ଗ୍ରାଉଣ୍ଡ ଜିରୋରେ ‘ସମ୍ବାଦ’: ମିଲର୍ସ ମର୍ଜିରେ ଧାନକିଣା

ମଣ୍ଡିକୁ ଯାଉନି, ମିଲ୍‌କୁ ଯାଉଛି, ଖୋଲାଖୋଲି କଟ୍‌ନି ଛଟ୍‌ନି, ନକଲି ଚାଷୀ ବିକୁଛି ଧାନ!

ବଲାଙ୍ଗୀର, (ବିଶ୍ବଜିତ ଦାଶ): କଷ୍ଟ କରି ଅମଳ କରୁଛି ଚାଷୀ। ଧାରକରଜ କରି ଚାଷ କଲା ପରେ ପ୍ରକୃତ ମୂଲ୍ୟ ପାଉନି। ଦଲାଲ ହାବୁଡ଼ରେ ନହେଲେ ମିଲର୍ସ ହାବୁଡ଼ରେ ପଡୁଛି। ଧାନକିଣାକୁ ନେଇ ଜିଲ୍ଲାର ସବୁଠି ଦୁର୍ନୀତି। କଟ୍‌ନି ଛଟ୍‌ନି ଖୋଲାଖୋଲି। ପେକ୍ସଗୁଡ଼ିକରେ ନକଲି ଚାଷୀ ନାଁରେ ଦଲାଲ ବିକୁଛନ୍ତି ଧାନ। ମିଲର୍ସଙ୍କ ଫାଇଦା ପାଇଁ କାମ କରୁଛନ୍ତି ପେକ୍ସ ଓ ଯୋଗାଣ ବିଭାଗ ଅଧିକାରୀ। ଆଉ ସାରା ଜିଲ୍ଲାରେ ଏବେ ହଇରାଣ ହରକତ ସହ ଶୋଷିତ ହେଉଛନ୍ତି ଚାଷୀ।ଏଭଳି ଢଙ୍ଗରେ ବଲାଙ୍ଗୀର ଜିଲ୍ଲାରେ ଧାନକିଣାରେ ଶହ ଶହ କୋଟି ଟଙ୍କାର ଦୁର୍ନୀତି ଚାଲିଛି। ଗ୍ରାଉଣ୍ଡ ଜିରୋ ତଥ୍ୟ ଦେଖିଲେ ସବୁପଟୁ ମାଲାମାଲ ମିଲର୍ସ ଓ ଅଧିକାରୀ।

Agriculture Post

ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ୍‌ ଅଂଚଳରେ ପହଞ୍ଚିଥିଲା ‘ସମ୍ବାଦ ଟିମ୍‌’। ଗ୍ରାଉଣ୍ଡ ଜିରୋରେ ଚାଷୀଙ୍କ ସହ ଆଲୋଚନା କରିଥିଲୁ। ମଲମୁଣ୍ଡା ପେକ୍ସରେ ସଂପାଦକଙ୍କ ଅନୁପସ୍ଥିତିରେ ଡିଇଓ କିଣୁଥିଲେ ଧାନ। ମନଇଚ୍ଛା ଓଜନ ହେଉଥିବାବେଳେ କଟ୍‌ନି ଛଟ୍‌ନି ଚାଲିଥିଲା। ଆଉ ଚାଷୀ ସବୁ ଦେଖି ବି ଚୁପ୍‌ଚାପ୍‌ ଥିଲେ। କାରଣ ପାଟି ଖୋଲିଲେ ଚାଷୀର ଧାନ ଠିକ୍‌ ମାନର ନଥିବା କହି କିଣାଯାଉନି। ଠିକ୍‌ ସେହିପରି ବୁବେଲ ପେକ୍ସ ଅବସ୍ଥା ଦେଖିବା ବେଳକୁ ସେଠି ଖାଁ ଖାଁ ଥିଲା। ଚାଷୀ ହିଁ ନଥିଲେ। କାର୍ଯ୍ୟାଳୟ ଭିତରେ ଥିଲେ ସଂପାଦକ ଓ ଡିଇଓ। ଧାନକିଣା କେମିତି ଚାଲିଛି ବୋଲି ପଚାରିବାରୁ ରେଜିଷ୍ଟର ଦେଖି କହିଥିଲେ ପ୍ରାୟ ସରିଆସିଲାଣି। ବୁବେଲ ପେକ୍ସରେ ୬୦୦ରୁ ଅଧିକ ଚାଷୀ ପଂଜୀକୃତ ହୋଇଥିବା ବେଳେ ୪୨୫ ଜଣ ଚାଷୀଙ୍କ ଧାନ କିଣା ସରିଲାଣି ବୋଲି ସଂପାଦକ ଟିକେଶ୍ୱର ସାଏ କହିଥିଲେ। ହେଲେ କେଉଁ ଚାଷୀ ସବୁ ବିକିଛନ୍ତି ତାହାର ତଥ୍ୟ ପଚାରିଲା ବେଳକୁ ସଂପାଦକ ହଡ଼ବଡ଼େଇ ଯାଇଥିଲେ। ଏଯାଏ ପେକ୍ସରେ ୨୩୬୫୯ କୁଇଣ୍ଟାଲ ଧାନ କିଣା ସରିଲାଣି। ଗାଁରେ ବୁଝାବୁଝି କରିବାରୁ ଜଣାପଡ଼ିଥିଲା ପେକ୍ସରେ ଦଲାଲ ରାଜ୍। ନକଲି ଚାଷୀ ନାଁରେ ଏଥର ଧାନକିଣା ହୋଇଛି। ଫଲ୍‌ସ ଏଣ୍ଟ୍ରି କରାଯାଇଛି। ବହୁ ଚାଷୀ ସିଧାସଳଖ ମିଲକୁ ନେଇ ଧାନ ଦେଉଛନ୍ତି। ସେଠାରେ ଓଜନ ସବୁ ହେଉଛି।

