ଜୟପୁର : ପମ୍ପ ଲଗାଇ ତଳି ରୋଇଲେ କିନ୍ତୁ ଦିନ କେଇଟା ପରେ ଉଜୁଡି ଗଲା ଚାଷ। ପାଣି ଅଭାବରୁ ମାଟି ଫାଟି ଆଁ କରିଥିବାବେଳେ ଲଗାଯାଇଥିବା ତଳି ମରିଗଲାଣି। ଏକର କି ଦୁଇ ଏକର ନୁହେଁ ପ୍ରାୟ ଗୋଟିଏ ଗାଁର ହଜାର ହଜାର ଏକର ଜମି ଫାଟି ଆଁ କରିଛି। ଗାଁ ଦେଇ କେନାଲ ଯାଇଛି ସତ ହେଲେ ଜଳସେଚନ ବ୍ୟବସ୍ଥା ହୋଇ ନ ଥିବାରୁ ଗାଁକୁ ମାଡୁନି ଜଳ। ଫଳରେ ପାଣି ଅଭାବରୁ କିଛି ଜାଗାରେ ଅଧାରେ ଚାଷକାମ ପଡ଼ିଥିବାବେଳେ କିଛି ଗାଁରେ ମାଟି ଫାଟି ଆଁ କରିଥିବା ଦେଖିବାକୁ ମିଳିଛି । ଶ୍ରାବଣ ମାସରେ ବର୍ଷାର ଦେଖା ନ ଥିବାରୁ ମୁଣ୍ଡରେ ହାତ ଦେଇ ପ୍ରମାଦ ଗଣିଲାଣି ଚାଷୀ। ।

Advertisment

publive-image

ଚଳିତବର୍ଷ ଠିକ୍ ସମୟରେ ମୌସୁମୀ ଆସିଥିଲା ବେଳେ ଭଲ ଚାଷ ହେବ ଆଶା ରଖିଥିଲା ଚାଷୀ। ହେଲେ ଏବେ ସ୍ବଳ୍ପ ବର୍ଷା ଯୋଗୁଁ ଚାଷଜମି ଫାଟି ଆଁ କଲାଣି । କୋରାପୁଟ ଜିଲ୍ଲା ଜୟପୁର ବ୍ଲକରେ ପାଣି ଅଭାବ ହେତୁ ଚାଷୀଙ୍କ ଚିନ୍ତା ବଢାଇଛି । ରୁଆ ହୋଇଥିବା ଧାନ ତଳି ମରିଯାଇଥିବା ବେଳେ ଧରକରଜ ସହ ହାତଉଧାରୀ କରି ଚାଷ କରିଥିବା ଅଭାବୀ ଚାଷୀଙ୍କ ଚିନ୍ତା ବଢାଇଛି। ଅନ୍ୟପକ୍ଷରେ ଆଷାଢ ଯାଇ ଶ୍ରାବଣ ହେଲାଣି ହେଲେ ଦକ୍ଷିଣ ଓଡ଼ିଶାର ଚେରାପୁଞ୍ଜୀ କୁହାଯାଉଥିବା ଜୟପୁରରେ ବର୍ଷାର ଦେଖା ନାହିଁ । କୋରାପୁଟ ଜିଲ୍ଲା ଜୟପୁର ବ୍ଲକର କେବିଡି, ପୁଶପୁରୀ, ବାଟଜଗନ୍ନାଥପୁର, ମୂଳାସର, ଗଡପଦର, ବାଲିଆ, ଟାଙ୍କୁଆ ଆଦି ସ୍ଥାନରେ ସମାନ ଅବସ୍ଥା ଦେଖିବାକୁ ମିଳିଛି । ବର୍ତ୍ତମାନ ଧାନତଳି ରୋପଣ କାର୍ଯ୍ୟ ଶେଷ ହୋଇ ବେଉଷଣ ହେବା କଥା, ହେଲେ ଚାଷଜମିରେ ପାଣି ନଥିବାରୁ ଏହା କରି ନ ପାରି ହାତବାନ୍ଧି ବସିଛନ୍ତି ଚାଷୀ । କିଛି ଚାଷୀ ଗତ ୧୨ ଦିନ ହୋଇଥିବା ବର୍ଷାରେ କାଦୁଅ କରି ତୋଳି ରୋପଣ କରିଥିବାବେଳେ ତାହା ଏବେ ପାଣି ନ ଥିବାରୁ ମରିଯାଉଥିବା ଦେଖିବାକୁ ମିଳିଛି। କିଛି ସ୍ଥାନରେ ଚାଷୀ ମଟର ପମ୍ପ ସାହାଯ୍ୟରେ ତ ଆଉ କିଏ ପାଣି ଟେକି ଚାଷଜମିରେ ପାଣି ମଡାଇ ଚାଷ କରୁଥିବାବେଳେ ନିକଟରେ ଥିବା ନଦୀରୁ ପାଣି ଶୁଖିଯାଇଛି । ପୂର୍ବରୁ କରୋନା କଟକଣା ପାଇଁ ଚାଷୀ ଘରେ ବସିରହିଥିବା ବେଳେ ଏବେ ପୁଣି ସ୍ବଳ୍ପ ବର୍ଷା ଅଭାବ ଚାଷୀଙ୍କ ଚିନ୍ତାକୁ ଦ୍ବିଗୁଣିତ କରିଛି । ଏଭଳି ସ୍ଥିତିରେ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ଚାଷୀକୂଳ । ଧରା ଶ୍ରାବଣରେ ବର୍ଷାର ଦେଖାନଥିବା ବେଳେ ପାଣି ଅଭାବ ସମସ୍ୟା ଦେଖାଦେଇଛି। ଏବେ ପ୍ରଶାସନ ପକ୍ଷରୁ ଚାଷୀଙ୍କ ଜମିକୁ ପାଣି ଯୋଗାଯିବା ବ୍ୟବସ୍ଥା କରାଯିବା ଜରୁରୀ ହୋଇପଡିଛି ।

