କଳାହାଣ୍ଡି : ଅଦିନିଆ ବର୍ଷାରେ ଭିଜୁଛି ଧାନ, ଚିନ୍ତାରେ ଚାଷୀ

ଧର୍ମଗଡ଼ ଉପଖଣ୍ଡର ୧୦୧ ମଣ୍ଡିରୁ ୮୫ ମଣ୍ଡି ବନ୍ଦ, ଭବାନୀପାଟଣା ଉପଖଣ୍ଡର ୭୪ ମଣ୍ଡିରୁ ୪୦ ମଣ୍ଡି ବନ୍ଦ,
ଖୋଲା ଆକାଶ ତଳେ ପଡ଼ିରହିଛି ୭୯ ହଜାର ୫ ଶହ ୪୭.୯୭ କ୍ୱିଣ୍ଟାଲ ଧାନ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଗତ ୧୮ ତାରିଖରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଓ ଭବାନୀପାଟଣା ଉପଖଣ୍ଡର ସମସ୍ତ ଆରଏମସି ଅଧୀନରେ ବର୍ତ୍ତମାନ ମଧ୍ୟ ହଜାର ହଜାର ବସ୍ତା ଧାନ ମଣ୍ଡିମାନଙ୍କରେ ପଡିରହିଥିବା ଦେଖିବାକୁ ମିଳୁଛି। ତେବେ ମଣ୍ଡି ଅବ୍ୟବସ୍ଥା କାରଣରୁ ଧାନଗୁଡିକ ଆଜି ପର୍ଯ୍ୟନ୍ତ ଉଠି ନଥିବା ବେଳେ ଧର୍ମଗଡ଼ ଉପଖଣ୍ଡର ୧୦୧ଟି ମଣ୍ଡି ମଧ୍ୟରୁ ଗତକାଲି ଯାଏ ୮୫ଟି ମଣ୍ଡିକୁ ବନ୍ଦ କରି ଦିଆଯାଇଛି। ସେହିଭଳି ଭବାନୀପାଟଣା ଉପଖଣ୍ଡର ୭୪ଟି ମଣ୍ଡି ମଧ୍ୟରୁ ୪୦ଟି ମଣ୍ଡିକୁ ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି। ବର୍ତ୍ତମାନ ଧର୍ମଗଡ଼ ସବଡିଭିଜନରେ ୧୬ ଗୋଟି ମଣ୍ଡି ଓ ଭବାନୀପାଟଣା ସବଡିଭିଜନରେ ୩୪ ଗୋଟି ମଣ୍ଡି ଖୋଲା ରହିଥିବା ସୂଚନା ମିଳିଛି।

କଳାହାଣ୍ଡି ଜିଲ୍ଳାର ପ୍ରାୟ ୩୦ ଗୋଟି ମଣ୍ଡିରେ ଛାଉଣିର ବ୍ୟବସ୍ଥା ଥିବା ବେଳେ ବାକି ମଣ୍ଡିଗୁଡିକ ଖୋଲା ଆକାଶ ତଳେ ରହିଛି। ଏପଟେ ଦୁଇ ଉପଖଣ୍ଡରେ ଖୋଲା ରହିଥିବା ୫୦ଟି ମଣ୍ଡିରୁ ଆଉ ୪୮ ହଜାର ୭ଶହ ୩୫.୫୮ କ୍ୱିଣ୍ଟାଲ ଧାନ ଉଠାଯିବା ପାଇଁ ଟାର୍ଗେଟ ରହିଛି। ଟୋକାନ ଟାର୍ଗେଟର ଲୁଚକାଳି ଖେଳ ଭିତରେ ଅଟକି ପଡିଛି ଧାନ ଉଠାଣ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଧର୍ମଗଡ଼ ଉପଖଣ୍ଡ ଅନ୍ତର୍ଗତ ଦାସୀଗାଁରେ ୨୨୬୪ କ୍ୱିଣ୍ଟାଲ, ତାଳପଦର ୧୬୪୨ କ୍ୱିଣ୍ଟାଲ, ଦେଦରା ୨୨୦ କ୍ୱିଣ୍ଟାଲ, କାଁକେରି ୪୦୭ କ୍ୱିଣ୍ଟାଲ, ସାନଚେରଗାଁ ୬୨୩ କ୍ୱିଣ୍ଟାଲ, ବଡ଼କାରଲାକୋଟ ୨୮୮୯.୬୯ କ୍ୱିଣ୍ଟାଲ, ମଙ୍ଗଳପୁର ୯୦୩ କ୍ୱିଣ୍ଟାଲ, ମୁଖୀଗୁଡା ୩୮୦ କ୍ୱିଣ୍ଟାଲ, ଧନସୁଲି ୧୦୫୯ କ୍ୱିଣ୍ଟାଲ, କଲମପୁର ୩୬୨୫ କ୍ୱିଣ୍ଟାଲ, ପଣ୍ଡିଗାଁ ୫୧୩୦ କ୍ୱିଣ୍ଟାଲ, ଦେପୁର ୩୬୩୭ କ୍ୱିଣ୍ଟାଲ, ବରଗାଁ ୧୫୫୨ କ୍ୱିଣ୍ଟାଲ, ଫୁପଗାଁ ୯୨୧ କ୍ୱିଣ୍ଟାଲ ଓ ଟେମ୍ରା ମଣ୍ଡିରେ ୧୫୬୧ କ୍ୱିଣ୍ଟାଲ ସମୁଦାୟ୨୬ ହଜାର ୮ ଶହ ୧୪.୯୭ କ୍ୱିଣ୍ଟାଲ ଧାନ ପଡିରହିଛି।

ଭବାନୀପାଟଣା ଉପଖଣ୍ଡ ଅଧୀନର ୩୪ ଗୋଟି ମଣ୍ଡି ମଧ୍ୟରୁ ସଗଡ଼ା ୨୨୦ କ୍ୱିଣ୍ଟାଲ, କରଳାପଡା ୧୫୦ କ୍ୱିଣ୍ଟାଲ, କାମଠଣା ୬୮୦ କ୍ୱିଣ୍ଟାଲ, କଲମ୧୬୦୦ କ୍ୱିଣ୍ଟାଲ, ଦାଦପୁର ୨୧୫୦ କ୍ୱିଣ୍ଟାଲ, ଆର୍ତ୍ତଲ ୯୪୬ କ୍ୱିଣ୍ଟାଲ, ରିଷିଡା ୧୫୫୦ କ୍ୱିଣ୍ଟାଲ, କରଲାମୁଣ୍ଡା ୧୨୦୦ କ୍ୱିଣ୍ଟାଲ, ଉତ୍କେଲା ୩୯୮୦ କ୍ୱିଣ୍ଟାଲ, ପାଷ୍ଟିକୁଡି ୪୭୦୦ କ୍ୱିଣ୍ଟାଲ, କଶ୍ରୁପଡ଼ା ୧୫୦ କ୍ୱିଣ୍ଟାଲ, କାଣ୍ଡେଲ ୩୫୦ କ୍ୱିଣ୍ଟାଲ, ବାଲସୀ ୧୦୦ କ୍ୱିଣ୍ଟାଲ, ଶିରୋଲ ୪୭୦୦ କ୍ୱିଣ୍ଟାଲ, ଗୋକୁଳେଶ୍ୱର ୧୨୦୦ କ୍ୱିଣ୍ଟାଲ, କେସିଙ୍ଗା ୨୦୦ କ୍ୱିଣ୍ଟାଲ, କନ୍ତେସିର ୧୫୦ କ୍ୱିଣ୍ଟାଲ, ଲାଞ୍ଜିଗଡ଼ ୫୧୦ କ୍ୱିଣ୍ଟାଲ, ବିଶ୍ୱନାଥପୁର ୩୫୮ କ୍ୱିଣ୍ଟାଲ, ଗୋପୀନାଥପୁର ୧୮୦ କ୍ୱିଣ୍ଟାଲ, ଚମ୍ପାଦେଇପୁର ୧୫୦ କ୍ୱିଣ୍ଟାଲ, ସିକେରକୁପା ୩୫୦ କ୍ୱିଣ୍ଟାଲ, କମର୍ଡା ୨୩୩୦ କ୍ୱିଣ୍ଟାଲ, ମୋହନଗିରି ୩୫୦୦ କ୍ୱିଣ୍ଟାଲ, ନିଶାନପୁର ୧୩୫୦ କ୍ୱିଣ୍ଟାଲ, ପଲମ୧୯୬୦ କ୍ୱିଣ୍ଟାଲ, ନର୍ଲା ୬୦୯ କ୍ୱିଣ୍ଟାଲ, ଘଣ୍ଟମାଲ ୨୦୦୦ କ୍ୱିଣ୍ଟାଲ, ମାଣ୍ଡେଲ ୩୨୦୦ କ୍ୱିଣ୍ଟାଲ, ଭୀମକେଲା ୨୫୦୦ କ୍ୱିଣ୍ଟାଲ, ଘୋଡାବନ୍ଧ ୧୭୦୦ କ୍ୱିଣ୍ଟାଲ, କୁରମେଲ ୪୦୦ କ୍ୱିଣ୍ଟାଲ, ସେରଗଡ଼ ୧୧୦୦ କ୍ୱିଣ୍ଟାଲ, ବାଲସିଙ୍ଗା ୨୫୯୦ କ୍ୱିଣ୍ଟାଲ, ରୁପ୍ରାରୋଡ଼ ୭୨୦ କ୍ୱିଣ୍ଟାଲ ଓ ସରିଆଁ ମଣ୍ଡିରେ ୩୨୦୦ କ୍ୱିଣ୍ଟାଲ ଧାନ ପଡିରହିଛି।

ସମୁଦାୟ ଏହି ଉପଖଣ୍ଡରେ ୫୨ ହଜାର ୭ ଶହ ୩୩ କ୍ୱିଣ୍ଟାଲ ଧାନ ପଡିରହିଛି। ତେବେ ଗତକାଲି ଗୁରୁବାର ରାତ୍ରିର ବର୍ଷାରେ ଖୋଲା ଆକାଶ ତଳେ ଚାଲିଥିବା ୨୦ରୁ ଅଧିକ ମଣ୍ଡିରେ ଚାଷୀଙ୍କ ହଜାର ହଜାର କ୍ୱିଣ୍ଟାଲ ଧାନ ଭିଜିଯାଇଥିବା କାରଣରୁ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି। ପାଣିପାଗ ବିଭାଗ ସୂତ୍ରରୁ ବର୍ଷାର ପୂର୍ବାନୁମାନ କରି ସତର୍କ କରାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନର ପ୍ରାକ୍‌ ପ୍ରସ୍ତୁତିରେ ଅବହେଳା କାରଣରୁ ଚାଷୀଙ୍କ ଧାନ, ମଣ୍ଡିମାନଙ୍କରେ ଭିଜିଥିବା ଅଭିଯୋଗ ହୋଇଛି। ଭିଜା ଧାନକୁ ଧରି ଚିନ୍ତାରେ ଭାଗ୍ୟକୁ ଆଦରି ମଣ୍ଡିରେ ପଡିଛନ୍ତି ଚାଷୀ।

ସମ୍ବନ୍ଧିତ ଖବର