54.254.97.154

ଏହା ପରେ ପରେ ଆମେ ପହଞ୍ଚିଥିଲୁ ବଇରାସର ପେକ୍ସରେ। ସେଠି ଚାଷୀଙ୍କ ଧାନ କିଣାଯାଉଥିଲା। ପେକ୍ସ ସଂପାଦକ ସ୍ୱୀକାର କରିଥିଲେ କଟନି ଚାଲିଛି। ଏପରିକି ଭିଡ଼ କାରଣରୁ ସୁବିଧା ଦୃଷ୍ଟିରୁ ଚାଷୀଙ୍କ ଧାନ ଗାଡ଼ି ମଣ୍ଡିକୁ ନଆସି ମିଲଗୁଡ଼ିକୁ ଯାଉଥିବା ସେ କହିଥିଲେ। ଏପଟେ ପୁଇଁତଲା ବ୍ଲକ୍‌ ଅଂଚଳର ଅନ୍ୟ ପେକ୍ସଗୁଡ଼ିକ ଖବର ନେବାରୁ ସବୁଠି ଏମିତି କଟନି ଖୋଲାଖୋଲି ଏବଂ ମିଲଗୁଡ଼ିକୁ ସିଧାସଳଖ ଚାଷୀ ଧାନ ନେଇ ଯାଉଥିବା ସୂଚନା ମିଳିଛି। ଆଉ ମିଲକୁ ଗଲେ ଚାଷୀଙ୍କଠାରୁ ମନଇଚ୍ଛା ମିଲର୍ସ କୁଇଣ୍ଟାଲ ପିଛା କଟ୍‌ନି ଛଟ୍‌ନି କରୁଛନ୍ତି। ବିଚରା ଚାଷୀ ରାସ୍ତା ନପାଇ ଯେତେ କହିଲେ ମିଲର୍ସଙ୍କ ମର୍ଜିରେ ହଁ ଭରି ଧାନ ବିକୁଛି। ନିୟମ ଅନୁସାରେ ଚାଷୀ ଧାନ ଯାଇ ମଣ୍ଡିରେ ଦେବ। ମଣ୍ଡିରୁ ମିଲର୍ସ ନିଜ ଗାଡ଼ିରେ ଧାନ ଉଠାଇବ। ହେଲେ ଏଠି ନିୟମକୁ ମାନୁଛି କିଏ? ଅଧିକାରୀ ବି ମିଲର୍ସଙ୍କ ପକେଟରେ। ପେକ୍ସ ସଂପାଦକ ଓ ଡିଇଓମାନେ ବି କୁଇଣ୍ଟାଲ ପିଛା ଫିକ୍ସ କରି ମାଲାମାଲ।

Picfair

ପୁଇଁତଲା ବ୍ଲକ୍‌ରେ ଏବେ ମିନର୍ଭା ରାଇସ ମିଲ, ଅନ୍ନପୂର୍ଣ୍ଣା ରାଇସ ମିଲ ସହ ଆଉ କିଛି ମିଲର୍ସ ଚଳାଇଛନ୍ତି ମନମାନି। ସବୁ ମିଲ ଆଗରେ ଚାଷୀଙ୍କ ଧାନ ଗାଡ଼ିର ଲମ୍ବା ଲାଇନ ଦେଖିବାକୁ ମିଳିଛି। ଅନ୍ନପୂର୍ଣ୍ଣା ରାଇସ ମିଲ ଆଗରେ ଚାଷୀଙ୍କୁ ବୁଝିବାରୁ କିଏ ତିନି ଦିନ ହେଲା ମିଲରେ ଧାନ ଦେବାକୁ ଅଟକିଥିବା କହିଥିଲେ ତ ଆଉ କିଏ କେମିତି ମିଲର୍ସ ତାଙ୍କ କଷ୍ଟ ଉପାର୍ଜିତ ଅମଳକୁ ଶାଗମାଛ ଦରରେ କିଣୁଛନ୍ତି ତାହା ବଖାଣିଥିଲେ। ଠିକ୍‌ ସେହିପରି ମିନର୍ଭା ରାଇସ ମିଲ ଏନ୍‌ଏଚ୍‌ କଡ଼ରେ ଗଦାଗଦା ଧାନ ଗାଡ଼ି ଦିନ ଦିନ ଧରି ଛିଡ଼ା ହୋଇ ରହୁଛି। ଖୋଲାଖୋଲି ମିଲର୍‌ମାନେ ନିଜ ଫାଇଦା ପାଇଁ ବେଆଇନ କାମ କରୁଛନ୍ତି। ମିଲର୍ସ ମଣ୍ଡିରୁ ଧାନ ନଉଠାଇ ଚାଷୀଙ୍କୁ ମିଲକୁ ଆଣି ଧାନ ଦେବାକୁ କହୁଛି। ଫଳରେ ଚାଷୀ ବାଧ୍ୟ ହୋଇ ମିଲକୁ ଧାନ ଆଣି ଖର୍ଚ୍ଚାନ୍ତ ହେଉଛନ୍ତି। ବଇରାସର ପେକ୍ସରେ ନାମକୁ ମାତ୍ର ମଣ୍ଡିରେ ଧାନ କିଣା ଯାଉଥିବା ବେଳେ ସବୁ ଚାଷୀଙ୍କ ଧାନ ମିଲରେ କିଣାଯାଉଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଚାଷୀ ଟୋକନ୍‌ ନେଇ ମିଲରେ ଆସି ଧାନ ଦେଉଛନ୍ତି। ମିନର୍ଭା ଓ ଅନ୍ନପୂର୍ଣ୍ଣା ରାଇସ ମିଲ ଆଗରେ ଗଦାଗଦା ଧାନ ବୋଝେଇ ଟ୍ରାକ୍ଟର, ପିକ୍‌ଅପ୍‌, ମିନିଟ୍ରକ ଆଦି ଗାଡ଼ି ଛିଡ଼ା ହୋଇ ରହୁଛି। ଚାଷୀ ଦିନଦିନ ଧରି ସେଠି ଧାନ ଦେଇନପାରି ଶୀତ କାକର ରାତି କଟାଇ ଜଗି ରହୁଛନ୍ତି। ବଇରାସର ପେକ୍ସ ଅଧୀନରେ ଥିବା ଅଧିକାଂଶ ଚାଷୀ ମିଲକୁ ଆସି ସିଧାସଳଖ ଓଜନ କରି ଧାନ ଦେଉଛନ୍ତି। ଏସବୁ କାରସାଦିକୁ ବି ସ୍ୱୀକାର କରିଛନ୍ତି ବଇରାସର ପେକ୍ସ ସଂପାଦକ ଘନଶ୍ୟାମ ପ୍ରଧାନ। ସେ କହିଛନ୍ତି ଚାଷୀ ନିଜ ଇଚ୍ଛାରେ ମିଲକୁ ନେଇ ଧାନ ଦେଉଛି ଓ ମାନ ଦେଖି କଟ୍‌ନି ଛଟ୍‌ନି ହେଉଛି ବୋଲି ସେ କହିଛନ୍ତି। ଏସବୁ କିନ୍ତୁ ଯୋଗାଣ ବିଭାଗ ଅଧିକାରୀଙ୍କ ନଜରକୁ ଆସୁନି। କାରଣ ମିଲର୍ସ-ଯୋଗାଣ ବିଭାଗ ସଲାସୁତୁରାରେ ସବୁ କାରବାର ଚାଲିଛି। ଗୋଟିଏ ପଟେ ଟ୍ରାନ୍ସପୋର୍ଟିଂରେ ଓ ଅନ୍ୟପଟେ କଟନି ଛଟନିରେ କୋଟିକୋଟି ଟଙ୍କାର ମୁନାଫା। ସବୁରୁ କାହାର କେତେ ତାହାବି ଫିକ୍ସ ବୋଲି ଚର୍ଚ୍ଚା। ପୁଇଁତଲା ବ୍ଲକ୍‌ ଅଂଚଳ ଭଳି ସାରା ଜିଲ୍ଲାର ଅବସ୍ଥା ସମାନ। ସାରା ଜିଲ୍ଲାରେ ଏବେ ଧାନକିଣାରେ ମହାଦୁର୍ନୀତି ଚାଲିଛି।

ସମ୍ବନ୍ଧିତ ଖବର