publive-image

ଅନ୍ୟପକ୍ଷରେ ସରକାରୀ ତଥ୍ୟ ଅନୁସାରେ ଜୟପୁର ବ୍ଲକରେ ୧୫୮୮୦ ହେକ୍ଟର ଜମିରୁ ୧୦୨୮୪ହଜାର ହେକ୍ଟର ଜମିରେ ଚାଷ କରାଯାଇଛି। ଗତବର୍ଷ ଏହି ସମୟରେ ପ୍ରାୟ ୫୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଥିବାବେଳେ ଏବେ ପାଖାପାଖୀ ୬୫ ପ୍ରତିଶତ ଚାଷ କାର୍ଯ୍ୟ ଶେଷ ହୋଇଛି। ଯେଉଁଠାରେ କେନାଲ ପାଣିର ବ୍ୟବସ୍ଥା ରହିଛି ସେଠାରେ ଚାଷ ଆଗେଇ ଚାଲିଥିବାବେଳେ ଯେଉଁଠାରେ ପାଣିର ସୁବିଧା ନାହିଁ ସେଠାରେ ମାଟି କାମୁଡିଛି ଚାଷ। ଯେଉଁଠାରେ ଚାଷ ହୋଇଛି ସେଠାରେ ସ୍ବଳ୍ପ ବର୍ଷାହେତୁ ମାଟି ଫାଟି ଆଁ କରିଥିବାରୁ ଚାଷୀ ମୁଣ୍ଡରେ ଚଡକ ପଡିଲାଣି। ଅନ୍ୟପକ୍ଷରେ ଗତ ସପ୍ତାହକ ମଧ୍ୟରେ ଜୟପୁର ସହର ତାପମାତ୍ରା ୨୭ଡିଗ୍ରୀରୁ ଅଧିକ ରହୁଛି। ଧରାଶ୍ରାବଣରେ ଅନୁଭୂତ ହେଉଛି ଗ୍ରୀଷ୍ମର ତାତି। ଫଳରେ ଜନଜୀବନ ନାହିଁ ନ ଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି।

