ନିୟମ ବାହାରେ ଧାନ ମଣ୍ଡି: ଚାଷୀ କଲବଲ, ମିଲର୍‌ ମାଲାମାଲ୍‌

ପାରଳାଖମୁଣ୍ତି : ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ଚଳିତ ବର୍ଷ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ନୂତନ ନିୟମ କରା ଯାଇଥିଲା। ଏହି ନିୟମ ପାଳି ଚାଷୀଙ୍କ ଧାନ ଶୃଙ୍ଖଳିତ ପ୍ରକ୍ରିୟାରେ କିଣିବା ପାଇଁ ସମସ୍ତ ମଣ୍ଡିକୁ ନିର୍ଦ୍ଦେଶ ଦିଆ ଯାଇଥିଲା। ତେବେ ଗଜପତି ଜିଲ୍ଲାରେ ଯୋଗାଣ ବିଭାଗର ନିୟମ ଓ ମଣ୍ଡିରେ ଧାନ କିଣା ପ୍ରକ୍ରିୟାରେ କୌଣସି ତାଳମେଳ ନାହିଁ। ନିୟମକୁ ଫୁ’ କରି ମଣ୍ଡିରେ ମନଇଚ୍ଛା ବେଆଇନ ଭାବେ ଧାନ କିଣା ଯାଉଥିବା ବେଳେ ପ୍ରକୃତ ଚାଷୀ ଧାନ ବିକି ନପାରି ଚିନ୍ତାରେ ପଡ଼ିଛି।
ବେଆଇନ ଭାବେ କେତେକ ଚାଷୀ ଧାନଚାଷ ନକରି ମଧ୍ୟ ଶତାଧିକ କ୍ବିଣ୍ଟାଲ୍ ଧାନ ବିକ୍ରି କରି ପାରୁଥିବା ବେଳେ ପ୍ରକୃତ ଚାଷୀ କିନ୍ତୁ ପାଞ୍ଚ ଦଶ କ୍ବିଣ୍ଟାଲ୍ ଧାନ ବିକ୍ରି କରିପାରୁ ନାହାଁନ୍ତି। ଟୋକନ୍ ଅଛି, ତଥାପି କାମରେ ଆସୁନି। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲାପାଳ ଅନୁପମ ଶାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ୨ ଜଣ ସେବା ସମବାୟ ସମିତି ସଂପାଦକଙ୍କୁ ନିଲମ୍ବିତ କରିଥିବା ବେଳେ ଜଣେ ଚାଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ତେବେ କେବଳ ଏହି ଗୋଟିଏ ଦୁଇଟି ଘଟଣା ନୂହେଁ, ଜିଲ୍ଲାରେ ପ୍ରାୟ ସମସ୍ତ ମଣ୍ଡିରେ ବ୍ୟାପକ ଅନିୟମିତତା ଚାଲିଥିବା ସଙ୍ଗିନ୍ ଅଭିଯୋଗ ଆଣିଛନ୍ତି ବରିଷ୍ଠ ଚାଷୀ ନେତା ସୂର୍ଯ୍ୟ ନାରାୟଣ ପଟ୍ଟନାୟକ। ‘ସମ୍ବାଦ’କୁ କହିଛନ୍ତି, ସରକାରୀ ଯୋଜନାକୁ ଗୋଳିଆ କରିବା ପଛରେ ମୁଖ୍ୟ ଖଳନାୟକ ହେଉଛନ୍ତି ମିଲ୍ ମାଲିକ। କାରଣ ଗଜପତି ଜିଲ୍ଲାର ଯୋଗାଣ ବିଭାଗ ବାସ୍ତବରେ ମିଲ୍ ମାଲିକଙ୍କ ଦ୍ବାରା ପରିଚାଳିତ। ଏହି କାରଣରୁ ଟୋକନ୍‌ ଥିଲେ ମଧ୍ୟ ସେମାନେ ନିୟମକୁ ବେଖାତିର କରି ଚାଷୀଙ୍କ ଠାରୁ ଧାନ କିଣୁ ନାହାନ୍ତି। ସେହିପରି ଚାଷୀଙ୍କ ଅଖାମୂଲ୍ୟ, କୁଲି ଖର୍ଚ୍ଚ ଓ ବାଟ ଖର୍ଚ୍ଚ ଟଙ୍କାକୁ ଚାଷୀକୁ ନଦେଇ ନିଜେ ଖାଇ ଯାଉଛନ୍ତି।
ବଡ଼କଥା ହେଉଛି, ଏ ବିଷୟରେ ଯୋଗାଣ ଅଧିକାରୀ, ସହକାରୀ ଯୋଗାଣ ଅଧିକାରୀ ଓ ଯୋଗାଣ ନିରୀକ୍ଷକ ଜାଣିଥିଲେ ମଧ୍ୟ ନଜାଣିବା ପରି ଅଭିନୟ କରୁଛନ୍ତି। ମିଲର୍‌ମାନେ କ୍ବିଣ୍ଟାଲ୍ ପିଛା ୬୦ ଟଙ୍କାରୁ ଅଧିକ ହଡ଼ପ କରୁଛନ୍ତି। ଗତ ୨୫ ତାରିଖ ଦିନ ସନ୍ଧ୍ୟାରେ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନେକ ଚାଷୀ ମିଲ୍ ମାଲିକ ମାନେ ବସ୍ତାପିଛା ୧୦୦ ଟଙ୍କା ଅଧିକ ନେଉଥିବା ଅଭିଯୋଗ କରି ଏହାକୁ ଫେରସ୍ତ ଦାବି କରିଥିଲେ। ଫଳରେ ବାଧ୍ୟ ହୋଇ କିଛି ମିଲ୍ ମାଲିକ ଚାଷୀଙ୍କ ଟଙ୍କା ଫେରାଇଥିଲେ। ସେହିପରି ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଟୋକନ୍‌ ନମିଳିବା ଏକ ପ୍ରଧାନ ସମସ୍ୟା ହୋଇଛି। ଏ ନେଇ ସ୍ଥାନୀୟ ଅଞ୍ଚଳର ଏକାଧିକ ଚାଷୀ ଜିଲ୍ଲାପାଳଙ୍କୁ ଚିଠି ଲେଖି ସମସ୍ୟା ଜଣାଇଛନ୍ତି। ଗୋଷାଣୀ ବ୍ଲକ୍ ତାମ୍ପରକଇଠା ଗ୍ରାମର ମହିଳା ଚାଷୀ କୁମାରୀ ବିଶ୍ବାଳଙ୍କ ୮ ଏକର ଜମି ରହିଛି। ସେ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଛନ୍ତି। କିନ୍ତୁ ଏଯାଏ ତାଙ୍କୁ ଟୋକନ୍‌ ମିଳିପାରୁ ନାହିଁ। ଅନେକ ଚାଷୀ ଏଭଳି ସମସ୍ୟା ପାଇଁ ବାଧ୍ୟ ହୋଇ କମ୍ ମୂଲ୍ୟରେ ଦଲାଲ୍ ମାନଙ୍କୁ ଧାନ ବିକ୍ରି କରୁଛନ୍ତି। ଧାନ କିଣା ଅବଧି ସରିବାକୁ ବସିଥିବା ବେଳେ ଏବେବି ୨୦ ରୁ ୩୦ ପ୍ରତିଶତ ଚାଷୀ ଧାନ ବିକି ନପାରି ବସିଛନ୍ତି।
ସମ୍ବନ୍ଧିତ ଖବର