ସୋନପୁର : ସୁବର୍ଣ୍ଣପୁର ଜିଲ୍ଳାରେ ଗତ ନଭେମ୍ବର ୨୦ ତାରିଖରୁ ଖରିଫ ଧାନ କିଣା ଆରମ୍ଭ ହୋଇଛି। ଜିଲ୍ଲାରେ ୬୨ଟି ପେକ୍ସ ଏବଂ ୩୮ଟି ମହିଳା ସ୍ବୟଂ ସହାୟକ ଗୋ‌ଷ୍ଠୀ ଦ୍ବାରା ଧାନ କ୍ରୟ କରାଯାଉଛି। ଖରିଫ ଧାନ ବିକ୍ରି ପାଇଁ ଜିଲ୍ଲାରେ ୫୫ ହଜାର ୭୦୭ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ତେବେ ଧାନ ବିକ୍ରି ପାଇଁ ଭୁବନେଶ୍ବରରୁ ଟୋକନ ବ୍ୟବସ୍ଥା କରାଯାଇଥିବାରୁ ଚାଷୀ ଅସୁବିଧାରେ ପଡ଼ିଥିବା ବେଳେ କଟ୍‌ନି ଛଟ୍‌ନି ଯୋଗୁଁ ସେମାନଙ୍କ ଚିନ୍ତା ବଢିଛି। କଟ୍‌ନି ଛଟ୍‌ନି ନହେଲେ ମିଲର୍ସମାନେ ଧାନ ଉଠାଇବାକୁ ଅମଙ୍ଗ ହେଉଥିବାରୁ ବିଭିନ୍ନ ମଣ୍ଡିରେ ଦିନ ଦିନ ଧରି ଧାନ ପଡ଼ି ରହୁଛି। ଶୀତ କାକରରେ ଚାଷୀମାନେ ନିଜର ଧାନକୁ ଜଗି ରହୁଛନ୍ତି।

Advertisment

ଜିଲ୍ଲାରେ ୪୧ଟି ମିଲର୍‌ଙ୍କୁ ଧାନ କ୍ରୟ କରିବା ପାଇଁ ଅନୁମତି ଦିଆଯାଇଛି। ଅଧିକାଂଶ ମିଲର୍ସ କ୍ବିଣ୍ଟାଲ ପିଛା ୨ରୁ ୩ କେଜି କାଟୁଥିବାର ଚାଷୀ ଅଭିଯୋଗ କରିଛନ୍ତି। କଟ୍‌ନି ଛଟ୍‌ନିକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରାଯାଉ ନାହିଁ ଯାହାକୁ ନେଇ ଚାଷୀ ମହଲରେ ବିସ୍ମୟ ପ୍ରକାଶ ପାଇଛି। ଜଳସେଚିତ ଅଞ୍ଚଳ ଡୁଙ୍ଗୁରିପାଲି ଏବଂ ବିନିକା ବ୍ଲକ ଅଞ୍ଚଳରେ ମିଲର୍ସମାନେ ସର୍ବାଧିକ କଟ୍‌ନି ଛଟ୍‌ନି କରୁଥିବା ଗୁରୁତର ଅଭିଯୋଗ ହେଉଛି। କିଛି ମିଲର୍ସ ଗାଁଗାଁରେ ଦଲାଲ ନିୟୋଜିତ କରିଛିନ୍ତି। ଏହି ଦଲାଲମାନଙ୍କ ମାଧ୍ୟମରେ ମିଲର୍ସମାନେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କଠାରୁ କମ୍‌ ମୂଲ୍ୟରେ ଧାନ କ୍ରୟ କରୁଥିବାର ଗୁରୁତର ଅଭିଯୋଗ ହୋଇଛି। ସେହିପରି ମିଲ୍‌ମାନଙ୍କୁ ବାହାରୁ ମଧ୍ୟ ଧାନ ପଶୁଥିବା ଅଭିଯୋଗ ହେଉଛି। କିନ୍ତୁ ପ୍ରଶାସନ ଏହାର ତଦନ୍ତ କରୁନଥିବାରୁ ମିଲର୍ସମାନଙ୍କ ବାସ୍ତବ ରୂପ ଲୋକଲୋଚନକୁ ଆସୁ ନାହିଁ। ଏହି ଧାନ କ୍ରୟ ଅନିୟମିତତାରେ ମିଲର୍ସ, ଯୋଗାଣ ବିଭାଗ ଏବଂ ପେକ୍ସ କର୍ମଚାରୀ ସାମିଲ ଥିବାର ମଧ୍ୟ ଗୁରୁତର ଅଭିଯୋଗ ହେଉଛି। ସୁବର୍ଣ୍ଣପୁର ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ତଥା ଏଠାକାର ଚାଷୀମାନଙ୍କ ଭାଗ୍ୟ ବିଶେଷ କରି ଖରିଫ ଧାନ ଉପରେ ନିର୍ଭର କରେ। ତେବେ ନିଜର କଷ୍ଟ ଉପାର୍ଜିତ ଧାନ ବିକ୍ରି ପାଇଁ ମଣ୍ଡିକୁ ଆସୁଥିବା ବେଳେ ସେମାନଙ୍କୁ କଟ୍‌ନି ଛଟ୍‌ନିର ଶିକାର ହେବାକୁ ପଡୁଥିବାରୁ ଏଦିଗରେ ପ୍ରାଶସନ ଆବଶ୍ୟକ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି।