ଧାନ ଯନ୍ତ୍ରଣା : ଟୋକନ୍‌ ଆସିଛି, ହେଲେ କିଣା‌ଯାଉନି

ନୟାଗଡ଼ : ଆଉ ମାତ୍ର ୧୫ ଦିନ ପରେ ଚଳିତ ଖରିଫ୍‌ ଋତୁ ନିମନ୍ତେ ଧାନ କ୍ରୟ ପ୍ରକ୍ରିୟା ଶେଷ ହେବ। କିନ୍ତୁ ଏ ପର୍ଯ୍ୟନ୍ତ ଜିଲ୍ଲାରେ ସମସ୍ତ ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ କିଣା ଯାଇ ପାରିନାହିଁ। ଯେଉଁଥିପାଇଁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଅନେକ ସ୍ଥାନରେ ଜିଲ୍ଲାର ଶହ ଶହ ଚାଷୀ ଅଭାବୀ ବିକ୍ରିର ମଧ୍ୟ ‌ଶିକାର ହୋଇଛନ୍ତି। ଏଭଳି ଅବ୍ୟବସ୍ଥା ପୁଣି ଖୋଦ୍‌ କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଜିଲ୍ଲାରେ ଦେଖାଦେଇଛି। ପରିତାପର ବିଷୟ ‌ହେଲା ଚାଷୀଙ୍କୁ ମାସ ମାସ ହେବ ଟୋକନ୍‌(ମୋବାଇଲକୁ ମ୍ୟାସେଜ୍) ଆସିସାରିଥିବା ବେଳେ, ସେବା ସମବାୟ ସମିତି (ପ୍ୟାକ୍ସ) କର୍ତ୍ତୃପକ୍ଷ ଟାର୍ଗେଟ୍‌ ପୂରଣ ଆଳ ଦେଖାଇ ଧାନ ନେଉ ନାହାନ୍ତି।

ନୟାଗଡ଼ ବ୍ଲକ୍‌ର ଚମ୍ପତ୍ତିପୁର ପ୍ୟାକ୍ସଠାରୁ ଆରମ୍ଭ କରି ଦଶପଲ୍ଲାର ଜଳେଶ୍ବର ପ୍ୟାକ୍ସ, ଖମାରସାହି, ମଧ୍ୟଖଣ୍ଡ, ଘୋଳାହାଣ୍ଡି ଆଦି ପ୍ୟାକ୍ସର ଚାଷୀ ଧାନ ବିକ୍ରି କରି ପାରିନାହାନ୍ତି। ସେହିଭଳି ରଣପୁରର ବଳଭଦ୍ରପୁର, ଦହିଖାଇ(ଲୋଧାଚୁଆ), ସୁରୁକା‌ବାଡ଼ି ଆଦି ପ୍ୟାକ୍ସର ଚାଷୀ ଟୋକନ୍‌ ପାଇଥିବା ବେଳେ ସେମାନଙ୍କଠାରୁ ଧାନ କିଣାଯାଉନାହିଁ। ଦହିଖାଇ(ଲୋଧାଚୁଆ) ପ୍ୟାକ୍ସ ଅଧୀନ ଚାଷୀ ରାମଚନ୍ଦ୍ର ପ୍ରଧାନ, ଯୋଗେନ୍ଦ୍ର ଭୋଳ, ଗୋପାଳଚନ୍ଦ୍ର ଦାସ, ସୁରେଶଚନ୍ଦ୍ର ମହାନ୍ତି, ମଦନ ପାଢ଼ୀ ପ୍ରମୁଖ ଆମଠାରୁ ସରକାର କେବେ ଧାନ କିଣିବେ ବୋଲି ପ୍ରଶ୍ନ କରିଛନ୍ତି। ମିଲର୍ସମାନେ ଗାଁ ଗାଁ ବୁଲି ଦଲାଲ ଜରିଆରେ ସରକାରୀ ଦରଠାରୁ ଯଥେଷ୍ଟ କମ୍‌ ଦରରେ କିଣିଥିବା ଧାନକୁ ଏହି ପଞ୍ଜୀକୃତ ନକଲି ଚାଷୀଙ୍କ ନାମରେ ବିକ୍ରି କରାଯାଇଛି। ଫଳରେ ପ୍ରକୃତ ଚାଷୀଙ୍କ ବେଳକୁ ଟାର୍ଗେଟ୍‌ ନଥିବା ପ୍ୟାକ୍ସ କର୍ତ୍ତୃପକ୍ଷ ଆଳ ଦେଖାଉଥିବା ଅଭିଯୋଗ ଆସିଛି। ଏଭଳି ନକଲି ଚାଷୀ ପଞ୍ଜୀକରଣ ନିମନ୍ତେ ଚଳିତ ବର୍ଷ ୫ରୁ ଅଧିକ ସମ୍ପାଦକ ନିଲମ୍ବିତ ହୋଇଛନ୍ତି। ଓଡ଼ଗାଁର ପଞ୍ଚରିଡ଼ାମାନପୁର ପ୍ୟାକ୍ସଠାରୁ ଆରମ୍ଭ କରି ଖଣ୍ଡପଡ଼ାର ସଂଘାପଡ଼ା ସମେତ ନାନା ପ୍ୟାକ୍ସରେ ଚାଷୀ ଆନ୍ଦୋଳନ ମଧ୍ୟ ଦେଖିବାକୁ ମିଳିଥିଲା।

