ଧାନ କିଣା: ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ଦୃଶ୍ୟ, କଟ୍‌ନି ଛଟ୍‌ନିରେ ଚାଷୀ ନୟାନ୍ତ

ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଯୋଗାଣ ବିଭାଗ ସମସ୍ତେ ଚୁପ୍

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଧାନ କିଣାର ବିକଳ ଚିତ୍ର ସାମ୍‌ନାକୁ ଆସିଛି। କଟ୍‌ନି ଛଟ୍‌ନିରେ ଚାଷୀ ନୟାନ୍ତ ହୋଇପଡ଼ୁଥିବାବେଳେ ମିଲର୍ସ ମର୍ଜିରେ ମଣ୍ଡି ଚାଲିଛି। ସବୁଠୁ ଆଶ୍ଚର୍ଯ୍ୟର କଥା ଏଭଳି ସ୍ଥିତି ସମୟରେ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ‌ଯୋଗାଣ ବିଭାଗ ପର୍ଯ୍ୟନ୍ତ ସମସ୍ତେ ଚୁପ୍‌ ଅଛନ୍ତି। ବିରୋଧୀ ମଧ୍ୟ ଚାଷୀଙ୍କୁ ସାଥ୍‌ ଦେଉନଥିବା ଯୋଗୁଁ ଉଭୟ ଶାସକ ଓ ବିରୋଧୀଙ୍କ ଭୂମିକା ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

କଳାହାଣ୍ଡି ଜିଲ୍ଲାର ୧୩ ଟି ବ୍ଲକ୍‌ରେ ଧାନ ମଣ୍ଡି ମାନଙ୍କର ଏହି ଚିତ୍ର ଦେଖିବାକୁ ମିଳିଛି। ଭାତହାଣ୍ଡିରୁ ଗୋଟିଏ ଭାତକୁ ଚିପିବା ଭଳି ଗୋଲାମୁଣ୍ଡା ବ୍ଲକ୍‌ ମହାଲିଙ୍ଗ ମଣ୍ଡିରୁ ‘ସମ୍ବାଦ’ର ‘ଗ୍ରାଉଣ୍ଡ ଜିରୋ’ ତଥ୍ୟ ନିଆଯାଇଥିଲା। ଏହି ମଣ୍ଡିରେ ପ୍ରତ୍ୟେକ ଚାଷୀଙ୍କଠାରୁ କୁଇଣ୍ଟାଲ ପିଛା ୮ କେଜିରୁ ୧୧ କେଜି ପର୍ଯ୍ୟନ୍ତ ଧାନ କଟା ଯାଉଛି। ଗୋଟିଏ ଜରିବସ୍ତା ପ୍ରତି ୧ କେଜି ଧାନ କଟା ଯାଉଛି। କୁଇଣ୍ଟାଲ ପ୍ରତି ୧୭ ଶହରୁ ୧୮ଶହ ଟଙ୍କାରେ ଧାନ ଦିଆଯାଉଛି। ବେପାରୀମାନଙ୍କ ଧାନ ଆଗ କିଣା ଯାଉଥିବାବେଳେ ପ୍ରକୃତ ଚାଷୀମାନଙ୍କୁ ଜାଣିଶୁଣି ହଇରାଣ କରାଯାଉଛି। କୌଣସି ଚାଷୀଙ୍କୁ ବସ୍ତା ଯୋଗାଇ ଦିଆଯାଉ ନାହିଁ। ଚାଷୀମାନେ ନିଜ ବସ୍ତାରେ ଧାନ ଆଣି ମଣ୍ଡିକୁ ଆଣୁଛନ୍ତି। ବସ୍ତା ନଦେବାରୁ ଚାଷୀମାନେ ଗୋଟିଏ ଜରି ବସ୍ତାକୁ ୨୦ ଟଙ୍କାରେ କିଣି ଧାନ ବିକ୍ରି ପାଇଁ ଆଣୁଛନ୍ତି। ଆରଏମ୍‌ସି କର୍ମଚାରୀ ଧାନର ମାନ ନିର୍ଦ୍ଧାରଣ କରୁନାହାନ୍ତି। ମିଲର୍ସ ଏଜେଣ୍ଟ ଯାହା କହୁଛନ୍ତି ସେହି ଅନୁପାତରେ ଧାନ କିଣାଚାଲିଛି। ପ୍ରଶାସନ ଓ ମିଲର୍ସର ଦୁର୍ନୀତିରେ ଚାଷୀ ବେହାଲ ହେଉ ଥିବାବେଳେ ମିଲର୍ସ ଏଜେଣ୍ଟମାନେ ମାଲାମାଲ ହେଉଛନ୍ତି। ମଣ୍ଡିକୁ ଚାଷୀ ଧାନ ନେଲେ ବସ୍ତା ପ୍ରତି ୩ ଟଙ୍କା ହିସାବରେ ଜଗିବା ଖର୍ଚ୍ଚ ଓ ଲୋଡ୍‌ ପାଇଁ ବସ୍ତା ପ୍ରତି ୧ ଟଙ୍କା ଦେବାକୁ ପଡ଼ୁଛି। ଏହି କଟନୀ ଛଟନୀର ଶିକାର ହେବା ଏବଂ ମହାଲିଙ୍ଗ ମଣ୍ଡିରେ ମିର୍ଲସ ଏଜେଣ୍ଟ ଓ ପ୍ୟାକ୍ସର ଶୋଷଣ ହେବାନେଇ ଚାଷୀ ଲବଜି ପଟେଲ ଅକ୍ରୂର ପଟେଲ, ଚକେଲ ବାଗ, ରାଜେନ୍ଦ୍ର ପଟେଲ, ଡମ୍ବରୁଧର ଚଣ୍ଡି, ରଘୁନାଥ ରଣା, ସୁଦର୍ଶନ ସା, ଦୀନବନ୍ଧୁ ଦାସ, ଗୁଣନିଧି ଭୋଇ, ମଣିଲାଲ ନିଆଲ, ତ୍ରିଭୂବନ ପଟେଲ ପ୍ରମୁଖ ଚାଷୀ ମହାଲିଙ୍ଗ ମଣ୍ଡିର ଶୋଷଣ ନେଇ ‘ସମ୍ବାଦ’କୁ ଜଣାଇଛନ୍ତି।

