ଚାଷୀଙ୍କଠାରୁ ଧାନ କିଣା ବାଟବଣା: ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ବେପାରୀଙ୍କୁ ଲାଭ, କୁଇଣ୍ଟାଲ ପିଛା ୮ ଶହ ହରାଉଛି ଚାଷୀ

ରସୁଲପୁର : ଧାନ କୁଇଣ୍ଟାଲ ପିଛା ୮ଶହ ଟଙ୍କାରୁ ଅଧିକ କ୍ଷତି ସହୁଛି ଚାଷୀ। ସରକାରଙ୍କ ଘୋଷିତ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସ୍‌ପି) ୧୯୪୦ ଟଙ୍କା ରହିଛି। ଏହି ଦର କେବଳ ମଣ୍ଡିରେ ଏବଂ ପଞ୍ଜିକୃତ ଚାଷୀଙ୍କ କ୍ଷେତ୍ରରେ ଲାଗୁ ହୋଇଥାଏ ସତ, ଯଦିଓ ସେଥିରେ ବି କଟ୍‌ନିଛଟ୍‌ନି ରହିଛି। ଏବେ ମଣ୍ଡି ଖୋଲିନାହିଁ କିନ୍ତୁ ବିଅଳି ଧାନ ଅମଳ ଚାଲିଛି। ରସୁଲପୁର ବ୍ଲକର ଅଧିକାଂଶ ଜମିରେ ସଅଳ କିସମ ଧାନ ଓ ବିଅଳି ଧାନ ଚାଷ ହେଉଛି। ଚାଷ ଉପେଯାଗୀ ୧୦ ହଜାର ହେକ୍ଟର ଜମି ମଧ୍ୟରୁ ୮୫% ରୁ ଅଧିକ ଜମିରେ ବିଅଳି ଧାନ ହେଉଛି।। ଜୁନ୍ ଦ୍ବିତୀୟ ସପ୍ତାହ ବେଳକୁ ବୁଣା ହୋଇଥିବା ଏହି ଧାନ ଅକ୍ଟୋବର ଦ୍ବିତୀୟ ସପ୍ତାହ ସୁଦ୍ଧା ଅମଳ ହୋଇଯାଏ। ଏହାପରେ ଚାଷୀ ସେହି ଜମିରେ ଅନ୍ୟ ରବି ଫସଲ- ଚିନାବାଦାମ, ଧଣିଆ, ବିରି ସହିତ ପନିପରିବା ଚାଷ ହୁଏ। ବିଡ଼ମ୍ବନା ହେଉଛି ବର୍ତ୍ତମାନ ମଣ୍ଡି ଖୋଲୁ ନଥିବାରୁ ଅମଳ ଧାନକୁ ଅତି ଶସ୍ତାରେ ଚାଷୀ ବିକିବାକୁ ବାଧ୍ୟ ହେଉଛି। ଧାନ ବେପାରୀମାନେ ଚାଷୀଙ୍କ ଅସହାୟତାର ସୁଯୋଗ ନେଇ ଧାନ କୁଇଣ୍ଟାଲ ମାତ୍ର ୧୦୫୦ରୁ ୧୧୦୦ ଟଙ୍କାରେ କିଣି ନେଉଛନ୍ତି। ଅନେକ ସମୟରେ ଏହାଠାରୁ କମ୍ ଦାମ୍‌ରେ ମଧ୍ୟ ଧାନ କିଣାଯାଉଥିବା କଥା ଚାଷୀମାନେ ଅଭିଯୋଗ କରୁଛନ୍ତି। ରବିଚାଷ ପାଇଁ ଟଙ୍କାର ଆବଶ୍ୟକତା ରହୁଥିବାରୁ ଚାଷୀମାନେ ଏହି ଦରରେ ଧାନ ବିକ୍ରି କରି କୁଇଣ୍ଟାଲ୍ ପ୍ରତି ୮୦୦ଟଙ୍କାରୁ ଅଧିକ କ୍ଷତି ସହୁଛନ୍ତି।

ଧ୍ୟାନ ଦେବାର କଥା ଯେ ମଣ୍ଡି ଖୋଲିବାପରେ ଏହି ଧାନକୁ ବେପାରୀମାନେ ଛଦ୍ମଚାଷୀଙ୍କ ନାମରେ ସରକାରୀ ଦରରେ ବିକ୍ରି କରି ବିପୁଳ ଲାଭ ଗୋଟାଇବେ। ଏଣେ ପ୍ରକୃତ ଚାଷୀ ଅଭାବୀ ବିକ୍ରି କରି ଘର ଚଳାଇବାକୁ ଅକ୍ଷମ। ପାକ୍ସରେ ଧାନ ବିକ୍ରି ପାଇଁ ଟୋକନ ପାଇଥିବା ଚାଷୀ ମଧ୍ୟ ଅନେକ ସମୟରେ ବିକି ପାରି ନଥାଏ। କିନ୍ତୁ ବେପାରୀଙ୍କ ଜରିଆରେ ଛଦ୍ମଚାଷୀଙ୍କ ନାମରେ ପାକ୍ସଗୁଡ଼ିକର ଟାର୍ଗେଟ ମଧ୍ୟ ମିଳିବାମାତ୍ରେ ପୂରଣ ହୋଇଯାଇଥାଏ। ସ୍ଥାନୀୟ ଚାଷୀ ଏଭଳି ଉପାୟରେ ‌ଶୋଷଣର ଶିକାର ହେବା ସହ ଚାଷ ପ୍ରତି ନିରୁତ୍ସାହିତ ହେଉଛନ୍ତି।

ଚଳିତ ବର୍ଷ ମଣ୍ତି ଖୋଲିବା ସଂପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ସେକ୍ ସଲ୍ଲାଉଦ୍ଦିନ୍ କୁହନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଏନେଇ କୌଣସି ଆଲୋଚନା ହୋଇନାହିଁ। ନଭେମ୍ବର ମାସରେ ଡିଏଲପିସି (ଜିଲ୍ଲାସ୍ତରୀୟ ଧାନ କିଣା କମିଟି) ବୈଠକ ବସିବ। ଜିଲ୍ଲାର ସମସ୍ତ ବିଧାୟକବିଧାୟିକା, ଜିଲ୍ଲାପାଳ, କୃଷି ଅଧିକାରୀ ଓ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଭୃତି ସଦସ୍ୟ ରହିଥିବା ଏହି ଉଚ୍ଚ କ୍ଷମତାସମ୍ପନ୍ନ କମଟି ଧାନ କିଣା ସଂପର୍କରେ ନିଷ୍ପତ୍ତି ନେବ। ସଅଳ ଅମଳକ୍ଷମ ଧାନଚାଷ ହେଉଥିବା ଅଞ୍ଚଳରେ ଶୀଘ୍ର ମଣ୍ତି ଖୋଲିବା ପାଇଁ ଡିଏଲପିସି ବୈଠକରେ ଆଲୋଚନା କରାଯିବ ବୋଲି ସିଏସଓ କହିଛନ୍ତି।

ସମ୍ବନ୍ଧିତ ଖବର