ସରକ‌ାରଙ୍କ ଧାନ କିଣା ନିର୍ଦ୍ଦେଶକୁ ଫୁ : ଖଳାରେ ଭିଜୁଛି ହଜାର ହଜାର କୁଇଣ୍ଟାଲ ଧାନ, କୋଭିଡ଼ ଆଳରେ ନିଘୋଡ଼ ନିଦରେ ଯୋଗାଣ ବିଭାଗ

ଯାଜପୁର/କୋରେଇ : ରବି ଧାନ କିଣା ଧାର୍ଯ୍ୟ ଲକ୍ଷ୍ୟ ବଢ଼ିବା ପରେ ବି ଯୋଗାଣ ବିଭାଗ ଧାନ କିଣିବା ନାଁ ଧରୁନାହିଁ। ସେପଟେ କୋଭିଡ଼-୧୯ ଆଳରେ ଚାଷୀଙ୍କ ଉପରେ ରବି ଧାନ ଚାଷୀଙ୍କ ଉପରେ କୋରଡ଼ା ମାରୁଛି ଯୋଗାଣ ବିଭାଗ। ଏଭଳି ସ୍ଥିତିରେ ଚାଷୀଙ୍କ ଧାନ ବର୍ଷା ଓ ତୋଫାନରେ ଖଳାବାଡ଼ିରେ ପଡ଼ି ପଡ଼ି ନଷ୍ଟ ହେବାକୁ ବସିଲାଣି। ଚାଷୀ ମହଲରେ ଦେଖା ଦେଇଥିବା ଅସନ୍ତୋଷ ଆନ୍ଦୋଳନ ପାଇଁ ଦାନା ବାନ୍ଧୁଛି।

www.thehindu.com

ରବି ଧାନ ଅମଳକୁ ମାସେ ପୂରିଲାଣି। ଏଯାଏ ସରକାରୀ ଧାନମଣ୍ଡି ଖୋଲିଲା ନାହିଁ। ଫଳରେ ଚାଷୀମାନେ ଅମଳ ଧାନକୁ ବିକି ନପାରି ନାହିଁ ନଥିବା ଅସୁବିଧାର ଭୋଗୁଛନ୍ତି। ଗତ ଏପ୍ରିଲ୍‌ ମାସରେ ଯାଜପୁର ଜିଲ୍ଲାକୁ ମାତ୍ର ୭ ଶହ ମେଟ୍ରିକ୍‌ ଟନ୍‌ ଧାନ କିଣିବା ପାଇଁ ଧାର୍ଯ୍ୟଲକ୍ଷ୍ୟ ପ୍ରଦାନ କରାଯାଇଥିବା ବ‌େଳେ ଗତ ୨୬ ତାରିଖରେ ଆଉ ଅତିରିକ୍ତ ୫ ହଜାର ମେଟ୍ରିକ୍‌ ଟନ୍‌ ଧାନ କିଣିବା ପାଇଁ କୁହାଯାଇଛି। ପ୍ରଶାସନର