ବୀରମହାରାଜପୁର : କୃଷି ପ୍ରଧାନ ସୁବର୍ଣ୍ଣପୁର ଜିଲ୍ଲାରେ ଧାନ ଅମଳ ଆରମ୍ଭ ହୋଇଥିଲେ ମଧ୍ୟ ଏଯାଏଁ ସବୁଠି ଧାନମଣ୍ଡି ଖୋଲିନାହିଁ। ଜିଲ୍ଲା ପ୍ରଶାସନ ନଭେମ୍ବର ମାସ ୨୦ ତାରିଖଠାରୁ ମଣ୍ଡି ଶୁଭାରମ୍ଭ କରିଥିଲା। କିନ୍ତୁ ଡିସେମ୍ବର ମାସ ଆରମ୍ଭ ହୋଇଯାଇଥିଲେ ମଧ୍ୟ ଅନେକ ସ୍ଥାନରେ ଧାନମଣ୍ଡି ଖୋଲିନାହିଁ। ଫଳରେ କମ୍‌ ଦାମ୍‌ରେ ବେପାରୀଙ୍କୁ ଧାନ ବିକ୍ରି କରୁଛନ୍ତି ଚାଷୀ। କେତେକ ସ୍ଥାନରେ ଟୋକେନ୍‌ ଆସି ମଧ୍ୟ ଧାନ ବିକ୍ରି କରି ପାରିନାହାନ୍ତି।

Advertisment

ଧାନମଣ୍ଡି ଖୋଲୁନଥିବାରୁ ବୀରମହାରାଜପୁର ଏବଂ ଉଲୁଣ୍ଡା ଅଞ୍ଚଳର ଚାଷୀମାନେ ଦଲାଲ୍‌ ମାଧ୍ୟମରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଚଳିତ ବର୍ଷ ଜିଲ୍ଲାରେ ୭୬ ପେକ୍ସ୍‌ ଓ ୩୮ଟି ମହିଳା ଏସ୍‌ଏଚ୍‌ଜି ଦ୍ବାରା ଧାନ ସଂଗ୍ରହ ହେବ। ୩୨ ଲକ୍ଷ ୯୩ ହଜାର କୁଇଣ୍ଟାଲ ଧାନ ସଂଗ୍ରହ ଲକ୍ଷ ଧାର୍ଯ୍ୟ କରାଯାଇଛି। ହେଲେ ଆଜିଯାଏଁ ମୋଟ୍‌ ୭୦ଟି ମଣ୍ଡି ଖୋଲିଛି। ବୀରମହାରାଜପୁର ଚାଷୀ ଶମ୍ଭୁ ସେଠୀ କହିଛନ୍ତି, ଧାନ ଅମଳ କରି ରଖିଛୁ କିନ୍ତୁ ମଣ୍ଡି ଖୋଲୁନଥିବାରୁ ବିକ୍ରି କରିପାରୁନି। ସୂଚନାଥାଉକି ସୁବର୍ଣ୍ଣପୁର ଜିଲ୍ଲାରେ ୬ଟି ବ୍ଲକ୍‌ ମଧ୍ୟରୁ ବିନିକା ଓ ଡୁଙ୍ଗୁରିପାଲି ବ୍ଲକ୍‌ରେ ୮୦ ପ୍ରତିଶତ ଧାନ ଅମଳ ହୋଇସାରିଛି। ଅନ୍ୟ ୪ଟି ବ୍ଲକ୍‌ରେ ୫୦ ପ୍ରତିଶତ ଧାନ ଅମଳ ହୋଇଛି। ବିନିକା ଏବଂ ଡୁଙ୍ଗୁରିପାଲି ବ୍ଲକ୍‌ରେ ପ୍ୟାକ୍ସରେ ଧାନ କିଣା ଆରମ୍ଭ ହୋଇଥିଲା ବେଳେ ଅନ୍ୟ ଅଂଚଳରେ ଚାଷୀ ଏବେ ମଣ୍ଡି ଖୋଲିବାକୁ ଅପେକ୍ଷା କରି ରହିଛନ୍ତି। ବ୍ଲକ୍‌ରେ ଧାନ କିଣା ଆରମ୍ଭ ହୋଇନଥିବାରୁ ବେପାରୀମାନେ କମ୍‌ ଦରରେ ଧାନ କିଣି ମାଲେମାଲ୍‌ ହେଉଛନ୍ତି। ପଡ଼ୋଶୀ ଜିଲ୍ଲାକୁ ଧାନ ଚୋରାଚାଲାଣ ହେଉଥିବା ଅଭିଯୋଗ ହେଉଛି।

ଏନେଇ ଜିଲ୍ଲାପାଳଙ୍କୁ ପଚାରିବାରୁ, ବିଭିନ୍ନ ସ୍ଥାନରେ ପର୍ଯ୍ୟାୟକ୍ରମେ ମଣ୍ଡି ଖୋଲାଯାଉଛି। କମ୍ ଦିନ ମଧ୍ୟରେ ସମସ୍ୟା ସମାଧାନ ହୋଇଯିବ ବୋଲି କହିଛନ୍ତି। ଅନ୍ୟପଟେ ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଂଗଠନର ବୈକୁଣ୍ଠ ଶତପଥୀ କହିଛନ୍ତି, ସୁବର୍ଣ୍ଣପୁର ଜିଲ୍ଲାରେ ଧାନ କିଣାକୁ ନେଇ ଯେଉଁ ପ୍ରସ୍ତୁତ ବୈଠକ ହୋଇଥିଲା ସେଥିରେ ମନ୍ତ୍ରୀ, ସାଂସଦ, ଜିଲ୍ଲାପାଳ ଏବଂ ଯୋଗାଣ ବିଭାଗର ବରିଷ୍ଠ ଅଧିକାରୀ ନଭେମ୍ବର ୨୦ ରେ ସମସ୍ତ ମଣ୍ଡି ଖୋଲିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବର୍ତ୍ତମାନ ଏହି ପ୍ରତିଶ୍ରୁତି ପାଳନ ହୋଇପାରିନାହିଁ। ମଣ୍ଡି ଖୋଲା ହୋଇନଥିବାରୁ ଚାଷୀ କମ୍ ଦରରେ ଧାନ ବିକ୍ରି କରୁଛି। ତେଣୁ ସମସ୍ତ ମଣ୍ଡିରେ ଶୀଘ୍ର ଧାନ କିଣାନଗଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବବୋଲି କହିଛନ୍ତି।