ଖୋର୍ଦ୍ଧା : ଆହୁରି ୧୫ ଦିନ ଘୁଞ୍ଚିଲା ଜିଲ୍ଲାରେ ଧାନମଣ୍ଡି ସ୍ଥାପନ

ଖୋର୍ଦ୍ଧା : ଜିଲ୍ଲାରେ ଧାନମଣ୍ଡି ସ୍ଥାପନ ଆହୁରି ୧୫ ଦିନ ଘୁଂଚିଯାଇଛି । ଡିସେମ୍ବର ୧୬ ତାରିଖରୁ ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହେବ ।

ଚଳିତ ବର୍ଷ ନଭେମ୍ବର ଦ୍ୱତୀୟ ସପ୍ତାହରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଖରିଫ ଧାନ ସଂଗ୍ରହ ବୈଠକରେ ଡିସେମ୍ବର ୧ ତାରିଖରୁ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ତେବେ ଏହା ୧ ତାରିଖରୁ ନୁହେଁ ୧୬ ତାରିଖରୁ ଆରମ୍ଭ ହେବ ବୋଲି ଯୋଗାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ୨୦୧୯-୨୦ ଖରିଫ ଋତୁରେ ଜିଲ୍ଲାରେ ଧାନ ସଂଗ୍ରହ ଅନୁରୂପ ଭାବେ ଡିସେମ୍ବର ୧ ତାରିଖରୁ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ୯ ଦିନ ବିଳମ୍ବରେ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ୫ଟି ମଣ୍ଡି ଖୋଲାଯାଇ ଧାନ ସଂଗ୍ରହ କରାଯାଇଥିଲା ।

ଏନେଇ ଯୋଗାଣ ଅଧିକାରୀ ଅନାମ ଚରଣ ସ୍ୱାଇଁଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଖରିଫ ଋତୁରେ ଧାନ ବିକ୍ରି କରିବା ପାଇଁ ୪୪,୬୪୯ଜଣ ଚାଷୀ ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ପଂଜୀକରଣ କରିଛନ୍ତି । ଏହା ମଧ୍ୟରେ ୧୩୯ଟି ପିଏସି ଦ୍ୱାରା ୧୫୩ଟି କେନ୍ଦ୍ରରେ ଧାନ ସଂଗ୍ରହ କରିବା ବ୍ୟବସ୍ଥା ହୋଇଛି । ତେବେ ଧାନ ସଂଗ୍ରହରେ ଜିଲ୍ଲାର ୧୬ଟି ମିଲର ଭାଗ ନେଇଥିଲେ । ସେମାନେ ସରକାରଙ୍କ ନିର୍ଦ୍ଧାରିତ ବ୍ୟବସ୍ଥା ଅନୁସାରେ ପଂଜୀକରଣ କରିଛନ୍ତି, ତେବେ ସେମାନଙ୍କ କାଗଜପତ୍ର ଓ ଜମା ଟଙ୍କା ଆଦି ଗ୍ରହଣ ହେବାରେ ବିଳମ୍ବ ଘଟିବାରୁ ଧାନ ସଂଗ୍ରହ ତାରିଖକୁ ଘୁଂଚାଇ ଦିଆଯାଇଛି ।

ସମ୍ବନ୍ଧିତ ଖବର