ଧାରା ଶ୍ରାବଣରେ ବି ନିଅଣ୍ଟିଆ ବର୍ଷା: ବିଲ ଫାଟି ଆଁ; ୧୨ ଜିଲ୍ଲାର ସ୍ଥିତି ସଂଗିନ

ଚାଷୀଙ୍କ ଦୁଃଖ ବଢ଼ାଉଛି ସଅଳ କିସମ ବିହନ ସଙ୍କଟ

ଭୁବନେଶ୍ବର : ଧାରା ଶ୍ରାବଣରେ ଯେତେବେଳେ ଢୁ ଢୁ ବର୍ଷା ଅଜାଡ଼ିବା କଥା ଏବଂ ବିଲବାଡ଼ି ସବୁ ଜଳମଗ୍ନ ହୋଇ ରହିବା କଥା, ସେତେବେଳେ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷାର ଦେଖା ନାହିଁ। ବିଲରେ ସବୁଜ ଧାନଗଛ ବଦଳରେ ମାଟି ଫାଟି ଆଁ କଲାଣି। କିଛି କିଛି ଜିଲ୍ଲାରେ ଭଲ ବର୍ଷା ହୋଇଥିଲେ ବି ଆଉ କିଛି ଜିଲ୍ଲାରେ ନିଅଣ୍ଟିଆ ବର୍ଷା। ବର୍ଷା ଅଭାବରୁ ଅଧିକାଂଶ ଜିଲ୍ଲାରେ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଥିଲେ ‌ହେଁ, ସେଥିରୁ ୧୨ ଜିଲ୍ଲାର ସ୍ଥିତି ସଂଗିନ ରହିଛି। ଧାନତଳି ସବୁ ଜଳି ଯାଇଥିବା ବେଳେ ଚା‌ଷୀ ମୁଣ୍ଡରେ ହାତ‌ ଦେଇ ବସିଛି। ଗତ ଦୁଇ ଦଶନ୍ଧିରେ ଏତେ ନିଅଣ୍ଟିଆ ବର୍ଷା କେବେ ହୋଇନଥିବା କୃଷି ବିଶେଷଜ୍ଞମାନେ କହୁଛନ୍ତି। ଆସନ୍ତା ୧୫ ତାରିଖ ସୁଦ୍ଧା ବର୍ଷା ନହେଲେ ସ୍ଥିତି ଆହୁରି ଗମ୍ଭୀର ହୋଇ ମରୁଡ଼ି ହୋଇଯିବ।

ରାଜ୍ୟ କୃଷି ବିଭାଗର ସୂଚନା ଅନୁସାରେ, ଚଳିତ ଖରିଫରେ ରାଜ୍ୟରେ ୬୧ ଲକ୍ଷ ୯୬ ହଜାର ୨୨୦ ହେକ୍ଟର ଜମିରେ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏଥିରୁ ୩୫ ଲକ୍ଷ ହେକ୍ଟର ଧାନ ଚାଷ କରାଯାଉଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ୨୪ ଲକ୍ଷ ୬୮ ହଜାର ୧୬୫ ହେକ୍ଟର ଜମିରେ ବେଉଷଣ ହୋଇଛି। ବର୍ଷା ଅଭାବରୁ ଅବଶିଷ୍ଟ ୧୧ ଲକ୍ଷ ହେକ୍ଟର ଜମିରେ ଚାଷ କାର୍ଯ୍ୟ ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଛି। ଅନୁଗୁଳ, ବଲାଙ୍ଗୀର, ବୌଦ୍ଧ, ଗଜପତି, ଭଦ୍ରକ, ଢେଙ୍କାନାଳ, ଗଜପତି, ଗଂଜାମ, କେନ୍ଦୁଝର, ଯାଜପୁର, ରାୟଗଡ଼ା, ସମ୍ବଲପୁର, କଳାହାଣ୍ଡି ଆଦି ୧୨ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ଏହିସବୁ ଜିଲ୍ଲାର ୨୦ଟି ବ୍ଲକ୍‌ରେ ୬୦ ପ୍ରତିଶତରୁ କମ ବର୍ଷା ହୋଇଛି। ବିଲ, ପୋଖରୀ ସବୁ ଶୁଖିଲା ପଡ଼ିଛି। ଏମିତି ‌ବେଳରେ ଅଚଳ ଉଠାଜଳସେଚନ ଚାଷୀଙ୍କୁ ଅଧିକ ଅସହାୟ କରିଛି। ତେଣୁ ଧାନଚାଷ ଯେଉଁଭଳି ଅବସ୍ଥାକୁ ଆସିଲାଣି; ସ୍ବଳ୍ପକାଳୀନ ଯୋଜନା ପ୍ରସ୍ତୁତ ଲାଭ ହେବ ନାହିଁ। ବରଂ ସରକାରଙ୍କ ପକ୍ଷରୁ ଦୀର୍ଘକାଳୀନ ଯୋଜନାକୁ ଗୁରୁତ୍ବ ଦେବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି।

