ମଣ୍ତିରୁ ଧାନ ଉଠାଇବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି ମିଲର୍ : ଖୋଲା ଆକାଶ ତଳେ ପଡ଼ିଛି କ୍ବିଣ୍ଟାଲ୍‌ କ୍ବିଣ୍ଟାଲ୍‌ ଧାନ

ଦଶପଲ୍ଲା : ଆସନ୍ତା ୩୧ ତାରିଖ ଦିନ ସରକାରୀସ୍ତରରେ ମଣ୍ତି ମାଧ୍ୟମରେ ଧାନ କିଣା ପ୍ରକ୍ରିୟା ବନ୍ଦ ହେବ। ହେଲେ ଏ ପର୍ଯ୍ୟନ୍ତ ଅଧିକାଂଶ ମଣ୍ତିରେ ବହୁ ଚାଷୀ ଟୋକନ୍‌ ପାଇବାରୁ ବଞ୍ଚିତ ହୋଇଥିବା ବେଳେ ଏବେ ଆଉ ମଣ୍ତିମାନଙ୍କରୁ ଧାନ ସଂଗ୍ରହ କରିବା ପାଇଁ ମିଲର୍‌ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଯାହାକୁ ନେଇ ବିଭିନ୍ନ ମଣ୍ତିରେ ଏବେ ଧାନ କିଣାରେ ଘୋର ଅବ୍ୟବସ୍ଥା ହେଉଥିବା ଅଭିଯୋଗ ହେଉଛି। ଗତ ୪ ଦିନ ହେଲା ଡିହଗାଁସ୍ଥିତ ଜଳେଶ୍ବର ସେବା ସମବାୟ ସମିତିରେ ଚାଷୀଙ୍କ ଧାନ ପଡ଼ି ରହିଛି। ଗତ ଦୁଇ ଦିନ ଧରି ଲଗାଣ ବର୍ଷାରେ କ୍ବିଣ୍ଟାଲ୍‌ କ୍ବିଣ୍ଟାଲ୍‌ ଧାନ ରାସ୍ତା ପାର୍ଶ୍ବରେ ପଡ଼ି ରହିବା ସହ ଅନେକ ଧାନ ଗଜା ହେଲାଣି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ଗତ ୨୯ ତାରିଖ ଦିନ ଚାଷୀ ଟୋକନ୍ ପାଇଥିବା ବେଳେ ସେମାନଙ୍କୁ ୪ ତାରିଖ ଦିନ ମଣ୍ତିକୁ ଧାନ ଆଣିବା ପାଇଁ କୁହାଯାଇଥିଲା। ଯାହାକୁ ନେଇ ପ୍ରାୟ ୧୦ରୁ ଊର୍ଦ୍ଧ୍ବ ଚାଷୀ ୪ ତାରିଖ ଦିନ ମଣ୍ତିକୁ ଧାନ ନେଇଥିବା ବେଳେ ଆଜି ପର୍ଯ୍ୟନ୍ତ ମିଲର୍ ଏସବୁ ଧାନ ଉଠାଉ ନଥିବା ଅଭିଯୋଗ ହେଉଛି। ଏପଟେ ଗତ ଦୁଇ ଦିନ ଧରି ଲଗାଣ ବର୍ଷା ସାଙ୍ଗକୁ ଚାଷୀ ରାତି ଉଜାଗର ହୋଇ ଜଗି ବସିଛନ୍ତି। ମଣ୍ତିରୁ ଧାନ ଉଠାଇବାକୁ ନେଇ ମିଲର୍ ଅନାଗ୍ରହ ପ୍ରକାଶ କରୁଥିବା ବେଳେ ଠିକ୍ ସମୟ ମଧ୍ୟରେ ଚାଷୀ ଧାନ ବିକ୍ରୟ କରିବାରୁ ବଞ୍ଚିତ ହେଉଛନ୍ତି। ଏପଟେ ଚଳିତ ମାସରେ ସରକାର ମଣ୍ତି ବନ୍ଦ କରିବାକୁ ଯାଉଥିବା ବେଳେ ଦଶପଲ୍ଲା ବ୍ଲକ୍‌ର ବହୁ ମଣ୍ତିରେ କିଛି ଚାଷୀ ଆଜି ପର୍ଯ୍ୟନ୍ତ ଟୋକନ୍‌ ପାଇ ପାରି ନଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ସୋସାଇଟି ସମ୍ପାଦକ ବେଲାଳସେନ ସାହୁଙ୍କୁ ଫୋନ୍‌ କରିଥିବା ବେଳେ ଫୋନ୍‌ ବନ୍ଦ ରହିଛି। ମାତ୍ର ଯୋଗାଣ ଅଧିକାରୀ ଚନ୍ଦ୍ର ଶେଖର ନାହାକଙ୍କ କହିବା ଅନୁଯାୟୀ ମିଲର୍‌ଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା। ଆଜି ସେ ମଣ୍ତିରୁ ଧାନ ଉଠାଇବା ପାଇଁ କହିଥିବା ବେଳେ କ’ଣ ହୋଇଛି ଦେଖିବାକୁ ପଡ଼ିବ ବୋଲି କହିଛନ୍ତି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର