ମଣ୍ଡିରେ ଚଢ଼ଉ ଭୟ, ରାତାରାତି ଧାନ ଗାଏବ କରିଦେଲେ ଦଲାଲ୍‌ 

ରୁପ୍ରା : ଚାଷୀ ଆନ୍ଦୋଳନ ପ୍ରଭାବରେ ମଣ୍ଡିରୁ ଧାନ ଉଠିଯିବା ଲୋଭରେ ଦଲାଲମାନେ ମଣ୍ଡିରେ ଧାନ ପକାଇ ରଖିଥିଲେ। ହେଲେ ପ୍ରଶାସନର ଅଚାନକ ଚଢ଼ଉ ଏବଂ ତନ୍ନ ତନ୍ନ କରି ଯାଞ୍ଚ ଆରମ୍ଭ ହେବାରୁ ସେମାନେ ଏବେ ଛାନିଆଁ ହୋଇଛନ୍ତି। ଶନିବାର ରାତିରେ ହେଁ ସେମାନେ ମଣ୍ଡିରେ ପକାଇ ରଖିଥିବା ଧାନକୁ ଗାଏବ କରି ଦେଇଛନ୍ତି। ଭର୍ତ୍ତି ହୋଇ ରହିଥିବା ମଣ୍ଡି ଅଧା ଖାଲି ହୋଇଯାଇଛି। ଏଭଳି ଏକ ଦୃଶ୍ୟ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ ଅନ୍ତର୍ଗତ ଉଲିକୁପା ମଣ୍ଡିରେ ଦେଖିବାକୁ ମିଳିଛି। ଏହି ଘଟଣାରୁ ଦଲାଲମାନେ କିଭଳି ମଣ୍ଡିଗୁଡ଼ିକୁ କବ୍‌ଜା କରି ରଖିଛନ୍ତି ତାହା ସ୍ପଷ୍ଟ ପ୍ରମାଣିତ ହେଉଛି। ଅନ୍ୟପକ୍ଷରେ ଏମାନଙ୍କୁ ପେକ୍ସ ଓ ଆର୍‌ଏମ୍‌ସିର କିଛି ଅସାଧୁ କର୍ମଚାରୀ ମଧ୍ୟ ସହଯୋଗ କରୁଥିବା ଜଣାପଡ଼ୁଛି।

ପ୍ରକାଶ ଯେ, ଶନିବାର ସେରଗଡ଼ ମଣ୍ଡିରେ ଯୋଗାଣ ବିଭାଗ ଚଢ଼ଉ କରିଥିଲା। ଏହି ସମୟରେ ମଣ୍ଡିରେ ଥିବା ୧୦୯ ବସ୍ତା ଧାନର ଦାବିଦାର ଚାଷୀ କେହି ନବାହାରିବାରୁ ଉକ୍ତ ଧାନବସ୍ତାକୁ ଯୋଗାଣ ବିଭାଗ ଜବତ କରିଥିଲା। ଅନ୍ୟ ମଣ୍ଡିଗୁଡ଼ିକରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଯୋଗାଣ ବିଭାଗ ସେରଗଡ଼ ମଣ୍ଡିରୁ ଫେରି ଶାନ୍ତପୁର ପେକ୍ସ ଅଧୀନ ଉଲିକୁପା ମଣ୍ଡିକୁ ଶନିବାର ସନ୍ଧ୍ୟାରେ ଯାଇ ସହସମ୍ପାଦକ ସୁଶାନ୍ତ ବିଶିଙ୍କୁ ମଣ୍ଡିରେ ଷ୍ଟକ୍ ଥିବା ବିବରଣୀ ପଚାରିଥିଲେ। ମଣ୍ଡିରେ ଏଣ୍ଟ୍ରି ହୋଇଥିବା ରେକର୍ଡ ଅନୁଯାୟୀ ୧୯ଜଣ ଚାଷୀଙ୍କ ୨୬୩୪ ବସ୍ତା ଧାନ ଥିବା ଜଣାଡ଼ିଥିଲା। ଏଣୁ ତଦନ୍ତ କରିବା ପାଇଁ ଉକ୍ତ ଅଧିକାରୀ କିଛି ଚାଷୀଙ୍କ ଘରକୁ ଯାଇ ପଚାରିଥିଲେ। ମାତ୍ର ରାତି ହେବାରୁ ସମସ୍ତ ଅଧିକାରୀ ଫେରିଆସିଥିଲେ। ରବିବାର ସକାଳୁ ନର୍ଲା ପୁଲିସ୍‌ ସହାୟତାରେ ନର୍ଲା ଯୋଗାଣ ନିରୀକ୍ଷକ ସୁଶାନ୍ତ ପ୍ରଧାନଙ୍କ ନେତୃତ୍ୱରେ ରାଜସ୍ୱ ପର୍ଯ୍ୟବେକ୍ଷକ ରଞ୍ଜିତ ରାଉତ ଓ ଅତିରିକ୍ତ ଯୋଗାଣ ନିରୀକ୍ଷଣ ଧୂମାରାମ ମୁର୍ମୁ ଉଲିକୁପା ମଣ୍ଡିକୁ ଯାଇଥିଲେ। କିନ୍ତୁ ସେଠାରେ ଦେଖିବାକୁ ପାଇଲେ ଯେ ୧୯ଜଣ ଚାଷୀଙ୍କ ୨୬୩୪ ଧାନବସ୍ତା ବଦଳରେ ୧୪ଜଣ ଚାଷୀଙ୍କ ୧୮୬୪ ବସ୍ତା ଧାନ ରହିଥିଲା। ଚଢ଼ଉ ଭୟରେ ବାକି ୫ଜଣ ଚାଷୀ (ଦଲାଲ୍) ୭୭୦ ବସ୍ତା ଧାନ ରାତାରାତି ଗାଏବ୍ କରିଦେଇଥିଲେ। ଏହି ଗୋଟିଏ କଥାରୁ ଅନୁମାନ କରିହେଉଛି ଦଲାଲମାନେ ସକ୍ରିୟ ରହି କିଭଳି ନିଜର ପ୍ରଭାବ ବିସ୍ତାର କରୁଛନ୍ତି। ଏମିତି ପ୍ରତ୍ୟେକ ମଣ୍ଡି ଦଲାଲ୍ କବ୍‌ଜାରେ ଥିବା ଅଭିଯୋଗ ହେଉଛି। ଯୋଗାଣ ବିଭାଗର ଏହି ଚଢ଼ଉକୁ ଚାଷୀ ମହଲରେ ସ୍ବାଗତ କରାଯାଇଛି।

ସମ୍ବନ୍ଧିତ ଖବର