ତେବେ ନିଅଣ୍ଟିଆ ବର୍ଷା ସତ୍ତ୍ବେ ଚାଷୀ ଅଗଷ୍ଟ ଶେଷ ସପ୍ତାହ ପର୍ଯ୍ୟନ୍ତ ମଧ୍ୟ ବେଉଷଣ ପାଇଁ ଅପେକ୍ଷା କରି ରହିଛି। କୌଣସି ପ୍ରକାର ପାଣି ବ୍ୟବସ୍ଥା କରି ଧାନ ବୁଣି ଦେବାକୁ ଚିନ୍ତା କରୁଛି। ମାତ୍ର କୃଷି ବିଭାଗ ପାଖରେ ସଅଳ କିସମ ବିହନ ନ ଥିବାରୁ ସମସ୍ୟା ସୃଷ୍ଟି ହେବ ବୋଲି କୁହାଯାଉଛି। ଅନ୍ୟଦିଗରେ ଅଗଷ୍ଟ ୧୭ ତାରିଖ ପରେ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଭଳି ହେଲେ, କିଛି ଅଞ୍ଚଳରେ ଫସଲ ବଞ୍ଚି ଯାଇପାରେ ବୋଲି ଆଶା କରାଯାଉଛି।

ଅଗଷ୍ଟ ଶେଷ ସୁଦ୍ଧା ବର୍ଷା ନହେଲେ, ଧାନ ରୁଆ କାର୍ଯ୍ୟ ବନ୍ଦ କରି ଦେଇ ଅଣଧାନକୁ ଗୁରୁତ୍ବ ଦେବାକୁ ଓୟୁଏଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସ୍ତାବ ଦିଆଯାଇଛି। ଅନ୍ୟପକ୍ଷରେ ବର୍ଷା ଅଭାବରୁ ରାଜ୍ୟରେ ଫସଲହାନି ସ୍ଥିତି ନେଇ ରାଜ୍ୟ କୃଷି ବିଭାଗ ଏବଂ କୃଷି ବିଜ୍ଞାନ କେନ୍ଦ୍ର ମିଳିତ ଭାବରେ ରିପୋର୍ଟ ଦାଖଲ ପାଇଁ ନିର୍ଦେଶ ହୋଇଛି। ଜିଲ୍ଲାସ୍ତରରେ ଏ ସଂକ୍ରାନ୍ତରେ ସର୍ଭେ ଆରମ୍ଭ ଯାଇଛି ଏବଂ ଖୁବଶୀଘ୍ର ଏହି ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।

ବର୍ତ୍ତମାନର ବର୍ଷା ସ୍ଥିତିକୁ ଦେଖି ଓୟୁଏଟି ପକ୍ଷରୁ ଚାଷୀଙ୍କ ପାଇଁ ପରାମର୍ଶ ଜାରି କରାଯାଇଛି। ଓୟୁଏଟିର କୃଷି ଗବେଷକ ତୁଷାର ରଂଜନ ମହାନ୍ତି କହିଛନ୍ତି; ଜୁନ ୧ତାରିଖରୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୨୮ ପ୍ରତିଶତ କମ୍‌ ବର୍ଷା ହୋଇଛି। ଅଗଷ୍ଟ ମାସରେ ବର୍ଷା ହେବାର ଆଶା ଥିଲା। ମାତ୍ର ବର୍ତ୍ତମାନ ସୁଦ୍ଧା ତାହା ହୋଇନଥିବାରୁ ଧାନରୁଆ କାର୍ଯ୍ୟ ବିଳମ୍ବିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ସେ ପରାମର୍ଶ ଦେଇଛନ୍ତି ଯେ ଢିପଜମିରେ ଧାନ ନଷ୍ଟ ହୋଇ ଯାଇଛି। ସେଠି ଆଉ ଧାନଚାଷ ନକରିମୁଗ, ବିରି, ମାଣ୍ଡିଆ, ରାଶି, ପରିବା, ଝୁଡ଼ଙ୍ଗ, ମୂଳା, ଭେଣ୍ଡି, ବିନ୍‌ସ ଭଳି ଅଣଧାନ ଫସଲ କରିବା ଉଚିତ। କେନ୍ଦୁଝର, କୋରାପୁଟ, ଫୁଲବାଣୀ ଭଳି ଯେଉଁଠି ଥଣ୍ଡା ଶୀଘ୍ର ପଡ଼େ; ସେଠି ସଅଳ କିସମ ଫୁଲକୋବି, ଟମାଟୋ ଚ‌ା‌ଷ କରିବାକୁ ସେ ପରାମର୍ଶ ଦେଇଛନ୍ତି। ତେବେ ମଧ୍ୟମ ଏବଂ ଖାଲୁଆ ଜମିରେ ଧାନ ୫୦ ପ୍ରତିଶତ ନଷ୍ଟ ହୋଇଥିଲେ; ସେଠାରେ ୧୪୦ରୁ ୧୫୦ ଦିନିଆ ଧାନ ନ କରି ୧୧୦ ଦିନିଆ ଧାନ କରିବା ଉଚିତ। ଅଗଷ୍ଟ ୧୫ ତାରିଖ ସୁଦ୍ଧା ୫୦ ପ୍ରତିଶତ ଫସଲ ବଞ୍ଚି ରହିଥିଲେ, ବର୍ଷା ହେବାକୁ ଅପେକ୍ଷା କରିବାକୁ ହେବ। ବର୍ତ୍ତମାନ ସ୍ଥିତିରେ ନାଇଟ୍ରୋଜେନ ସାର ଚାଷୀକୁ ଅଧିକ ଦେବାକୁ ପଡ଼ିବ। ଶ୍ରୀ ମହାନ୍ତି ଆହୁରି କହିଛନ୍ତି ଯେ ଉପକୂଳବର୍ତ୍ତୀ ଓଡ଼ିଶାରେ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ଚାଷୀ ଧାନ ରୋଇ ଥାଆନ୍ତି। ତେଣୁ ଅଗଷ୍ଟ ଶେଷ ସୁଦ୍ଧା ବର୍ଷା ହେଲେ ଉପକୂଳବର୍ତ୍ତୀ ଜିଲ୍ଲାର ସମସ୍ୟା ଟଳିଯିବ ବୋଲି ଆଶା ରହିଛି। ତେବେ ଚାଷର ସ୍ଥିତି ପ୍ରତି ବର୍ତ୍ତମାନ ସମୟରୁ ଗୁରୁତ୍ବ ନ ଦେଲେ ବଡ଼ ବିପର୍ଯ୍ୟୟ ସୁନିଶ୍ଚିତ।

ସମ୍ବନ୍ଧିତ ଖବର