ଯାଜପୁରସଦର : ନିର୍ବାଚନ ହାୱା ଭିତରେ ବାଟବଣା ହୋଇଯାଇଛି ଧାନକିଣା। ନୂଆ ଟାର୍ଗେଟ ଆସୁନଥିବାରୁ ଅଘୋଷିତ ଭାବେ ମଣ୍ଡିରେ ଧାନକିଣା ବନ୍ଦ ହୋଇଯାଇଛି। ଚାଷୀ ବାପୁଡ଼ା ଧାନ ବିକିବାକୁ ମଣ୍ଡିକୁ ଯାଇ ନିରାଶ ହୋଇ ଫେରୁଛି। ଧାର୍ଯ୍ୟ ଠାରୁ ୨୦ ପ୍ରତିଶତ କମ୍ ଧାନ ଅଧିକାଂଶ ଚାଷୀ ବିକି ପାରିଥିବା ବେଳେ ଯାଜପୁର ଜିଲ୍ଲାର ପ୍ରାୟ ୧୧ ହଜାର ପଞ୍ଜିକୃତ ଚାଷୀ ମଣ୍ଡିରେ ଧାନ ବିକିବାରୁ ବଞ୍ଚିତ ହୋଇଛନ୍ତି। ଏଭଳି ସ୍ଥିତିରେ ଦଲାଲ ମାତିଛନ୍ତି। ଗାଁ ଗାଁରେ ପହଞ୍ଚି କମ୍ ଦରରେ ଚାଷୀଙ୍କ ଠାରୁ ଧାନ କିଣି ମିଲ୍ରେ ପହଞ୍ଚାଉଛନ୍ତି। ମିଲର୍ଙ୍କ ଗୋଦାମ ଭର୍ତ୍ତି ଥିବା ବେଳେ ସରକାରୀ ବ୍ୟବସ୍ଥା ଚାଷୀଙ୍କୁ କ୍ଷତି ପହଞ୍ଚାଉଛି।
ଯାଜପୁର ଜିଲ୍ଲାରେ ଧାନ ବିକ୍ରି ପାଇଁ ୪୫ ହଜାର ୮୨୪ ଚାଷୀ ନାମ ପଞ୍ଜୀକରଣ କରିଥିଲେ। ଜିଲ୍ଲାରେ ୧୧୮ ପ୍ୟାକ୍ସ ଓ ୩୩ ସ୍ବୟଂ ସହାୟକ ଗୋଷ୍ଠୀ ଧାନ କ୍ରୟ କରୁଛନ୍ତି। ଖରିଫ ଧାନ କ୍ରୟ ପାଇଁ ଜିଲ୍ଲାକୁ ୪ଟି ପର୍ଯ୍ୟାୟରେ ୧୪ଲକ୍ଷ ୨୧ ହଜାର ୫୨୫ କ୍ବିଣ୍ଟାଲର ଟାର୍ଗେଟ ଆସିଛି। ଆଜି ସୁଦ୍ଧା ୩୪ହଜାର ୮୩୨ ଜଣ ଚାଷୀଙ୍କ ଠାରୁ ୧୩ଲକ୍ଷ ୯୨ ହଜାର ୦୯୧ କ୍ବିଣ୍ଟାଲ ଧାନ କିଣା ସରିଥିବା ବେଳେ ବିଭାଗ ପାଖରେ ୫୩୩ କ୍ବିଣ୍ଟାଲ ଟାର୍ଗେଟ ବାଣ୍ଟିବାକୁ ବାକି ଅଛି। ଆହୁରି ୧୦ ହଜାର ୯୯୨ଜଣ ପଞ୍ଜିକୃତ ଚାଷୀ ମଣ୍ଡିରେ ଧାନ ବିକିବାରୁ ବଞ୍ଚିତ ଅଛନ୍ତି।
ଉଦାହରଣ ସ୍ବରୂପ ସୁକିନ୍ଦା ସମବାୟ ସମିତିରେ ୪୬୩ ଜଣ ଚାଷୀ ପଞ୍ଜୀକରଣ କରିଥିଲେ। ଏହି ସମବାୟ ସମିତିକୁ ୧୭୦୦୦ କୁଇଣ୍ଟାଲ ଧାନ କିଣିବାକୁ ଅନୁମତି ମିଳିଥିଲା। ପଞ୍ଜିକୃତ ୪୬୩ଜଣ ଚାଷୀଙ୍କ ମଧ୍ୟରୁ ୩୪୩ ଜଣ ଚାଷୀଙ୍କ ୬୦ ପ୍ରତିଶତ ଧାନ ଉଠିଥିବା ବେଳେ ଅବଶିଷ୍ଟ ୧୨୦ଜଣ ଚାଷୀ ଧାନ ବିକ୍ରି କରିପାରି ନାହାନ୍ତି। ଧାନକିଣା ଅବ୍ୟବସ୍ଥା ନେଇ ସୁକିନ୍ଦା ଅଞ୍ଚଳର ବହୁ ଚାଷୀ ଜିଲ୍ଲା ସମବାୟ ଅଧିକାରୀଙ୍କୁ ଭେଟି ଆଲୋଚନା କରିଥିଲେ। ପାଖାପାଖି ପନ୍ଦର ଦିନ ହେବ ସୁକିନ୍ଦା ସମବାୟ ସମିତିରେ ଧାନକିଣା ପାଇଁ ଟାର୍ଗେଟ ଆସିନଥିବା ଆଳ ଦେଖାଇ ଆଉ ଧାନ କିଣାଯାଉନି।
ଜିଲ୍ଲାର ପ୍ରାୟ ସବୁ ମଣ୍ଡିରେ ଏଭଳି ଅବ୍ୟବସ୍ଥା ଦେଖାଦେଇଛି। ଧାନ ବିକି ପାରି ନଥିବା ପଞ୍ଜିକୃତ ଚାଷୀଙ୍କ ହିସାବ ଦେଖିଲେ ଆହୁରି ୨ଲକ୍ଷ ୬୨ହଜାର କ୍ବିଣ୍ଟାଲର ଟାର୍ଗେଟ ଦରକାର। ଖରିଫ ଧାନ କ୍ରୟ ଅବଧି ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରହିଛି। ହେଲେ ନିର୍ବାଚନୀ ହାୱା ଭିତରେ ଚାଷୀଙ୍କ ବଡ଼ ସମସ୍ୟାକୁ କେହି ଗୁରୁତ୍ବ ଦେଲେନାହିଁ। ଯୋଗାଣ ବିଭାଗ ସୂତ୍ରରୁ ଜଣାଯାଇଛି ଯେ ଧାନକିଣା ପାଇଁ ଆଉ ଟାର୍ଗେଟ ଆସିବାର ସମ୍ଭାବନା କମ୍। ତେଣୁ ଟୋକନ୍ ପାଇ ମଣ୍ଡିରେ ଧାନ ବିକ୍ରି କରିପାରି ନଥିବା ଚାଷୀମାନେ କମ୍ ଦରରେ ଦଲାଲଙ୍କୁ ଧାନ ବିକିବାକୁ ବାଧ୍ୟ।