publive-image

ଏନେଇ ପୁଶପୁରୀର ଚାଷୀ ମୁକୁନ୍ଦ ଜାନି କହିଛନ୍ତି ଯେ ପୂର୍ବରୁ ହୋଇଥିବା ବର୍ଷା ଓ ପମ୍ପ ଲଗାଇ ୫ ଏକର ଜମିରେ ତଳି ରୋଇଦେଲୁ। ଏବେ ଦୀର୍ଘ ଦିନ ବର୍ଷ ହୋଇ ନ ଥିବାରୁ ତଳି ସବୁ ମରି ଗଲାଣି। ଧାରକରଜ ଓ ହାତ ଉଧାରୀ ଆଣି ଚାଷ କରିଥିଲି ଏବେ ଧାନ ମରିଯିବାରୁ ଋଣ କିପରି ସୁଝିବି ତାହାକୁ ନେଇ ଚିନ୍ତା ବଢିଛି। ଗତ ଋତୁରେ କରୋନା ହେତୁ ବହୁ ସମସ୍ୟା ହୋଇଥିଲା। ସେତେବେଳେ ଧାନ ବିକ୍ରି ପଇସାକୁ ଋଣ ସୁଝି ଏବେ ଚାଷ କରୁଥିବବେଳେ ଏପରି ସ୍ଥିତି ବୋଝ ଉପରେ କରୋଡା ମାଡ ଭଳି ହୋଇଛି। ଗାଁ ନିକଟରେ କେନାଲ ଯାଇଥିବାଳେବ ଗାଁକୁ କେନାଲ ସୁବିଧା ହୋଇନାହିଁ। ଏହାସହ ନିକଟରେ ଥିବା ନଦୀରେ ପାଣି ନଥିବାରୁ ପମ୍ପ ଲଗାଇ ପାଣି ମଡାଇ ହେଉନି। ଏନେଇ କୃଷି ବିଭାଗ ଓ ବ୍ଲକ କତ୍ତୃପକ୍ଷଙ୍କୁ କହିଥିଲୁ କିନ୍ତୁ ଏବେଯାଏ କିଛି ସୁବିଧା ହୋଇପାରି ନାହିଁ ବୋଲି ସେ କହିଛନ୍ତି।

ଏନେଇ ସହକାରୀ କୃଷି ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବୁରୁଡି କହିଛନ୍ତି ଯେ ଆଜି ଯେଉଁ ରିପୋର୍ଟ ଜିଲ୍ଲା ସ୍ତରକୁ ପାଠାଯାଇଛି ସେଥିରେ ୧୫ ହଜାର ହେକ୍ଟର ଜମିରେ ଚାଷ ହୋଇଥିବା ଉଲ୍ଲେଖ ରହିଛି। ଗତବର୍ଷ ଏହି ସମୟରେ ପ୍ରାୟ ୫୦ ପ୍ରତିଶତ ଚାଷ କାର୍ଯ୍ୟ ଶେଷ ହୋଇଥିଲା। କିନ୍ତୁ ଚଳିତବର୍ଷ ସ୍ବଳ୍ପ ବର୍ଷା ହେତୁ ଚାଷ କାର୍ଯ୍ୟ ବିଳମ୍ବ ହୋଇଛି। ଯେଉଁଠାରେ ଜଳ ସେଚନର ବ୍ୟବସ୍ଥା ହୋଇନାହିଁ ସେଥିନେଇ ଜିଲ୍ଲାସ୍ତରୀୟ କର୍ମକର୍ତ୍ତାଙ୍କୁ ଅବଗତ କରାଯାଇଛି ବୋଲି ସେ କହିଛନ୍ତି।