେ ଓ ଘର ବାରଣ୍ଡାରେ ପାଲ ଘୋଡ଼ାଇ ଅମଳ ଧାନକୁ ରଖିଛନ୍ତି। ନିଜର କଷ୍ଟ ଅର୍ଜିତ ଫସଲକୁ କିଭଳି ସୁରକ୍ଷିତ ରଖିବେ ଏଥିପାଇଁ ରାତିଦିନ ଜଗିବାକୁ ପଡ଼ୁଥିବା ଚାଷୀ ସୁବାସ ସ୍ବାଇଁ, କୃଷ୍ଣ ବିଷୋୟୀ ଓ ପ୍ରଫୁଲ ସ୍ବାଇଁ କହିଛନ୍ତି।

ସମ୍ବନ୍ଧିତ ଖବର