ଗଠନ ହୋଇନି ସ୍କ୍ବାଡ୍‌: ଗଠନ ହୋଇନି ସ୍କ୍ବାଡ୍‌
କେନ୍ଦୁଝର : ଧାନ କିଣା ପୂର୍ବରୁ ପ୍ରତିବର୍ଷ ଜିଲ୍ଲାରେ ଏକ ପ୍ରୋକ୍ୟୁରମେଣ୍ଟ ସ୍କ୍ବାଡ୍‌ ଗଠନ ହୋଇଥାଏ। କିନ୍ତୁ ଏଥର ଏହି ସ୍କ୍ବାଡ୍‌ ଗଠନ ହୋଇନାହିଁ। ଫଳରେ ଧାନକିଣା ବେଳେ ଚାଷୀ ଶୋଷଣର ଶିକାର ହେଲେ ତାହାକୁ ରୋକିବାକୁ କେହି ନାହାନ୍ତି। ମିଲର୍‌ମାନେ ନିଜସ୍ବ ଡଙ୍ଗରେ ଧାନ କିଣା ପ୍ରକ୍ରିୟାକୁ ପରିଚାଳନା କରୁଛନ୍ତି।

କେନ୍ଦୁଝର ଜିଲ୍ଲାରେ ଏଥର ୮୯ଟି ସ୍ଥାନରେ ଧାନ ମଣ୍ଡି ଖୋଲାଯାଇଛି। ଗତବର୍ଷ ଜିଲ୍ଲାରେ ୧୬ ଲକ୍ଷ ୫୧ ହଜାର କୁଇଣ୍ଟାଲ ଧାନକିଣା ହୋଇଥିବା ବେଳେ ଏବର୍ଷ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୧୧ ହଜାର ୭୦୩ କୁଇଣ୍ଟାଲ ଧାନ କିଣା ହୋଇଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ଜିଲ୍ଲାରେ ଏଯାଏ ପ୍ରୋ‌କ୍ୟୁରମେଣ୍ଟ ସ୍କ୍ବାଡ୍‌ ଗଠନ ହୋଇନାହିଁ। ସ୍କ୍ବାଡ୍‌ ଗଠନ ସଂପର୍କିତ ସୁପାରିସ ଫାଇଲ୍‌ ଭିତରେ ଅଟକିଛି। ପ୍ରୋକ୍ୟୁରମେଣ୍ଟ ସ୍କ୍ବାଡ୍‌ ଜଣେ ଏସିଏସ୍‌ଓ, ଯୋଗାଣ ନିରୀକ୍ଷକ, ଆର୍‌ଏମ୍‌ସି ସମ୍ପାଦକ ଏବଂ ଏଆର୍‌ସିଏସ୍‌ଙ୍କୁ ନେଇ ଗଠିତ ହୋଇଥାଏ। କେନ୍ଦୁଝର ଜିଲ୍ଲାରେ ତିନିଟି ଉପଖଣ୍ଡ ଥିବାରୁ ଆନନ୍ଦପୁର, ଚମ୍ପୁଆ ଏବଂ କେନ୍ଦୁଝର ସଦର ପାଇଁ ତିନିଟି ସ୍କ୍ବାଡ୍‌ ଗଠନ ହେବା କଥା। ଏହି ସ୍କ୍ବାଡ୍‌ ନିୟମିତ ଭାବେ ମିଲର୍‌, ମଣ୍ଡିରେ ଧାନ କିଣାବିକା ଏବଂ ଦଲାଲଙ୍କ ଉପରେ ନଜର ରଖିଥାଏ। ଚାଷୀ ଯଦି କେଉଁଠି ଅସୁବିଧାର ସମ୍ମୁଖୀନ ‌ହୁଅନ୍ତି, ତୁରନ୍ତ ତାହାର ସମାଧାନ କରିଥାଏ। ଧାନ ଉଠାଣରେ ଅନିୟମିତତା, ମିଲର୍‌ଙ୍କ ଦ୍ବାରା ଚାଷୀ ଠକେଇର ଶିକାର ହେବା ଖବର ପାଇଲେ ଏହି ସ୍କ୍ବାଡ୍‌ ତତ୍‌କାଳ ଚଢ଼ଉ କରି ପଦକ୍ଷେପ ନେଇଥାନ୍ତି।

