ଯାଜପୁର : ରାଜ୍ୟ ସରକାରଙ୍କର ଖାଦ୍ୟ ଯୋଗାଣ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍କ୍ବାଡ୍ ଦ୍ବାରା ଯାଜପୁର ଜିଲ୍ଲାରେ ୧୧ଟି ଧାନମଣ୍ଡିରେ ୪ କୋଟିରୁ ଅଧିକ ଟଙ୍କାର ଧାନ ହଡ଼ପ ଧରାପଡ଼ିଲା। ଏହି ଅସାଧୁ କାରବାରରେ ସମ୍ପୃକ୍ତ ୧୦ଟି ପ୍ୟାକ୍ସ ଓ ଗୋଟିଏ ମହିଳା ଏସଏଚଜିର ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ଅଧିକାରୀ ଅତି ଜରୁରି ଚିଠିରେ ନିର୍ଦ୍ଦେଶ ଦେଇଥିଲେ। ଗତ ମାସ ଜୁନ୨୮ତାରିଖ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାର ଏଆରସିଏସଙ୍କୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ଆରସିଏସ। ଅଥଚ କାର୍ଯ୍ୟାନୁଷ୍ଠାନ ଦୂରକଥା ୨ଦିନ ତଳେ ଏଆରସିଏସ ଶରତ ଚନ୍ଦ୍ର ମଲ୍ଲିକ ପ୍ୟାକ୍ସର ନୂତନ ଭାବେ ନିର୍ବାଚିତ ସଭାପତିଙ୍କୁ ଚିଠି ଲେଖିଥିବା ପ୍ରକାଶ କରିଛନ୍ତି। ତେବେ; କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ଚିଠି ଲେଖିବା ପଛରେ କି ଉଦ୍ଦେଶ୍ୟ ନିହିତ ରହିଛି, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ରାଜ୍ୟରେ ଚାଉଳର ରି-ସାଇକ୍ଲିଂ କାରବାରରେ କୋଟିକୋଟି ଟଙ୍କା ରାଜକୋଷରୁ ଲୁଟ୍ ଚାଲିଛି। ଏହି କାରବାରକୁ ଏକ ରୢାକେଟ ଯୋଜନାବଦ୍ଧ ଭାବେ ନିୟନ୍ତ୍ରଣ କରୁଛି। ଧାନ କିଣାବିକାଠାରୁ ଆରମ୍ଭକରି ରାସନ ଚାଉଳ ବଣ୍ଟନ ପର୍ଯ୍ୟନ୍ତ ଏହି ରୢାକେଟର ଚେର ଲମ୍ବିଛି। ଚାଷୀମାନଙ୍କଠାରୁ ଧାନ ନକିଣି କାଗଜପତ୍ରରେ (ପେପର ଟ୍ରାଞ୍ଜାକସନ୍) ମଧ୍ୟ କୋଟିକୋଟି ଟଙ୍କା ରାଜକୋଷରୁ ହଡ଼ପ ଚାଲିଛି ବୋଲି ବାରମ୍ବାର ଅଭିଯୋଗ ହୋଇଆସୁଛି। ଗତ ୩ ମାର୍ଚ୍ଚ ୨୦୨୨ ରେ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ଯୋଗାଣ ବିଭାଗର ତଦନ୍ତକାରୀ ଦଳ, ଜିଲ୍ଲା ଯୋଗାଣ ଅଧିକାରୀ ଓ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ (ଏଆରସିଏସ) ଶ୍ରୀ ମଲ୍ଲିକ ପ୍ରମୁଖ ଧାନମଣ୍ଡି ତନଖି କଲେ। ୧୦ ଜଣ ପ୍ୟାକ୍ସ ସମ୍ପାଦକ ଓ ଗୋଟିଏ ମହିଳା ଏସ୍ଏଚ୍ଜିର ମଣ୍ଡିରେ ୨୦ ହଜାର ୬୯୭ କୁଇଣ୍ଟାଲ ୩୪ କିଗ୍ରା ଧାନ ଚାଷୀଙ୍କଠାରୁ କିଣାନଯାଇ ମିଥ୍ୟା କାଗଜପତ୍ର କରାଯାଇଥିଲା। ଯାହାକି ସମ୍ପୃକ୍ତ ସମ୍ପାଦକମାନେ ତଦନ୍ତ ବେଳେ ସ୍ଵୀକାର କରିବା ସହିତ ଲିଖିତ ଭାବେ ତଦନ୍ତକାରୀ ଟିମ୍ଙ୍କୁ ଜଣାଇଥିଲେ। ଏହି ଜାଲିଆତି କାରବାରକୁ ଭିତ୍ତିକରି ୧୦ ପ୍ୟାକ୍ସ ଓ ଗୋଟିଏ ମହିଳା ଏସଏଚ୍ଜିର କର୍ମକର୍ତ୍ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଗାଣ ବିଭାଗ ସମବାୟ ବିଭାଗକୁ ଚିଠି ଲେଖିଥିଲେ।
ସମବାୟ ବିଭାଗର ଆରସିଏସ୍ ମଧ୍ୟ ଗତ ମାସ ଜୁନ ୧୩ତାରିଖରୁ ଯାଜପୁର ଏଆରସିଏସ୍ ଶରତ ଚନ୍ଦ୍ର ମଲ୍ଲିକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୧୫ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ପାଇଁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଯାହାର ସମୟ ସୀମା ଗତ ମାସ ୨୮ତାରିଖ ଥିଲା। ଯାଜପୁର ଏଆର୍ସିଏସ ଶ୍ରୀ ମଲ୍ଲିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ପ୍ୟାକ୍ସ ନିର୍ବାଚନ ଆଳ ଦେଖାଇ ବସିଲେ। ଏପରିକି ତଦନ୍ତ ରିପୋର୍ଟ ବିଭ୍ରାନ୍ତ ବୋଲି କହି କାର୍ଯ୍ୟାନୁଷ୍ଠଶନ ବଦଳରେ ପ୍ୟାକ୍ସଗୁଡ଼ିକୁ କାରଣ ଦର୍ଶାଅ ନୋଟିସ୍ କରାଯିବ ବୋଲି ଏଆରସିଏସ ଶ୍ରୀ ମଲ୍ଲିକ ଗତମାସରେ କହିଲେ। ଏବେ ଶ୍ରୀ ମଲ୍ଲିକ ୨ଦିନ ତଳେ ନୂତନ ଭାବେ ନିର୍ବାଚିତ ହୋଇଥିବା ପ୍ୟାକ୍ସ ସଭାପତିମାନଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଥିବା ‘ସମ୍ବାଦ’କୁ କହିଛନ୍ତି। ଯାହାକି ରାଜ୍ୟ ସରକାରଙ୍କ ତଦନ୍ତ ରିପୋର୍ଟକୁ ପ୍ରହସନରେ ପରିଣତ କରିବା ସହିତ ଅସାଧୁ କର୍ମଚାରୀମାନଙ୍କୁ ବେଶ୍ ସୁହାଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଦୁର୍ନୀତି ତଦନ୍ତକୁ ଚାପିବା ପାଇଁ ହୋଇଥିବା ଭିତିରି ରହସ୍ୟ ଉନ୍ମୋଚିତ ହୋଇପାରିବ। ଚାଷୀଙ୍କ ନାମରେ ୪କୋଟି ଟଙ୍କା ଧାନ ହଡ଼ପ କରିଥିବା ଅସାଧୁ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରିବ ବୋଲି ଚାଷୀମାନେ ମତବ୍ୟକ୍ତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/paddy-balasore.jpg)