ରୁଆ ବିଲ ଫାଟି ଆଁ କଲାଣି

ବାଲିଅନ୍ତା: ଧାରା ଶ୍ରାବଣର ଅଧା‌ରୁ ଅଧିକ ବିତିଗଲାଣି। ମାତ୍ର ବର୍ଷାର ଧାରା ନାହିଁ। ଗହୀରରେ ପାଣି ନଥିବାରୁ ଅଧିକାଂଶ ଜମିରେ ରୁଆ ବେଉଷଣ ଆରମ୍ଭ ହୋଇନାହିଁ। ଯେତିକି ଜମିରେ ତଳି ରୁଆ ହୋଇଥିଲା, ସେସବୁ ଫାଟି ଆଁ କଲାଣି। ରୁଆ ହୋଇଥିବା ତଳି ପାଚିବାକୁ ବସିଲାଣି। ବର୍ଷା ହେଉନି କି କେନାଲରେ ପାଣି ଆସୁନି। ଏମିତି ଅବସ୍ଥାରେ ଚାଷୀ ସବୁ ଦିଗରୁ ହତାଶ। ମୁଣ୍ଡରେ ହାତ ଦେଇ ବସିବା ଛଡ଼ା ଚାଷୀ ପାଖରେ ବିକଳ୍ପ ନାହିଁ। ତୁରନ୍ତ କେନାଲରେ ପାଣି ନ ଆସିଲେ, ଭାତହାଣ୍ଡି ଉଜୁଡ଼ିବା ନିଶ୍ଚିତ।

ଗତ ଚାରି ଦିନ ହେଲା ଅସରାଏ ବର୍ଷା ନାହିଁ। ମୁଣ୍ଡଫଟା ଖରା ହେଉଛି। ଚଳିତ ବର୍ଷର ସ୍ବଳ୍ପ ବୃଷ୍ଟିରେ ଯେତିକି ଜମିରେ ରୁଆ ବେଉଷଣ ହୋଇଥିଲା, ସେଥିରେ ଆଉ ପାଣି ନାହିଁ। ରୁଆ ଜମି ଶୁଖିଲା ପଡ଼ିଥିବାରୁ ଧାନ ଗଛ ଝାଉଁଳି ଗଲାଣି। ବହୁ ରୁଆ ବିଲ ଫାଟି ଆଁ କରିଥିବା ବେଳେ ତଳି ପାଚି ହଳଦିଆ ପଡ଼ିଗଲାଣି। ପୁଣି ନିକଟରେ ବର୍ଷା ନାହିଁ ବୋଲି କୁହାଯାଉଛି। ଅଗଷ୍ଟ ୬ ତାରିଖ ପରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳୁଛି।

ମାତ୍ର ବର୍ତ୍ତମାନର ଅବସ୍ଥା ଯାହା ସେତେବେଳକୁ ରୁଆ ଜମିରେ ବହୁ ଧାନଗଛ ମରିଯାଇଥିବ। ତେଣୁ ଏବେ ଭରସା କେନାଲ। ମାତ୍ର କେନାଲ ମଧ୍ୟ ଶୁଖିଲା ପଡ଼ିଛି। ପଟୁପଡ଼ା ଡିଷ୍ଟ୍ରିବ୍ୟୁଟାରି କେନାଲର ଅଧିକାଂଶ ଶାଖା କେନାଲରେ ପାଣି ନାହିଁ। ଏହି କେନାଲ ଉପରେ ଶହ ଶହ ହେକ୍ଟର ଚାଷ ଜମି ନିର୍ଭର କରୁଛି। ବ୍ରାହ୍ମଣସୁଆଁଲୋ, ରଣପୁର, ସରକଣା, ଉପରମୁଣ୍ଡସାହି, ଲୁଣା, ଅଞ୍ଜିରା, କଇଁଜଙ୍ଗା ଓ ଭାରତିବାଗ, ମାଣିଆ ଭୋଇସାହି, ବିରିବାଟି ଭୋଇସାହି, ବାଲିଗୁଣ୍ଡି ଆଦି ଶାଖା କେନାଲରେ ପାଣି ନାହିଁ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଉକ୍ତ କେନାଲ ପରିତ୍ୟକ୍ତ ହୋଇପଡ଼ିଥିବାରୁ ପାଣି ତଳମୁଣ୍ଡରେ ପହଞ୍ଚି ପାରୁନାହିଁ। ଏସଂପର୍କରେ ସ୍ଥାନୀୟ ଜଳସମ୍ପଦ ସହକାରୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ।

ସମ୍ବନ୍ଧିତ ଖବର