ଶ୍ରାବଣରେ ଟାଣ୍‌ ଖରା, ଧାନଗଛ ଝାଉଁଳୁଛି

ସିଂହପୁର: ଧାରା ଶ୍ରାବଣ ମାସରେ ଟାଣଖରା। ରୁଆ ହୋଇଥିବା ଧାନ ତଳି ଜଳିଯିବାକୁ ବସିଲାଣି। ଫସଲ କ୍ଷତି ଦେଖି ଚାଷୀ ମୁଁହରୁ ହସ ହଜିଗଲାଣି। ବିଂଝାରପୁର ବ୍ଲକର ସିଂହପୁର, ଓଳେଇଚନ୍ଦନପୁର, ବାଛୋଳ, ଟିଣା, ଜରୀ, ବାଙ୍ଗରା, ଫତେପୁର ସମେତ ଏହାର ଆଖପାଖ ଅଞ୍ଚଳରେ ଏଭଳି ଅବସ୍ଥା। ଚାଷୀମାନେ ବର୍ଷାଋତୁ ଆରମ୍ଭରୁ ଭଲ ବର୍ଷା ହେବାରୁ ଖୁସିମନରେ ଚାଷ ଆରମ୍ଭ କରିଥିଲେ। ଶାରଦ ଓ ବିଅଳି ଧାନ ରୁଆପୋତା କରିଥିଲେ। ଗତ ୫ ଦିନ ହେଲା ଶ୍ରାବଣ ମାସରେ ବୈଶାଖ ପରି ଟାଇଁଟାଇଁ ଖରାରେ ଧାନତଳି ଶୁଖି ଜଳିଯିବାକୁ ବସିଲାଣି।

ଚାଷଜମି ଫାଟିଗଲାଣି। ଏପରି ଅବସ୍ଥା ଦେଖି ଚାଷୀମୁଣ୍ତରେ ହାତ ଦେଲେଣି। ଏହି ଅଞ୍ଚଳରେ ଜଳସେଚନ ସୁବିଧା ନଥିବାରୁ ବର୍ଷା ଉପରେ ଚାଷୀ ନିର୍ଭର କରନ୍ତି। ଏଥିପାଇଁ ବ୍ୟାପକ କ୍ଷତି ସହୁଛନ୍ତି। ବାରମ୍ବାର କ୍ଷତି ଯୋଗୁ ଚାଷୀମାନେ ଚାଷପ୍ରତି ବିମୁଖ ହେଉଥିବା କହିଛନ୍ତି। ଏହାର ସମାଧାନ ପାଇଁ ସିଂହପୁର ଅଞ୍ଚଳକୁ ଜଳସେଚନ ବ୍ୟବସ୍ଥା କରିବାକୁ ଚାଷୀ ଗୋପାଳ ପ୍ରଧାନ, ନବଘନ ମଲିକ, ଭୀମସେନ ଖିଲାର, ଶ୍ବେତ ବେଉରିଆ, ଅଶୋକ ଧଳ, ପ୍ରମୋଦ ବେଉରିଆ, ନୀଳମଣି ସାହୁ, ସନାତନ ସାହୁ ପ୍ରଭୃତି ଦାବି କରିଛନ୍ତି।

ସମ୍ବନ୍ଧିତ ଖବର