ମଣ୍ଡିରେ ଦିନେ ବି ପଡ଼ି ରହିବନି ଚାଷୀଙ୍କ ଧାନ

ଖରିଫ ପାଇଁ ଜିଲ୍ଲାପାଳଙ୍କୁ ଦିଆଗଲା ଧାନକିଣା ଲକ୍ଷ୍ୟ

ଭୁବନେଶ୍ୱର : ଚାଷୀମାନେ ଝାଳ ବୁହାଇ ଧାନ ଅମଳ କରିଥାନ୍ତି। କିନ୍ତୁ ସେହି ଧାନ ବିକ୍ରି ପାଇଁ ମଣ୍ଡିରେ ପଡ଼ିରହେ ଅନେକ ଦିନ। ଏପରି କି ସେହି ଧାନରୁ ଗଜା ବାହାରିବା ଦେଖାଯାଇଛି। ଧାନ ମଣ୍ଡିରେ ପହଞ୍ଚିବା ପରେ ପ୍ରାଥମିକ କୃଷି ସମବାୟ ସମିତି(ପାକ୍‌)ର ଅସାଧୁ କର୍ମଚାରୀ ଏବଂ ମିଲ୍‌ ମାଲିକଙ୍କ ମଧ୍ୟରେ ଖେଳ ଆରମ୍ଭ ହୋଇଯାଏ। ସେହି ଖେଳ ଚାଷୀର କାଳ ପାଲଟେ। ଏଣିକି ଚାଷୀଙ୍କ ପ୍ରତି ସେଭଳି ଆଚରଣ ଆଉ ଦେଖିବାକୁ ମିଳିବନି। ଯେଉଁଦିନ ଚାଷୀ ମଣ୍ଡିକୁ ଧାନ ଆଣିବେ, ସେହିଦିନ ହିଁ ସେହି ଧାନ ମିଲ୍‌କୁ ଯିବ। ମଣ୍ଡିରେ ଆଉ ଦିନେ ବି ପଡ଼ିରହିବନି। ଏଭଳି ନିୟମ ଜାରି କରିଛି ଖାଦ୍ୟ ଯୋଗାଣ ବିଭାଗ।

ଆଜି ଏ ନେଇ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଦିଆଯାଇଛି। ଚିଠିରେ ଉପରୋକ୍ତ ନିୟମାବଳୀ କଥା ଉଲ୍ଲେଖ ହୋଇଛି। ଏହି ନିୟମ ମୁତାବକ ଧାନ ସଂଗ୍ରହ ପାଇଁ ପାକ୍‌ ସହିତ ମିଲ୍‌ ମାଲିକଙ୍କୁ ଯୋଡ଼ାଯିବ। ଜିଲ୍ଲା ପ୍ରଶାସନ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଯେଉଁ ଚାଷୀମାନେ ଧାନ ମଣ୍ଡିକୁ ଆଣିବେ, ସେମାନଙ୍କଠାରୁ ଧାନ ସଂଗ୍ରହ କରାଯିବ। ସେହିଦିନ ହିଁ ପୂର୍ବରୁ ସ୍ଥିରୀକୃତ ମିଲ୍‌ ମାଲିକ ଧାନ ଉଠାଇବେ। ମଣ୍ଡିରେ ଦିନେ ବି ପଡ଼ି ରହିବନି ଧାନ। କ୍ୟାବିନେଟ୍‌ ବୈଠକରେ ଏ ନେଇ ନିୟମ ପ୍ରଣୟନ କରାଯିବା ପରେ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଏହାକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ ଜିଲ୍ଲାପାଳମାନଙ୍କୁ ପ୍ରଦତ୍ତ ଚିଠିରେ ୨୦୧୭-୧୮ ଖରିଫ ଋତୁ ପାଇଁ ପ୍ରତ୍ୟେକ ଜିଲ୍ଲା ନିମନ୍ତେ ପ୍ରଥମ ପର୍ଯ୍ୟାୟର ଧାନକିଣା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେହି ଲକ୍ଷ୍ୟକୁ ଜିଲ୍ଲା ସ୍ତରରେ ପାକ୍‌ ସମେତ ବିଭିନ୍ନ ଧାନସଂଗ୍ରହକାରୀ ସଂସ୍ଥାମାନଙ୍କ ମଧ୍ୟରେ ଆବଣ୍ଟନ କରିବାକୁ ପରାମର୍ଶ ଦିଆଯାଇଛି। ସେହି ସଂସ୍ଥାମାନେ ପଞ୍ଜୀକୃତ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ କରିବେ। ଏହା ସହିତ ମିଲ୍‌ ମାଲିକମାନଙ୍କୁ ମଧ୍ୟ ସଂଯୁକ୍ତ କରିବାକୁ କୁହାଯାଇଛି। ତେବେ ଏ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ଖାଦ୍ୟ ଯୋଗାଣ ବିଭାଗ। ଯେଉଁ ମିଲ୍‌ ମାଲିକମାନେ ପୂର୍ବ ଧାର୍ଯ୍ୟ ଚାଉଳ (ସିଏମ୍‌ଆର) ଦେଇନାହାନ୍ତି, ସେମାନଙ୍କୁ ଧାନ ସଂଗ୍ରହ ଲକ୍ଷ୍ୟ ଆବଣ୍ଟନ କରାଯିବ। କିନ୍ତୁ ସେମାନେ ଧାନ ଉଠାଇବା ପୂର୍ବରୁ ବିଭାଗର ପରବର୍ତୀ ଆଦେଶକୁ ଅପେକ୍ଷା କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ତେବେ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ବେଳେ ସେହି ମିଲ୍‌ର ଧାନ ମିଲିଂ ସାମର୍ଥ୍ୟ ଏବଂ ସିକ୍ୟୁରିଟି ଜମା ଭିତ୍ତିରେ କରିବାକୁ ପରାମର୍ଶ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ଆଗାମୀ ଖରିଫ ଋତୁର ପ୍ରଥମ ପର୍ଯ୍ୟାୟରେ ମୋଟ ୨୩ ଲକ୍ଷ ୭୩ ହଜାର ମେଟ୍ରିକ ଟନ୍‌ ଚାଉଳ ସଂଗ୍ରହ କରାଯିବ। ଏ ନେଇ ବିଭିନ୍ନ ଜିଲ୍ଲା ପାଇଁ ଭିନ୍ନ ଭିନ୍ନ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର