ମଣ୍ଡିରେ ଅବ୍ୟବସ୍ଥା ନେଇ ବିଧାନସଭାରେ ଅସନ୍ତୋଷ

‘ଗ୍ରାଉଣ୍ଡ୍‌ ରିୟଲିଟି’ କଥା କହିଲେ ବିଧାୟକ, ନିୟମ ଅନୁଯାୟୀ ଚାଲିଛି, ତଥାପି ଅନୁଧ୍ୟାନ କରାଯିବ: ମନ୍ତ୍ରୀ

ଭୁବନେଶ୍ବର : ମଣ୍ଡିରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ମଣ୍ଡିକୁ ଧାନ ଆଣିଥିବା ଚାଷୀଙ୍କୁ ୨/୪ ଦିନ ଅପେକ୍ଷା କରିବାକୁ ପଡ଼ୁଛି। ମିଲର୍‌ଙ୍କ ଗାଡ଼ି ନ ଆସିଲେ ଧାନ ରଖାଯାଉନି। ଏଫ୍‌ଏକ୍ୟୁ ମାନ ନ ଥିବା ଆଳ ଦେଖାଇ ମନଇଚ୍ଛା କଟ୍‌ନି ଛଟ୍‌ନି କରାଯାଉଛି। ମଣ୍ଡିରେ କର୍ମଚାରୀମାନେ ଚାଷୀଙ୍କୁ ସହ‌େଯାଗ କରୁନାହାନ୍ତି। ଛୋଟ ଚାଷୀଙ୍କ ଅବସ୍ଥା ତ ଆହୁରି ସଙ୍ଗିନ।

ଆଜି ବିଧାନସଭା ପ୍ରଶ୍ନକାଳରେ ଧ‌ାନ ମଣ୍ଡିର ଅବ୍ୟବସ୍ଥା ନେଇ ଏମିତି ଅଭିଯୋଗ ଗଦା କରି ଦେଇଥିଲେ ବିଧାୟକମାନେ। ଉଭୟ ଶାସକ ଓ ବିରୋଧୀଙ୍କ ସ୍ବର ଏକା ଥିଲା। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଭିନ୍ନ ନିୟମ ଦେଖାଇଥିଲେ। କିଛିଟା ଅବ୍ୟବସ୍ଥାକୁ ସ୍ବୀକାର କରିଥିଲେ ବି ଧାନ କିଣା ବଢ଼ିଥିବା ଆଳରେ ଅଧିକାଂଶ ବ୍ୟବସ୍ଥା ଠିକ୍ ଚାଲିଛି ବୋଲି ଦେଖାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସିଧାସଳଖ କହିଥିଲେ, ମନ୍ତ୍ରୀ ନିୟମ କଥା କହୁଛନ୍ତି, କିନ୍ତୁ ଆମେ ‘ଗ୍ରାଉଣ୍ଡ୍‌ ରିୟଲିଟି’ କଥା କହୁଛୁ। ଶ୍ରୀ ମିଶ୍ର ଓ ଶାସକ ଦଳ ସଭ୍ୟ ଭୂପିନ୍ଦର ସିଂହ ମନ୍ତ୍ରୀଙ୍କୁ କହିଥିଲେ, ଆମ ସହିତ ଗ୍ରାଉଣ୍ଡ୍‌କୁ ଚାଲନ୍ତୁ। ବାସ୍ତବତା କ’ଣ ବୁଝିଯିବେ।

ଭୂପିନ୍ଦର ସିଂହଙ୍କ ମୂଳ ପ୍ରଶ୍ନ ଥିଲା, ଧାନ ମଣ୍ଡିରେ ଚାଷୀଙ୍କୁ ବର୍ତ୍ତମାନ ମିଲର୍‌ମାନଙ୍କ ଟ୍ରକ୍ ନ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି। ଆସନ୍ତା ଖରିଫ ଋତୁରେ ପ୍ରତ୍ୟେକ ମଣ୍ଡିରେ ଚାଷୀର ଧାନ ଓଜନ ହେଲା ପରେ ଚାଷୀଙ୍କଠାରୁ ପାଇଥିବା ଧାନ ପରିମାଣ ଅନୁଯାୟୀ ତାଙ୍କୁ ଏକ ଚିଠା ଦେଇ ଘରକୁ ଚାଲିଯିବା ପାଇଁ ମଣ୍ଡି କର୍ତ୍ତୃପକ୍ଷ ଅନୁମତି ଦେବେ କି ?

ମନ୍ତ୍ରୀ ଶ୍ରୀ ସ୍ବାଇଁଙ୍କ ଉତ୍ତର ଥିଲା, ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ନୀତି ଓ ରାଜ୍ୟ ଯୋଗାଣ ନିଗମ ଦ୍ବାରା ପ୍ରଣୀତ ନିୟମାବଳୀ ଅନୁଯାୟୀ ଧାନ କ୍ରୟ କେନ୍ଦ୍ରମାନଙ୍କରେ କାର୍ଯ୍ୟ ପରିଚାଳନା କରାଯାଉଛି ଏବଂ ପଞ୍ଜୀକୃତ ଚାଷୀଙ୍କଠାରୁ ସେମାନଙ୍କ ବିକ୍ରି ଯୋଗ୍ୟ ଧାନ କ୍ରୟ କରାଯାଉଛି। ଧାନ କ୍ରୟ ଦାୟିତ୍ବ ସମିତିର, ମିଲର୍‌ଙ୍କର ନୁହେଁ। ଧାନ ମଣ୍ଡିରେ ଚାଷୀମାନେ ମିଲର୍‌ମାନଙ୍କ ଟ୍ରକ୍ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବା ଆବଶ୍ୟକତା ନାହିଁ।

କିନ୍ତୁ ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ସିଂହ ମନ୍ତ୍ରୀଙ୍କ ଉତ୍ତରରେ ସନ୍ତୁଷ୍ଟ ହୋଇ ନ ଥିଲେ। ବର୍ତ୍ତମାନର ବ୍ୟବସ୍ଥାରେ ତ୍ରୁଟି ରହୁଛି ବୋଲି ଅଭିଯୋଗ କରିବା ସହ ଚାଷୀଙ୍କୁ ୨/୩ ଦିନ ମଣ୍ଡିରେ ଅପେକ୍ଷା କରିବାକୁ ପଡ଼ୁଛି ବୋଲି କହିଥିଲେ। କଂଗ୍ରେସ ସଭ୍ୟ ସୁରେଶ ରାଉତରାୟ ବି ସମାନ ଅଭିଯୋଗ କରି ଥିଲେ। ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଧାନ ଅମଳର ଦୁଇ ସପ୍ତାହରେ କିଣିବା ବ୍ୟବସ୍ଥା କରାଯାଉ ନ ଥିବାରୁ ଚାଷୀମାନେ ହଇରାଣ ହେଉଛନ୍ତି ବୋଲି ଜଣାଇଥିଲେ।

କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଥିଲେ, ମଣ୍ଡିରେ ଏଫ୍‌ଏକ୍ୟୁ ମାନ ନିର୍ଦ୍ଧାରଣ ପାଇଁ ଆବଶ୍ୟକ ଯନ୍ତ୍ର ନାହିଁ। ଯଦି ଧାନ ନନ୍-ଏଫ୍‌ଏକ୍ୟୁ ମାନର ହୋଇଥିବ, ତେବେ ଆଉ ଏକ ଯନ୍ତ୍ର ସାହାଯ୍ୟରେ ତାହାକୁ ଏଫ୍ଏକ୍ୟୁ କରାଯିବ। କିନ୍ତୁ ମଣ୍ଡିରେ ଦୁଇଟି ଯାକ ଯନ୍ତ୍ର ନାହିଁ। ମିଲ୍‌ ମାଲିକଙ୍କ ଟ୍ରକ୍ ନ ଆସିବା ପର୍ଯ୍ୟନ୍ତ ମଣ୍ଡିରେ ଚାଷୀଙ୍କୁ ରସିଦ୍ ଦିଆଯାଉନି। ମିଲର୍ ଆସିଲା ପରେ ମନଇଚ୍ଛା ଧାନ କଟାଯାଉଛି।

ମନ୍ତ୍ରୀ କହିଥିଲେ, ଆର୍‌ଏମ୍‌ସି ଜରିଆରେ ମେସିନ୍ ଯୋଗାଇ ଦିଆଯାଇଛି। ଚାଷୀମାନେ ଅପେକ୍ଷା କରିବା କଥା ନୁହେଁ। ସେମାନେ ଏ ନେଇ ସଚେତନ ହେବା କଥା।

କଂଗ୍ରେସ ସଭ୍ୟ ତାରା ବାହିନୀପତି ମନ୍ତ୍ରୀଙ୍କ ଉତ୍ତରକୁ ବିରୋଧ କରିଥିଲେ। ଏଫ୍‌ଏକ୍ୟୁ ମାନ ଜାଣିବା ପାଇଁ ଯନ୍ତ୍ର କେଉଁଠି ନାହିଁ ବୋଲି ଅଭିଯୋଗ କରିଥିଲେ। ଚାଷୀଙ୍କୁ ଗୋଟିଏ ଗୋଟିଏ ମଣ୍ଡିରେ ଧାନ ବିକିବା ପାଇଁ ୨୦/୨୫ ଦିନ ଅପେକ୍ଷା କରିବାକୁ ପଡ଼ୁଛି ବୋଲି କହିଥିଲେ। ଜୟନାରାୟଣ ମିଶ୍ର ଅଭିଯୋଗ କରିଥିଲେ, ମଣ୍ଡିରେ ସର୍ବନିମ୍ନ ଭିତ୍ତିଭୂମି ଚାଷୀଙ୍କୁ ଦିଆଯାଉନି। ମିଲର୍‌ଙ୍କ ଦୟା ଉପରେ ଧାନ କିଣା ନିର୍ଭର କରୁଛି। ସମ୍ବଲପୁର ଓ କଳାହାଣ୍ଡିର ଧାନ କିଣାରେ ଅବ୍ୟବସ୍ଥା କଥା ସେ ଦର୍ଶାଇଥିଲେ। ଦେବେଶ ଆଚାର୍ଯ୍ୟ ମଣ୍ଡି‌େ‌ର ଲେବର୍‌ ଚାର୍ଜ ନେବା ପାଇଁ ମିଲର୍‌ମାନେ ବିଲ୍‌ କରୁଛନ୍ତି କି ବୋଲି ଜାଣିବାକୁ ଚାହିଁଥିଲେ। ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ସିଂହ ଛୋଟ ଚାଷୀମାନେ ମଣ୍ଡିରେ ପହଞ୍ଚିପାରୁ ନ ଥିବାରୁ ସେମାନଙ୍କ ପାଇଁ ବ୍ୟବସ୍ଥା କରିବାକୁ କହିଥିଲେ। ଲତିକା ପ୍ରଧାନ ଓ ନାଉରୀ ନାୟକ ଅତିରିକ୍ତ ପ୍ରଶ୍ନ କରିଥିଲେ।

ବିଧାୟକମାନଙ୍କ ଉଦ୍‌ବେଗ ଦେଖି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ, ଧାନ କିଣା ଏକ ସମ୍ବେଦନଶୀଳ ପ୍ରସଙ୍ଗ। କଟ୍‌ନି ଛଟ୍‌ନି, ଧାନ ରଖିବା ସ୍ଥାନ, ଚାଷୀଙ୍କୁ ଠିକ୍ ସ‌ମୟରେ ପ୍ରାପ୍ୟ ଆଦି ବିଭିନ୍ନ ସମସ୍ୟା ଏଥିରେ ଜଡ଼ିତ ଅଛି। ତେଣୁ ମନ୍ତ୍ରୀ ବିଧାୟକମାନଙ୍କ ସହ ଆଲୋଚନା କରି ଏହାକୁ ନିୟମିତ ସମୀକ୍ଷା କରି ପଦକ୍ଷେପ ନିଅନ୍ତୁ।

ମନ୍ତ୍ରୀ କହିଲେ, ପୂର୍ବ ବର୍ଷ ତୁଳନାରେ ଧାନ କିଣା ବଢ଼ିଛି। ଯେଉଁ ସମସ୍ୟାଗୁଡ଼ିକ ଦେଖାଦେଇଛି, ତାହାକୁ ଧୀରେ ଧୀରେ ସମାଧାନ କରାଯିବ। ବ୍ୟକ୍ତିଗତ ଭାବେ ବିଭିନ୍ନ ମଣ୍ଡିକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବି।

ସମ୍ବନ୍ଧିତ ଖବର