ଟାଳଟୁଳ ନୀତି ଯୋଗୁଁ ଗତ ୨୬ ତାରିଖରୁ ଜିଲ୍ଲାକୁ ଆସିଥିବା ଅତିରିକ୍ତ ଧାର୍ଯ୍ୟ ଲକ୍ଷ୍ୟ ଏଯାଏ ଧାନମଣ୍ଡିଗୁଡ଼ିକ ମଧ୍ୟରେ ବଣ୍ଟନ ହେଉନାହିଁ। ଚାଷୀମାନଙ୍କ ଧାନ ବିକ୍ରି ହୋଇ ନପାରି ଖଳାରେ ପଡ଼ିପଡ଼ି ବର୍ଷାରେ ନଷ୍ଟ ହେବାକୁ ବସିଲାଣି। ଅନ୍ୟ ପକ୍ଷରେ ଅମ୍ଫାନ ବାତ୍ୟା ଓ ବାରମ୍ବାର କାଳ ବୈଶାଖୀ ଝଡ଼ତୋଫାନ ଚାଷୀଙ୍କ ପାଇଁ କାଳ ହୋଇଛି। ‌କାଳ ବୈଶାଖୀ ଝଡ଼ ତୋଫାନ ଓ ବର୍ଷାରେ ଅମଳ ଧାନ ଭିଜୁଥିବା ବେଳେ ଚାଷୀ ହତାଶ ହୋଇପଡ଼ିଛି। ଏପରି ଦୃଶ୍ୟ କୋରେଇ ବ୍ଲକ୍‌ ଅଞ୍ଚଳରେ ଦେଖିବାକୁ ମିଳିଛି। ଚାଷୀ ଧାନ ଅମଳ କରିସାରିଥିଲେ ହେଁ ବିକ୍ରି କରିପାରୁନାହାନ୍ତି। ଏହି ବ୍ଲକ୍‌ର କୋରେଇ, କ‌ନ୍ତୋର, ବରୁଣ୍ଡାଇ ପାକ୍ସରେ ଧାନମଣ୍ଡି ଖୋଲିବାକୁ ଅନ୍‌ଲାଇନ୍‌ ପଞ୍ଜୀକରଣ ହୋଇଥିବା ବ‌େଳେ ମୂଳାପାଳ ଓ ହାଟସାହିର ଦୁଇଟି ଏସ୍‌ଏଚ୍‌ଜିକୁ ମଧ୍ୟ ଧାନ କିଣିବାକୁ ଅନୁମତି ମିଳିଛି। ବ୍ଲକ୍‌ର ବିଭିନ୍ନ ପଞ୍ଚାୟତର ୧୦୯୫ ହେକ୍ଟର ଜମିରେ ରବି ଧାନ ଚାଷ ହୋଇଥିବାବେଳେ କୋରେଇ ସମବାୟ ସମିତି ଧାନମଣ୍ଡି‌ରେ ୧୬୩ ଜଣ ଚାଷୀ ଧାନ ବିକିବା ପାଇଁ ପଞ୍ଜୀକରଣ କରିଛନ୍ତି।

odishanewslens.com

କୋରେଇ ବ୍ଲକ୍‌ର କୋରେଇ ପାକ୍ସକୁ ମାତ୍ର ୨୫୦ କୁଇଣ୍ଟାଲ ଧାନ କିଣିବା ପାଇଁ ଧାର୍ଯ୍ୟଲକ୍ଷ୍ୟ ପ୍ରଦାନ କରାଯାଇଥିବା ବ‌େଳେ କନ୍ତୋର ପାକ୍ସକୁ ମାତ୍ର ୧୦୦ କୁଇଣ୍ଟାଲ ଧାନ କିଣିବା ପାଇଁ ଧାର୍ଯ୍ୟଲକ୍ଷ୍ୟ ପ୍ରଦାନ କରାଯାଇଛି। ଗତ ୨୦ ଦିନ ତଳୁ କୋରେଇ ପାକ୍ସର ବହୁ ଚାଷୀଙ୍କୁ ଧାନ ବିକିବା ପାଇଁ ଅନ୍‌ଲାଇନ୍‌ରେ ଟୋକନ୍‌ ମିଳିସାରିଛି। ଗତ ମାସ ୧୬ ତାରିଖରୁ ୧୯ ତାରିଖ ମଧ୍ୟରେ ଏହି ପାକ୍ସ ଅନ୍ତର୍ଗତ ମୃତ୍ୟୁଞ୍ଜୟପୁର ଗ୍ରାମର ପ୍ରଦୀପ କୁମାର ଦାସଙ୍କୁ ଟୋକନ୍‌ ନଂ ୭୯ରେ ୫୨.୦୮ କୁଇଣ୍ଟାଲ, ବ୍ରାହ୍ମଣଦା ଗ୍ରାମର ମନୋରଞ୍ଜନ ଦାସଙ୍କୁ ଟୋକନ୍‌ ନଂ ୮୮ରେ ୫୫.୪୪ କୁଇଣ୍ଟାଲ, ବଟିରା ଗ୍ରାମର ଶରତ କୁମାର ବିଶ୍ବାଳଙ୍କୁ ଟୋକନ୍‌ ନଂ ୫୭ରେ ୩୫.୪୦ କୁଇଣ୍ଟାଲ, ଚାରଦା ଗ୍ରାମର ପୁରୁଷୋତ୍ତମ ମହାନ୍ତିଙ୍କୁ ଟୋକନ୍‌ ନଂ ୧୧୪ରେ ୪୫.୧୨ କୁଇଣ୍ଟାଲ, ଖିଲିପଙ୍ଖାର କେଶବ ଚନ୍ଦ୍ର ବାରିକଙ୍କୁ ଟୋକନ୍‌ ନଂ ୧୩ରେ ୪୮.୪୮ କୁଇଣ୍ଟାଲ, ସାଦକପୁର ଗ୍ରାମର ବିଜୟ କୁମାର ସ୍ବାଇଁଙ୍କୁ ଟୋକନ୍‌ ନଂ ୩୯ରେ ୫୦.୪୦ କୁଇଣ୍ଟାଲ ପ୍ରଭୃତି ବିଭିନ୍ନ ଗ୍ରାମର ବହୁ ଚାଷୀଙ୍କୁ ଧାନ ବିକିବା ପାଇଁ ଅନ୍‌ଲାଇନ୍‌ରେ ଟୋକନ ମିଳିଛି। ଚାଷୀମାନେ ଧାନ ମଣ୍ଡିକୁ ଯିବା ବେଳେ ଦାୟିତ୍ବରେ ଥିବା ଲୋକମାନେ ଧାର୍ଯ୍ୟ ଲକ୍ଷ୍ୟ ମିଳି ନଥିବାରୁ ଧାନ କିଣିବାକୁ ଅକ୍ଷମତା ପ୍ରକାଶ କରୁଛନ୍ତି। ମାସେ ତଳୁ ଅମଳ ହୋଇଥିବା ରବି ଧାନ ବିକ୍ରି ହେଉ ନଥିବାରୁ ଖଳା ଓ ବାଡ଼ିରେ ପଡ଼ିରହିଛି। ବାରମ୍ବାର ବର୍ଷାରେ ଭିଜୁଥିବା ଧାନର ମାନ ଖରାପ ହେଉଥିବାରୁ ଅଧିକ ବର୍ଷା ହେଲେ ଏହା ଗଜା ହୋଇଯିବାର ଆଶଙ୍କା ସୃଷ୍ଟି ହେଲାଣି। ଅନ୍ୟପଟେ ଆସନ୍ତା ୪/୫ ଦିନ ଧରି ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ବିଭିନ୍ନ ଗଣମାଧ୍ୟମରେ ସୂଚନା ଦେଉଛନ୍ତି। ଏହା ଜାଣିବା ପରେ ଚାଷୀଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଛି। ୨୬ ତାରିଖରୁ ଜିଲ୍ଲା ପାଇଁ ଧାର୍ଯ୍ୟ ଲକ୍ଷ୍ୟ ମିଳିଥିଲେ ବି ଦାୟିତ୍ବରେ ଥିବା ଲୋକମାନେ ପାକ୍ସମାନଙ୍କରେ ଖୋଲିଥିବା ଧାନମଣ୍ଡିକୁ ଧାନ କିଣିବାକୁ ଅନୁମତି ଦେଉନାହାନ୍ତି।

ଏ ସମ୍ପର୍କରେ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ ଯାଜପୁର ସ୍ବାତୀବାଳା ମହାପାତ୍ରଙ୍କୁ ଯୋଗାଯୋଗ କରାଯିବାରୁ ଆସନ୍ତା ସୋମବାର ଧାନକିଣା ଧାର୍ଯ୍ୟ ଲକ୍ଷ୍ୟ ସମ୍ପର୍କରେ ବୈଠକ ହୋଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର