ଅନୁଗୁଳ : ସରକାର କହିଥିଲେ, ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଧାନ କିଣାବିକା ହେବ। ଫଳରେ ଧାନ ବିକିବାକୁ ସମବାୟ ସମିତିରେ ନାଁ ପଂଜୀକରଣ କରିଥିବା ଚାଷୀ ତରବର ହୋଇ ନ ଥିଲେ। ଗହଳି କମିଲେ ଧାନ ବିକିବେ ବୋଲି ଅପେକ୍ଷା କରିଥିଲେ। କିନ୍ତୁ ଜାନୁଆରୀ ନ ସରୁଣୁ ଟାର୍ଗେଟ ଶେଷ। ଆଉ ଏହା ପରେ ଚାଷୀ ଟୋକନ ଧରି ବସିଛନ୍ତି ସିନା, ଧାନ ବିକିବାକୁ ମଣ୍ଡି ଖୋଲୁନି। ଅନୁଗୁଳ ଜିଲ୍ଳାରେ ଏବେ ବି ୧୦ ହଜାରରୁ ଅଧିକ ଚାଷୀ ଧାନ ବିକିବାକୁ ଅପେକ୍ଷା କରିଥିଲେ ମଧ୍ୟ ସେମାନଙ୍କ ଧାନ କିଣା ହେବ କି ନାହିଁ ସେଥିନେଇ ଅନିଶ୍ଚିତତା ଲାଗି ରହିଛି।

Advertisment

ଅନୁଗୁଳ ଜିଲ୍ଲାରେ ଚଳିତବର୍ଷ ଧାନ ବିକିବା ପାଇଁ ୩୫,୫୯୩ ଜଣ ଚାଷୀ ନାକ ପଞ୍ଜୀକରଣ କରିଛନ୍ତି। ଏହା ଭିତରୁ ଆଜି ସୁଦ୍ଧା ୨୫,୨୩୫ ଜଣ ଚାଷୀ ଧାନ ବିକ୍ରି କରିଛନ୍ତି। ୧୦ ହଜାରରୁ ଅଧିକ ଚାଷୀ ଧାନ ବିକି ପାରି ନାହାନ୍ତି। କିନ୍ତୁ ଏପଟେ ଜିଲ୍ଲାକୁ ଆସିଥିବା ଟାର୍ଗେଟ କେବେଠାରୁ ଶେଷ ହେଲାଣି। ପରେ ଯେଉଁ ସାନି ଟାର୍ଗେଟ ଆସିଛି, ତାହା ଅଣ୍ଟୁନି। ବାରମ୍ବାର ନୂଆ ଟାର୍ଗେଟ ଦେବା ପାଇଁ ଜିଲ୍ଲା ଯୋଗାଣ ବିଭାଗ ଚିଠି ଲେଖୁଥିଲେ ମଧ୍ୟ ସରକାର ବହୁ ଅଳ୍ପ ଟାର୍ଗେଟ ଦେଉଛନ୍ତି। ଚାଷୀଙ୍କ ପାଖରେ ଯେତିକି ଧାନ ଅଛି ସେହି ଅନୁପାତରେ ଟାର୍ଗେଟ ଆସୁ ନ ଥିବାରୁ ମଣ୍ଡିରେ କିଣାବିକା ନେଇ ସମସ୍ୟା ହେଉଛି। ଏମିତିରେ ଏବେ ଦିନକୁ ମାତ୍ର ୫୦ରୁ ୧୦୦ ଚାଷୀଙ୍କ ପାଖରୁ ଧାନ କିଣା ହେଉଛି। ଧାନ କିଣା ନେଇ ଆଉ ମାତ୍ର ଦୁଇ ସପ୍ତାହ ରହିଥିବାରୁ ବଳକା ଥିବା ୧୦ ହଜାର ଚାଷୀଙ୍କ ପାଖରୁ ଧାନ କିଣିବା ପାଇଁ ସନ୍ଦେହ ବଢିଛି। ଏହାକୁ ନେଇ ସାରା ଜିଲ୍ଲାରେ ଚାଷୀ ଅସନ୍ତୋଷ ଦେଖା ଦେଇଛି। ଚାଷୀମାନେ ମଣ୍ଡିରେ ତାଲା ପକାଇବା ସହ ରାସ୍ତାରୋକ କରୁଛନ୍ତି।

ସରକାରୀ ସୂଚନା ଅନୁସାରେ, ଆଜି ସୁଦ୍ଧା ଜିଲ୍ଲାରେ ୯ ଲକ୍ଷ ୧୩,୯୮୭ କୁଇଣ୍ଟାଲ ଧାନ କିଣା ହୋଇସାରିଲାଣି। କିନ୍ତୁ ଗତବର୍ଷ ଜିଲ୍ଳାରେ ପ୍ରାୟ ୯ ଲକ୍ଷ କୁଇଣ୍ଟାଲ ଧାନ କିଣା ହୋଇଥିଲା। ଏଥର ଏହାଠାରୁ ଅଧିକ ଧାନ କିଣା ହୋଇଛି। ତେଣୁ ସରକାର ଆଉ ଟାର୍ଗେଟ ବଢାଇବା ସପକ୍ଷରେ ନାହାନ୍ତି। ଚାଷୀଙ୍କ ପାଖରେ ଧାନ ଥିଲେ ମଧ୍ୟ ସରକାର ଟାର୍ଗେଟ ଦେବାକୁ କୁନ୍ଥକୁନ୍ଥ ହେଉଛନ୍ତି। ଏବେ ଜିଲ୍ଲାରେ ଆଉ ୫ ଲକ୍ଷ କୁଇଣ୍ଟାଲ ଧାନ କିଣିବା ପାଇଁ ଟୋକନ ଦିଆ ସରିଛି। ବାକି ଥିବା ଅଧିକାଂଶ ଚାଷୀଙ୍କୁ ଏହି ଟୋକନ ମିଳିଛି। କିନ୍ତୁ ଚାଷୀ ଧାନ ବିକିବାକୁ ଗଲେ ମିଲର ଅଥରିଟି ସ୍ଲିପ(ମାସ) ଆସି ନ ଥିବା କହି ଫେରାଉ ଦିଆଯାଉଛି। ଅପରପକ୍ଷରେ ଜିଲ୍ଲାକୁ ଅତିକ କମରେ ଆଉ ୨ରୁ ୩ ଲକ୍ଷ କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ଦେବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ସରକାରଙ୍କୁ ଚିଠି ଲେଖାଯାଇଛି। ହେଲେ ଏହି ସବୁ ଚିଠି ଓ ଯୁକ୍ତିକୁ ସରକାର ଗାଲେଇ ଦେଉଥିବାରୁ ସମସ୍ୟା ବଢୁଛି।