ଏ ସଂପର୍କରେ ଯୋଗାଣ ବିଭାଗ ପକ୍ଷରୁ ଯେଉଁ ସୁପାରିସ ହୋଇଛି, ତାହା ଏଯାଏ ଅନୁମୋଦନ ହୋଇ ନ ଥିବାରୁ ସ୍କ୍ବାଡ୍‌ ଗଠନ ହୋଇପାରି ନାହିଁ। ଏ ସଂପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ହାଡ଼ିବନ୍ଧୁ ସେଠୀଙ୍କୁ ପଚାରିବାରୁ, ସେ ମଧ୍ୟ ସ୍କ୍ବାଡ୍‌ ଗଠନ ହୋଇ ନ ଥିବା କଥାକୁ ସ୍ବୀକାର କରିଛନ୍ତି। ଏନେଇ  ଜିଲ୍ଲାପାଳଙ୍କ ପାଖକୁ ଫାଇଲ ଯାଇଛି। ମାତ୍ର ତାହା ଏଯାଏ ଫେରିନାହିଁ ବୋଲି ଶ୍ରୀ ସେଠୀ କହିଛନ୍ତି।

ଦଲାଲଙ୍କ କାରସାଦି ଧରିଲା ଯୋଗାଣ ବିଭାଗ: ପିତାକଟା ମଣ୍ଡିରୁ ୮୩ କ୍ବିଣ୍ଟାଲ ଧାନ ଜବତ
ମାଲକାନଗିରି : ମାଲକାନଗିରି ଜିଲ୍ଲା ଯୋଗାଣ ବିଭାଗ ତରଫରୁ କୋରୁକୋଣ୍ଡା ବ୍ଲକ୍‌ ଅନ୍ତର୍ଗତ ପିତାକଟା ମଣ୍ଡିରେ ଆଜି ଚଢ଼ଉ ହୋଇଛି। ମଣ୍ଡିରୁ ବିଭାଗ ୮୩ କ୍ବିଣ୍ଟାଲ ଧାନ ଜବତ କରିଥିବା ଜଣାପଡ଼ିଛି।

ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥଙ୍କ ନେତୃତ୍ବରେ ଗୋଟିଏ ଟିମ୍ ପିତାକଟା ମଣ୍ଡିରେ ଚଢ଼ଉ କରିଥିଲା। ଦୁଇ ଜଣ ନକଲି ଚାଷୀଙ୍କ ଠାରୁ ୮୩ କ୍ବିଣ୍ଟାଲ ଧାନ ଜବତ କରିଛି। ପିତାକଟା ମଣ୍ଡିରେ ଇର୍ମା ପଡ଼ିଆମି ନାମକ ଚାଷୀକୁ ଦଲାଲ ମଣ୍ଡିରେ ଛିଡ଼ା କରି ୬୩.୯୧ କ୍ବିଣ୍ଟାଲ ଧାନ ବିକ୍ରି କରିବାକୁ ଉଦ୍ୟମ କରୁଥିଲା। ସେହିପରି ଏନ୍. ଧାରବତ ନାମକ ବ୍ୟକ୍ତି ମଧ୍ୟ ୧୯.୯୭ କ୍ବିଣ୍ଟାଲ ଧାନ ବିକ୍ରି କରିବା ପାଇଁ ମଣ୍ଡିରେ ଉପସ୍ଥିତ ଥିଲା। ଉଭୟଙ୍କ ଉପରେ ସନ୍ଦେହ ହେବାରୁ ପ୍ରଥମେ ଯୋଗାଣ ବିଭାଗ ଟିମ୍ ପଚରାଉଚରା କରିଥିଲା। କିନ୍ତୁ ସେମାନେ ଧାନ କେଉଁଠୁ ଆସିଲା ସେ ନେଇ କିଛି କହିପାରିନଥିଲେ। ତେଣୁ ଏମାନଙ୍କ ପଛରେ ଦଲାଲଙ୍କ ହାତ ଥିବା ଯୋଗାଣ ବିଭାଗ ଜାଣିପାରିଥିଲା।

ସମ୍ବନ୍ଧିତ ଖବର