ଚଳିତ ବର୍ଷ ଜିଲ୍ଲାରେ ୪୩ ହଜାର ୧୩୪ ଜଣ ଚାଷୀ ଧାନ ବିକ୍ରି କରିବାକୁ ପଞ୍ଜୀକୃତ ହୋ‌ଇଥିବା ବେଳେ, ୩୫ ହଜାର ୧୩ ଜଣଙ୍କଠାରୁ ଧାନ କିଣାଯାଇଛି। ଯେତିକି ଚାଷୀ ପଞ୍ଜୀକୃତ ହୁଅନ୍ତି, ସମସ୍ତେ ଧାନ ବିକ୍ରି କରନ୍ତି ନାହିଁ, ତେଣୁ ପଞ୍ଜୀକୃତ ହୋଇଥିବା ଚାଷୀଙ୍କ ସଂଖ୍ୟାକୁ ବିଚାର କଲେ ପାଖାପାଖି ୫ ହଜାରରୁ ଅଧିକ ଚାଷୀ ଏବେବି ଧାନ ବିକିବା ଅପେକ୍ଷାରେ ରହିଛନ୍ତି। ଆସନ୍ତା ୧୫ ଦିନ‌ ମଧ୍ୟରେ ସମସ୍ତ ଚାଷୀଙ୍କଠାରୁ ଧାନ କିଣା ଯାଇପାରିବ କି ନାହିଁ, ସେଥିନେଇ ସ‌ନ୍ଦେହ ପ୍ରକାଶ ପାଇଛି। ୧୪ ଲକ୍ଷ ୨୬ ହଜାର କ୍ବିଣ୍ଟାଲ ଧାନ କିଣା ଟାର୍ଗେଟ୍‌ ଥିବା ବେଳେ, ଜିଲ୍ଲାରେ ବର୍ତ୍ତମାନ ପ୍ରାୟ ୧୩ ଲକ୍ଷ ୯୭ ହଜାର କ୍ବିଣ୍ଟାଲ ଧାନ କିଣାସରିଥିବା ଜଣାପଡ଼ିଛି। ଏ ବାବଦରେ ଜିଲ୍ଲା ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକ କହିଛନ୍ତି, ଟାର୍ଗେଟ୍‌ ନ ଥିବାରୁ ଆମେ ଧାନ କିଣିପାରିନାହୁଁ। ଗତକାଲି ଟାର୍ଗେଟ୍‌ ଆସିଛି, ବାକି ଥିବା ସମସ୍ତ ଚାଷୀଙ୍କଠାରୁ ଆମେ ଧାନ କିଣିବୁ।

ସମ୍ବନ୍ଧିତ ଖବର