ଧାନ ଦର ବିବାଦ ତେଜିଲା

ବିଜେପିକୁ ନବୀନଙ୍କ ରୋକଠୋକ୍‌ ଜବାବ : ଏଠି ନୁହେଁ, କେନ୍ଦ୍ର ପାଖରେ ଆନ୍ଦୋଳନ କର

ଭୁବନେଶ୍ୱର : ବିଧାନସଭା ପୂର୍ବରୁ ଚାଷୀ ପ୍ରସଙ୍ଗକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ସ୍ଥିତିକୁ ଆସିଛନ୍ତି। ଆସନ୍ତାକାଲି ସଚିବାଳୟ ଘେରାଉ କରିବା ଲାଗି ବିଜେପି ଡାକରା ଦେଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀରୁ ଫେରି ପାଲଟା ଆକ୍ରମଣ କରିଛନ୍ତି।

ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯିବା ଆବଶ୍ୟକ। ଏ ନେଇ ସେ କେନ୍ଦ୍ର ନିକଟରେ ଦାବି ରଖିଛନ୍ତି। ହେଲେ କେନ୍ଦ୍ର ଶୁଣୁନି। ଏଣୁ ବିଜେପି କୃଷକ ମୋର୍ଚ୍ଚା ସଚିବାଳୟ ସାମ୍ନାରେ ବିକ୍ଷୋଭ ନ କରି କେନ୍ଦ୍ର ସରକାରଙ୍କ ପାଖରେ କରୁ। ସେମାନଙ୍କୁ ବିଜେଡି ବି ସମର୍ଥନ କରିବ।

ମୁଖ୍ୟମନ୍ତ୍ରୀଙ୍କ ଏଭଳି ରୋକଠୋକ ଜବାବ ବିଧାନସଭା ପୂର୍ବରୁ ଓଡ଼ିଶା ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ବିଧାନସଭା ଭିତରେ ବିଜେଡି ଏ ପ୍ରସଙ୍ଗରେ ଯେ ଅତ୍ୟନ୍ତ କଡ଼ା ଆଭିମୁଖ୍ୟ ଗ୍ରହଣ କରିବ, ନବୀନଙ୍କ କଥାରୁ ଏ ସଙ୍କେତ ବି ମିଳୁଛି।

ପୂର୍ବରୁ କଂଗ୍ରେସ ମଧ୍ୟ ଏ ପ୍ରସଙ୍ଗରେ ନିଜ ମନୋଭାବ ସ୍ପଷ୍ଟ କରିସାରିଥିଲା। ଧାନର ସର୍ବନିମ୍ନ ମୂଲ୍ୟ ପ୍ରସଙ୍ଗରେ କାହା ସହିତ ସାଲିସ୍‌ କରାଯିବ ନାହିଁ ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର ରୋକ୍‌ଠୋକ୍‌ କହିଥିଲେ। ଦୁଇ ପ୍ରମୁଖ ରାଜନୈତିକ ଦଳର ଏଭଳି ମାନସିକତା ବିଜେପିକୁ ଅକଳରେ ପକାଇବାର ସମ୍ଭାବନା ସୃଷ୍ଟି କରିଛି।

ଉଲ୍ଲେଖଯୋଗ୍ୟ, ଏମ୍‌ଏସ୍‌ପି କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କା କରିବା ଲାଗି ଯେଉଁ ସଂକଳ୍ପ ପାରିତ ହୋଇଥିଲା

ସେଥିରେ ବିଜେପି ବିଧାୟକମାନେ ଦସ୍ତଖତ କରିଥିଲେ। ହେଲେ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ସମୟ ମଗାଗଲା, ସମୟ ମିଳିଲାନି। ବିଜେପି ସଭ୍ୟମାନେ ଗତ ଅଧିବେଶନରେ ସରକାରଙ୍କୁ ତାତ୍ସଲ୍ୟ କରିଥିଲେ ଓ କେବେ ଓ କିଏ ଚିଠି କରିଥିଲା ସେ ନେଇ କୈଫିୟତ ଲୋଡିଥିଲେ। ବିଜେପି କେନ୍ଦ୍ରୀୟ ନେତାମାନେ ମଧ୍ୟ ବାହାରେ ମତ ରଖି ଏହାକୁ ଏଡାଇ ଯାଇଥିଲେ। ହେଲେ ଗତ ୧୭ ତାରିଖ ଦିନ ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁସାରେ, ଖୋଦ୍‌ ବାଚସ୍ପତି ପ୍ରଧାନମନ୍ତ୍ରୀଙ୍କୁ ସମୟ ମାଗିଛନ୍ତି। ଏବେ ବାଚସ୍ପତିଙ୍କ ଅନୁରୋଧକୁ ପ୍ରଧାନମନ୍ତ୍ରୀ ଗ୍ରହଣ କରି ଯଦି ଗୃହ କମିଟିକୁ ଆଲୋଚନା ପାଇଁ ଡାକିବା ଯେତିକି ଅସମ୍ଭବ ମନେ ହେଉଛି, ସମୟ ନ ଦେଲେ, ବିରୋଧୀ ଓ ଶାସକ ମିଶି କେନ୍ଦ୍ରକୁ ତୀବ୍ର ଆକ୍ରମଣ କରିବା ସମ୍ଭାବନା ସେତିକି ଉଜ୍ଜଳ ହୋଇଉଠୁଛି। ଏଥିସହିତ ରାଜ୍ୟ ବିଜେପି ପାଇଁ ଅତ୍ୟନ୍ତ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି।

