ଝରିଗାଁ: ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକରେ ଧାନ ମଣ୍ଡି ଖୋଲି ୭ଦିନ ବିତିଲାଣି। ମଣ୍ଡିରେ ଧାନ ବିକ୍ରି କରିବା ପାଇଁ କିଛି ଚାଷୀଙ୍କୁ ଟୋକନ୍ ମଧ୍ୟ ମିଳିଛି। କିନ୍ତୁ ଟାର୍ଗେଟ ଆସି ନଥିବା ସହ ମିଲର୍ସମାନଙ୍କ ସହ ଚୁକ୍ତିନାମା ହୋଇ ନଥିବାରୁ ଚାଷୀ ମଣ୍ଡିରେ ଧାନ ବିକ୍ରି କରିପାରୁନାହାନ୍ତି।
ସୋମବାର ଦିନ ଝରିଗାଁ, ମଙ୍ଗଳବାର ଦିନ ଏକମ୍ବା, ବୁଧବାର ଦିନ ଚଚା, ଗୁରୁବାର ଦିନ ଧୋଡ୍ରା, ଶୁକ୍ରବାର ଦିନ ଛାଟିଗୁଡା ଏବଂ ଶନିବାର ଦିନ ବେଲଗାଁଠାରେ ଧାନ ମଣ୍ଡି ଉଦ୍ଘାଟିତ ହୋଇଛି। ମଣ୍ଡି ଉଦ୍ଘାଟନ ପୂର୍ବରୁ ବ୍ଲକର କିଛି ଚାଷୀକୁ ଟୋକନ୍ ମିଳିଥିଲା। ଟୋକେନ ମିଳିବା ପରେ ମଣ୍ଡିରେ ଧାନ ବିକ୍ରି ଉପଯୁକ୍ତ ମୂଲ୍ୟ ପାଇବେ ବୋଲି ଚାଷୀ ଆଶାରେ ଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ମଣ୍ଡି ପାଇଁ ଟାର୍ଗେଟ ଆସିନି।
ଅନ୍ୟପଟେ ପ୍ରଶାସନ ସହ ମିଲରମାନଙ୍କ ମଧ୍ୟରେ ଚୁକ୍ତିନାମା ହୋଇପାରିନି। ଫଳରେ ମଣ୍ଡି ଖୋଲିବାର ୭ଦିନ ପରେ ମଧ୍ୟ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବାରୁ ବଞ୍ଚିତ ରହିଛନ୍ତି। ଅନ୍ୟପଟେ କିଛି ଚାଷୀ ମଣ୍ଡିକୁ ଅପେକ୍ଷା ନକରି ବଜାରରେ ଭଲ ଦରରେ ଧାନ ବିକ୍ରି ହେଉଥିବାରୁ ବ୍ୟବସାୟୀମାନଙ୍କୁ ଧାନ ବିକ୍ରି କରୁଥିବା ଶୁଣିବାକୁ ମିଳିଛି। ମଣ୍ଡିରେ ଧାନ ବିକ୍ରି ପାଇଁ ଗଲେ କଟନି ଛଟନି କରାଯାଉଥିବା ବେଳେ ଧାନ ବିକ୍ରି କରିବା ଚାଷୀଙ୍କୁ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି। ସେହିପରି ହଜାର ହଜାର ଟଙ୍କା ଖର୍ଚ୍ଚ କରି ଧାନବସ୍ତା ମଣ୍ଡି ନିକଟକୁ ନେବା ପାଇଁ ପଡୁଛି। ଧାନ ବିକ୍ରି ହୋଇନପାରିଲେ ରାତିରେ ଶୀତ କାକରରେ ଜଗିବାକୁ ପଡୁଛି। ଧାନ ବିକ୍ରି କରିବା ପରେ ଟଙ୍କା ପାଇବା ପାଇଁ ମଧ୍ୟ ମାସ ମାସ ଅପେକ୍ଷା କରିବା ପାଇଁ ପଡୁଛି। ସ୍ଥାନୀୟ ବ୍ୟବସାୟୀଙ୍କ ନିକଟରେ ଧାନ ବିକ୍ରି କଲେ ମଣ୍ଡି ଦରଠାରୁ ଅଧିକ ଲାଭ ଏବଂ ତୁରନ୍ତ ଟଙ୍କା ମିଳୁଥିବାରୁ କିଛି ଚାଷୀ ବ୍ୟବସାୟୀଙ୍କୁ ଧାନ ବିକ୍ରି କରୁଥିବା ବରିଷ୍ଠ ଚାଷୀ ମୋହନ ପ୍ରଧାନୀ କହିଛନ୍ତି। ଏଭଳି ସ୍ଥିତିରେ ତୁରନ୍ତ ମଣ୍ଡିରେ ଧାନ କିଣିବା ପାଇଁ ଚାଷୀ ମହଲରେ ଦାବି ହୋଇଛି।