ବିଡ଼ମ୍ବନା : ମିଲର୍ସ ଠାରୁ ପ୍ରଶାସନ ପର୍ଯ୍ୟନ୍ତ ମିଳିମିଶି ମଣ୍ଡି ବନ୍ଦ କଲେ, ଚାଷୀ ଜଳକା

କଳାହାଣ୍ଡି ଜିଲ୍ଲାରେ ୪ ଲକ୍ଷ ୩୯ ହଜାର ୯୯୪ କୁଇଣ୍ଟାଲ ଧାନ କିଣିବ କିଏ?

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ମିଲର୍ସ ଠାରୁ ପ୍ରଶାସନ ପର୍ଯ୍ୟନ୍ତ ମିଳିମିଶି ମଣ୍ଡି ବନ୍ଦ କରିଦେବା ଯୋଗୁଁ ବକେୟା ଥିବା ୪ ଲକ୍ଷ ୩୯ ହଜାର ୯୯୪ କୁଇଣ୍ଟାଲ ଧାନ କିଏ କିଣିବ ବୋଲି ଚାଷୀ ଅଡୁଆରେ ପଡିଛନ୍ତି । ଗୋଟିଏ ପଟେ କରୋନା ଭୟ ଅନ୍ୟ ପଟେ ମୌସୁମୀ ବର୍ଷା ପହଁଚିବା ପରେ ଏବେ ବକେୟା ଧାନ ପଡି ରହିବା ନେଇ ଚାଷୀ ମୁଣ୍ଡରେ ଚଡକ ପଡିଛି । ନୂଆ ଟାର୍ଗେଟ ଆସିବା ତ ଦୂରର କଥା ଆସିଥିବା ଟାର୍ଗେଟର ୩୪ ହଜାର ୯୬୩ କୁଇଣ୍ଟାଲ ଧାନ ଟାର୍ଗେଟରୁ ଉଠାଣ ନ ହେବାରୁ ବଳକା ପଡିବା ଚାଷୀଙ୍କ ବିରୋଧରେ ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର ବୋଲି ସାଧାରଣରେ ଉଦବେଗ ପ୍ରକାଶ ପାଇଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାରେ ଚଳିତ ରବି ଧାନ ବିକ୍ରି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୭ ଲକ୍ଷ ୨୬ ହଜାର ୩୦୪ କୁଇଣ୍ଟାଲ ଟାର୍ଗେଟ ଆସିଥିଲା । କିନ୍ତୁ ଜିଲ୍ଲାରେ ୩୧ ଲକ୍ଷ ୩୧ ହଜାର ୩୩୫ କୁଇଣ୍ଟାଲ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ କରି ଟୋକନ ପାଇଛନ୍ତି । ଆଜି ପର୍ଯ୍ୟନ୍ତ ୨୬ ଲକ୍ଷ ୯୧ ହଜାର ୩୪୧ କୁଇଣ୍ଟାଲ ଧାନ ୧୩୨ଟି ମଣ୍ଡି ଜରିଆରେ ୨୮ହଜାର ୭୧୫ ଜଣ ଚାଷୀଙ୍କ ଠାରୁ ମିଲର୍ସ ମାନେ ପ୍ୟାକ୍ସ ଜରିଆରେ ଧାନ କିଣିଛନ୍ତି । ରାଜ୍ୟ ସରକାରଙ୍କର ଆସିଥିବା ଟାର୍ଗେଟ ଠାରୁ ପ୍ରାୟ ୩୪ ହଜାର ୯୬୩ କୁଇଣ୍ଟାଲ ଧାନ କ୍ରୟ କରାଯାଇ ନାହିଁ । ସମୁଦାୟ ଜିଲ୍ଲାର ବିଭିନ୍ନ ମଣ୍ଡିରେ ୪ ଲକ୍ଷ ୩୯ ହଜାର ୯୯୪ କୁଇଣ୍ଟାଲ ଧାନ ବିଭିନ୍ନ ମଣ୍ଡିରେ ପଡି ରହିଛି । ବର୍ଷାରେ ଧାନ ମଣ୍ଡିରେ ଭିଜିଥିବା ଯୋଗୁଁ ମିଲର୍ସ ମାନଙ୍କ ପକ୍ଷରୁ ୮ ରୁ ୧୦ କେଜି ଧାନ କୁଇଣ୍ଟାଲ ପିଛା ବ୍ୟାପକ କଟନୀ ଛଟନୀ ଆରମ୍ଭ କରିଥିଲେ । ରାଜ୍ୟ ସରକାରଙ୍କ ଆସିଥିବା ଟାର୍ଗେଟ ବାହାରେ ଆହୁରି ୪ ଲକ୍ଷ ୫ ହଜାର ୩୧ କୁଇଣ୍ଟାଲ ଧାନର ଅଧିକ ଟାର୍ଗେଟ ଆଵଶ୍ୟକତା ଥିଲା । ବର୍ତ୍ତମାନ ୪ ଲକ୍ଷ ୫ ହଜାର ୩୧ କୁଇଣ୍ଟାଲ ନୂଆ ଟାର୍ଗେଟ ମାଗିବା ତ ଦୂରର କଥା ବର୍ତ୍ତମାନ ଆସିଥିବା ଟାର୍ଗେଟ ର ୩୪ ହଜାର ୯୬୩ କୁଇଣ୍ଟାଲ ଧାନ ଟାର୍ଗେଟରୁ କମ କିଣା ଯାଇଥିବା ଜଣାପଡିଛି । ବର୍ଷା ଯୋଗୁଁ ମଣ୍ଡିରେ ଧାନ ଭିଜିବା ପରେ ମିଲର୍ସ ମାନେ ଏହାର ସୁଯୋଗ ନେଇ ବ୍ୟାପକ କଟନୀ କରିଥିବା ଅଭିଯୋଗ ହୋଇଛି ।

ଅନ୍ୟ ପକ୍ଷରେ ମିଲର୍ସମାନଙ୍କ ଫଲ୍‌ସ ଏଣ୍ଟ୍ରି ଯୋଗୁଁ ଚାଷୀଙ୍କ ଧାନ ବାସ୍ତବରେ କ୍ରୟ ନ କରି ଟାର୍ଗେଟ ପୁରଣ କରିଥିବା ନେଇ ସଙ୍ଗିନ ଅଭିଯୋଗ ହୋଇଛି । ଚାଷୀଙ୍କ ଧାନ ପଡି ରହିଥିବା ବେଳେ କିଭଳି ଧାନ ଉଠାଣରେ ଟାର୍ଗେଟ ପୁରଣ ହେଲା ତାହା ଏବେ ତଦନ୍ତ ସାପେକ୍ଷ ଅଟେ । ଜିଲ୍ଲାରେ ଜିଲ୍ଲା ପ୍ରଶାସନ, ପ୍ୟାକ୍ସ, ଯୋଗାଣ ବିଭାଗ ଓ ମିଲର୍ସମାନେ ଚକ୍ରାନ୍ତ କରି ଧାନ ମଣ୍ଡି ବନ୍ଦ କରିଥିବା ଘଟଣା ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଚାଷୀଙ୍କୁ ବିଭିନ୍ନ ଆଳ ଦେଖାଇ ଧାନ କ୍ରୟ ନ କରି ମିଲର୍ସମାନେ ନିଜର ଫଲ୍‌ସ ଏଣ୍ଟ୍ରିକୁ ହାତେଇ ଥିବା ଅଭିଯୋଗ ହୋଇଛି । ଦଲାଲମାନଙ୍କ ଧାନ ଅନାୟସରେ ଉଠାଣ ହୋଇଥିବା ବେଳେ ପ୍ରକୃତ ଚାଷୀଙ୍କ ଧାନ ଉଠାଣ ହୋଇନଥିବା ଯୋଗୁଁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ତୁରନ୍ତ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରିବାକୁ ଚାଷୀ ମହଳରେ ଦୃଢ଼ ଦାବୀ ହୋଇଛି । ଟୋକନ ପାଇଥିବା ଚାଷୀଙ୍କ ଧାନ ଉଠାଣ ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନ ନେଲେ ରାଜରାସ୍ତା କୁ ଓହ୍ଲାଇବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।

ସମ୍ବନ୍ଧିତ ଖବର