ବିଜେପି ଚାଷୀ ସହିତ ଅଛି, ଏକଥା ଜଣାଇବା ଲାଗି ଆସନ୍ତାକାଲି ସଚିବାଳୟ ଘେରାଉ ଡାକରା ଦେଇଥିବା ବେଳେ ତା ପୂର୍ବରୁ ନବୀନଙ୍କ ଉତ୍ତର, ଘଟଣାକୁ ଭିନ୍ନ ମୋଡ଼ ଦେଲାଣି।

ଆଜି ସଚିବାଳୟରେ ପଶିବ ବିଜେପି

ଭୁବନେଶ୍ୱର : ବର୍ଷା ଯୋଗୁଁ ନଷ୍ଟ ହୋଇଥିବା ଫସଲର କ୍ଷୟକ୍ଷତି ଆକଳନ ୨୫ ତାରିଖ ସୁଦ୍ଧା ଶେଷ କରି ରିପୋର୍ଟ ଦେବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ସମୟସୀମା ଶେଷ ହୋଇଥିଲେ ବି ସରକାର କ୍ଷୟକ୍ଷତି ନେଇ କୌଣସି ସୂଚନା ସର୍ବସାଧାରଣରେ ଦେଇ ନାହାନ୍ତି। ବିଜେପି ଆଜି ଏହି ପ୍ରସଙ୍ଗରେ ସରକାରଙ୍କୁ ଭର୍ତ୍ସନା କରିଛି। ପ୍ରଶ୍ନ କରିଛି, ସରକାରଙ୍କ ଦ୍ୱାରା ଘୋଷିତ ସମୟସୀମା ଶେଷ ହେବା ସତ୍ତ୍ୱେ କାହିଁକି କ୍ଷୟକ୍ଷତି ଆକଳନ ସରି ନାହିଁ ?

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ କହିଲେ, ଯେହେତୁ କ୍ଷୟକ୍ଷତି ଆକଳନ ସରୁ ନାହିଁ, ତେଣୁ ଚାଷୀଙ୍କୁ କ୍ଷତିପୂରଣ ଦେବାରେ ଅହେତୁକ ବିଳମ୍ବ ହେବା ନିଶ୍ଚିତ। ଅଦିନିଆ ବର୍ଷା କାରଣରୁ ରାଜ୍ୟର ଚାଷୀ କୂଳ ସଙ୍କଟରେ ଅଛି। ଫସଲ ହାନୀ ଓ ଋଣ ଭାର କାରଣରୁ ଚାଷୀ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଉଛି। ଚାଷୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ବିଜେଡି ସରକାର ବଡ଼ ବଡ଼ କଥା କହୁଥିଲା ବେଳେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ତାହାକୁ କାହିଁକି କାର୍ଯ୍ୟକାରୀ କରାଯାଉ ନାହିଁ। ଓଡ଼ିଆ ଚାଷୀଙ୍କ ହକ୍‌ ପାଇଁ ବିଜେପି ଲଢ଼େଇ ଜାରି ରଖିବ। ଏହି ପରିପ୍ରେକ୍ଷୀରେ ୨୭ ତାରିଖ ଦିନ ବିଜେପି କୃଷକ ମୋର୍ଚ୍ଚା ସଚିବାଳୟ ଯାଇ ସରକାରଙ୍କୁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିବେ। କୃଷି ଋଣ ଛାଡ଼ କରିବା ସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ରାଜ୍ୟ ସରକାର କ୍ୱିଣ୍ଟାଲ ପିଛା ୩୦୦ ଟଙ୍କା ବୋନସ୍‌ ପ୍ରଦାନ କରିବାକୁ ବିଜେପି ଦାବି କରିଛି। ସେହିଭଳି ଭାଗଚାଷୀ ଚିହ୍ନଟ,ନକଲି ବିହନ ଓ କୀଟନାଶକ ଘଟଣାରେ ଦୋଷୀଙ୍କୁ ଦଣ୍ଡ ଆଦି ପ୍ରସଙ୍ଗ ମଧ୍ୟ ବିଜେପି ଉଠାଇଛି। ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ସମୀର ମହାନ୍ତି, ସଜ୍ଜନ ଶର୍ମା, ପିତାମ୍ବର ଆଚାର୍ଯ୍ୟ ଓ ଦିଲ୍ଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର