ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଧାନର ଉତ୍ପାଦନ ଯେତିକି ବୃଦ୍ଧି ପାଇବାରେ ଲାଗିଛି ମଣ୍ଡିରେ ଚାଷୀଙ୍କ ପାଇଁ ଅଡ଼ୁଆ ବୃଦ୍ଧି ପାଇବାରେ ଲାଗିଛି। ଏଫଏକ୍ୟୁ ଧାନକୁ ମଧ୍ୟ କଟନିଛଟନି କରାଯାଉଥିବାରୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ପ୍ରାପ୍ତ ସୂଚନାରୁ ପ୍ରକାଶ କଳାହାଣ୍ଡି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୨୪ ଲକ୍ଷ ୪୦ ହଜାର ୯୦୦ କୁଇଣ୍ଟାଲ ଧାନ ଉଠାଣ ପାଇଁ ଟାର୍ଗେଟ ଅଛି। ଗତକାଲି ପର୍ଯ୍ୟନ୍ତ ୭ ଲକ୍ଷ ୧୦ ହଜାର ୯୧୯ କୁଇଣ୍ଟାଲ ଧାନ କ୍ରୟ କରାଯାଇଛି। ମିଲର୍ସମାନଙ୍କୁ ୭ ଲକ୍ଷ ୭ ହଜାର ୧୫୫ କୁଇଣ୍ଟାଲ ଧାନ ପ୍ରଦାନ କରାଯାଇଛି। ମଣ୍ଡିରେ ୩୭୬୩ କୁଇଣ୍ଟାଲ ପଡ଼ିରହିଛି। ଜିଲ୍ଲାର ୨୧୦ ଟି ମଣ୍ଡିରୁ ୧୯୨ଟି ମଣ୍ଡି ଆରମ୍ଭ ହୋଇଥିବା ବେଳେ ୧୮ଟି ମଣ୍ଡି ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ମଣ୍ଡିର ଧାନକିଣାରେ ୫୮ଟି ମିଲର୍ସ ସାମିଲ ହୋଇଛନ୍ତି। ଜିଲ୍ଲାର ୯୫୨୯ ଜଣ ଚାଷୀ ପଞ୍ଜିକୃତ କରିଛନ୍ତି। ମଣ୍ଡିମାନଙ୍କରେ ଏଫ୍ଏକ୍ୟୁ ଧାନକୁ ପ୍ରାୟ ୪ କେଜି କଟନି କରାଯାଉଥିବା ଯୋଗୁଁ କଲମପୁର ବ୍ଲକ ମଣ୍ଡଳ ମଣ୍ଡିରେ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ପେକ୍ସ ସମ୍ପାଦକ ସାଢ଼େ ୩ କେଜି ଏଫ୍ଏକ୍ୟୁ ଧାନ ଉପରେ କଟନି କରିବା ପାଇଁ କହିଥିବା ନେଇ ସହ ସମ୍ପାଦକଙ୍କ ଫୋନ କଲ୍ରେକର୍ଡ ଚାଷୀମାନଙ୍କ ମଧ୍ୟରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାର ତଦନ୍ତ କରିବାକୁ ଚାଷୀ ମହଲରେ ଦାବି ହୋଇଛି।
ଚଳିତ ଖରିଫ୍ ଋତୁରେ କଲମପୁର ବ୍ଲକର ମଣ୍ଡଳ, କୋଟାଗାଁ, ବଳାଗାଁ, ମିନଗୁର୍ ସମେତ ବହୁ ଅଞ୍ଚଳର ଚାଷୀଙ୍କ ଧାନବିକ୍ରି ନିମନ୍ତେ ପ୍ରଶାସନ ପକ୍ଷରୁ ମୁଖିଗୁଡ଼ା ନିୟନ୍ତ୍ରିତ ବଜାର କମିଟି ଜରିଆରେ ମଣ୍ଡି ଖୋଲାଯାଇଛି। ମଣ୍ଡଳ ସମବାୟ ସମିତି ଜରିଆରେ ଧାନ କିଣା ଯାଉଥିବା ବେଳେ ଏଠି ୭ଟି ମିଲର ମଣ୍ଡି ଟେଗ୍ ହୋଇଛନ୍ତି। ମିଲର୍ସମାନେ ଚାଷୀଙ୍କୁ ବସ୍ତା ଦେଉନଥିବା ବେଳେ ବସ୍ତାର ଓଜନ ନେଇ ମଧ୍ୟ ଠକେଇ ହେଉଥିବା ଅଭିଯୋଗ ହୋଇଛି। ଖାଲି ବସ୍ତାର ଓଜନ ୫୦୦ ରୁ ୬୦୦ ଗ୍ରାମ ଥିବାବେଳେ ଏହାକୁ ୧ କେଜି ୪୦୦ ଗ୍ରାମ ଓଜନ କାଟୁଛନ୍ତି। ସେହିଭଳି କଟନିଛଟନି ବାବଦକୁ ୭ରୁ ୮କେଜି ନେଉଥିବା ଚାଷୀ ଅଭିଯୋଗ କରିଛନ୍ତି। ଏଠାରେ କୁଇଣ୍ଟାଲ ବସ୍ତା ଲୋଡିଂ ପାଇଁ ୧୦ ଟଙ୍କା ଥିବା ବେଳେ ଶ୍ରମିକଙ୍କୁ ଆଠ ଟଙ୍କା ଦିଆ ଯାଉଥିବା ଅଭିଯୋଗ ହୋଇଛି। ଫଳରେ ମଣ୍ଡିରେ କାମ କରୁଥିବା ଶ୍ରମିକ ଶୋଷଣ ହେଉଛନ୍ତି। ସେପଟେ ଚାଷୀ ଓ ମିଲର ବୁଝାମଣାରେ ଚାଲିଛି ଧାନକିଣା ଟାର୍ଗେଟ।
ଅନ୍ୟ ପକ୍ଷରେ ସାଧାରଣ ଧାନକୁ ୮ କେଜିରୁ ୧୦ କେଜି କଟନି କରୁଛନ୍ତି। ଚାଷୀଙ୍କ ଟୋକନକୁ ନେଇ ମଣ୍ଡିରେ ଦଲାଲମାନେ ସକ୍ରିୟ ଥିବା ଯୋଗୁଁ ପ୍ରକୃତ ଚାଷୀମାନେ ମଣ୍ଡିକୁ ଆସି ଦହଗଞ୍ଜ ହେବାକୁ ଉଚିତ ମନେ କରୁନାହାନ୍ତି। କେତେ ବେଳେ ରୋଗ ପୋକ କେତେବେଳେ ଅଦିନିଆ ବର୍ଷା ଯୋଗୁଁ ଚାଷୀ କ୍ଷତି ସହୁଥିବାବେଳେ ଏବେ କୋଭିଡ କଟକଣାରେ ବି ନିଜ କଷ୍ଟ ଉପାର୍ଜିତ ଧାନ ଦଲାଲକୁ ନଦେଇ ମଣ୍ଡିରେ ବିକି ଦୁଇ ପଇସା ଉପାର୍ଜନ ଆଶା କରୁଛି। ହେଲେ ଏଥିରେ ବି ପେକ୍ସ ଓ ମିଲର୍ସଙ୍କଠାରୁ ଚାଷୀ ଶୋଷଣ ହେବାରେ ଲାଗିଛି। ବିଭିନ୍ନ ସ୍ଥାନରେ ଚାଷୀଙ୍କ ଟୋକନଗୁଡ଼ିକୁ ଦଲାଲମାନେ କୁଇଣ୍ଟାଲ ପିଛା ୧୦୦ ଟଙ୍କାରେ କିଣି ନିଜର ବେନାମୀ ଧାନକୁ ଚାଷୀ ଟୋକନରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଆରଏମ୍ସି, ପେକ୍ସ ଓ ମିଲର୍ସ ଏଜେଣ୍ଟଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀ ଶୋଷଣର ଶିକାର ହେଉଛନ୍ତି। ଜିଲ୍ଲା ପ୍ରଶାସନ ତୁରନ୍ତ ମଣ୍ଡିରେ ହେଉଥିବା ଅନିୟମିତତାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଚାଷୀମାନେ ଉପକୃତ ହୋଇପାରନ୍ତେ ବୋଲି ସାଧାରଣରେ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/paddy-kalahandi.jpg)