ତୁଟୁନି ମଣ୍ଡି ବିବାଦ, ଉଠୁନି ଧାନ

ଜୟପୁର : ଜୟପୁର ଉପଖଣ୍ଡରେ ମଣ୍ଡି ଖୋଲିଛି କିନ୍ତୁ କିଣାବିକା ହୋଇପାରୁନି। ଏଫଏକ୍ୟୁ ବିବାଦ ପାଇଁ ଦ୍ୱିତୀୟ ଦିନ ପାଇଁ ଆଜି ମଣ୍ଡିରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଗୋଟିଏ କି ଦୁଇଟି ମଣ୍ଡି ନୁହଁ ୨୧ଟି ମଣ୍ଡିରେ ଦ୍ୱିତୀୟ ଦିନ ପାଇଁ ମୁଠାଏ ବି ଧାନ କିଣାବିକା ହୋଇପାରିନି। ମଣ୍ଡିକୁ ଆସୁଥିବା ଧାନ ଏଫଏକ୍ୟୁ ମାନର ନୁହେଁ ବୋଲି ଲ୍ୟାମ୍ପସ ଏବଂ ମିଲର୍ସ କହୁଥିବା ବେଳେ ଚାଷୀମାନେ ମଧ୍ୟ ଧାନ ନକାଟିବା ଜିଦ୍‌ରେ ଅଟଳ ରହିଥିବାରୁ ବିବାଦ ଜଟିଳ ରୂପ ନେଇଛି। ଆଜି ଜୟପୁର, କାଳିଆଗାଁ, ଡଙ୍ଗରଛିଞ୍ଚି, କୁମୁଲିପୁଟ, ଜୟନ୍ତୀଗିରି, ବୈପାରୀଗୁଡା, ରାମଗିରି, ବାଲିଗାଁ, ଡଙ୍ଗରପାଉସୀ, ଲିମା, କମରା, ହର୍ଦ୍ଦଳୀ, ତରାଭଟା, କୁମୁଲି, ପୋଡାପଡର, କୋଟପାଡ, ବତାସନା,ବବେୟା ଓ ଡଙ୍ଗରୀ ମଣ୍ଡିକୁ ବହୁଚାଷୀ ହଜାର ହଜାର କ୍ୱିଣ୍ଟାଲ ଧାନ ଧରି ଆସିଥିଲେ ମଧ୍ୟ ଏହା ବିକ୍ରି ହୋଇପାରି ନାହିଁ। ଫଳରେ କେତେକ ଚାଷୀ ମଣ୍ଡିରେ ଧାନ ଗଦା କରି ଶୀତ କାକରରେ ପଡି ରହିଥିବା ବେଳେ ଅନ୍ୟ କେତେକ ଚାଷୀ ପୁଣି ଧାନ ସବୁ ଫେରାଇ ନେଇଛନ୍ତି। ଛତିଶଗଡ଼ ବେପାରୀମାନେ କ୍ୱିଣ୍ଟାଲ ପିଛା ୧୪୫୦ ଟଙ୍କା ଦେଇ ଧାନ କିଣୁ ଥିବାରୁ ବହୁ ଚାଷୀ ମଣ୍ଡି ଝମେଲାରେ ନପଡି ଛତିଶଗଡ଼ ବେପାରୀଙ୍କୁ ବିକ୍ରି କରି ଦେଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର