ବଲାଙ୍ଗୀର : ଧାନକିଣା ସମୟରେ ଚାଷୀ ଶୋଷଣ ହେଉଥିବା ବେଳେ ଚାଷୀ ନେତା କି ଦଳୀୟ ନେତା ପାଖ ମାଡ଼ନ୍ତି ନାହିଁ। ଗଣମାଧ୍ୟମରୁ ଖବର ପାଇ ଅଧିକାରୀମାନେ ତଦନ୍ତ ବାହାନାରେ ସଲାସୁତୁରା କରନ୍ତି। ଯାହାର ସ୍ପଷ୍ଟ ଚିତ୍ର ଏବେ ସାମ୍ନାକୁ ଆସିଛି। ଧାନକିଣା ଦୁର୍ନୀତିର ତଦନ୍ତ ପାଇଁ ଯାଇଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀ ସବୁ କାରନାମା ଜାଣି ବି ନିଜ ତଦନ୍ତରେ କ୍ଲିନ୍‌ଚିଟ୍ ଦେବା ଅନେକ ପ୍ରଶ୍ନ ସୃଷ୍ଟି କରିଛି।

Advertisment

ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ୍‌ରେ ମିଲର୍ସ ମର୍ଜିରେ ଚାଲିଥିଲା ଧାନକିଣା। ବ୍ଲକ୍‌ର ବିଭିନ୍ନ ପ୍ୟାକ୍ସ ଓ ମିଲ ଆଗରେ କେମିତି ଚାଷୀ ରାତି ଜଗୁଥିଲେ ତାହାର ଗ୍ରାଉଣ୍ଡ ଜିରୋ ଖବର ପ୍ରକାଶିତ ହେବା ପରେ ପ୍ରଶାସନିକ ତଦନ୍ତ ହୋଇଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ଟିମ୍‌ ଏବଂ ଯୋଗାଣ ବିଭାଗର ଏକ ଟିମ୍‌ ପୁଇଁତଲା ବ୍ଲକ୍‌ର ବିଭିନ୍ନ ପ୍ୟାକ୍ସକୁ ଯାଇଥିଲେ। ଅତିରିକ୍ତ ଜିଲ୍ଲାପାଳ, ସମବାୟ ସହନିବନ୍ଧକ ଓ ଦାୟିତ୍ୱରେ ଥିବା ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀ ବଇରାସର ପ୍ୟାକ୍ସରେ ଟିକିନିକି ତଦନ୍ତ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ସବୁ ଦେଖି ତଦନ୍ତ କରି ଫେରି ଆସିଥିଲେ। ଅତିରିକ୍ତ ଜିଲ୍ଲାପାଳ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଲେ ସବୁକିଛି ଠିକଠାକ ଅଛି। ମଣ୍ଡି ଠିକ ଚାଲିଛି। ହେଲେ ମିଲ ଆଗରେ ଚାଷୀଙ୍କ ଭିଡ଼। ଅଚଳ ସିସିଟିଭି। ଏସବୁକୁ ନେଇ କିଛି କହିନଥିଲେ ଅଧିକାରୀ।

ଅପରପକ୍ଷରେ ସାଙ୍ଗରେ ଯାଇଥିବା ସମବାୟ ସମିତିର ସହକାରୀ ନିବନ୍ଧକ ତୁରନ୍ତ ଏକ ନିର୍ଦେଶନାମା ପରବର୍ତ୍ତୀ ସମୟରେ ଜାରି କଲେ। ଡିଆର୍‌ସିଏସ୍‌ ଚିଠିରେ ଉଲ୍ଲେଖ କରିଥିଲେ ଯେ ମଣ୍ଡିରେ ଓଜନ ହୋଇ ଧାନ ମିଲକୁ ଯିବା ବାଧ୍ୟତାମୂଳକ। ଯଦି ସବୁ ଠିକଠାକ ଥିଲା ଏ ଚିଠି କାହିଁକି କରାଗଲା? ତଦନ୍ତ ପାଇଁ ଯାଇଥିବା ଏଡିଏମ୍‌ଙ୍କ ପ୍ରତିକ୍ରିୟା ଓ ଡିଆର୍‌ସିଏସ୍‌ଙ୍କ ଚିଠିରେ ଦୁଇଟି ମତ ରହିଥିଲା। ତେଣୁ ବାସ୍ତବତା ଜାଣିବା ପାଇଁ ଆମେ ପୁଣି ପହଞ୍ଚିଥିଲୁ ବଇରାସର ମଣ୍ଡିରେ। ଅତିରିକ୍ତ ଜିଲ୍ଲାପାଳ ସବୁ ଠିକଠାକ କହିଦେଇଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ୟାକ୍ସର ସିସିଟିଭି ସଜଡ଼ା ହୋଇଛି। ହେଲେ ଡିସେମ୍ବର ମାସରୁ ଆରମ୍ଭ ହୋଇଥିବା ମଣ୍ଡିରେ ଆଜି ଯାଏ ସିସିଟିଭିର କୌଣସି ରେକର୍ଡ ନାହିଁ। ପ୍ୟାକ୍ସ ସଂପାଦକଙ୍କୁ ଏ ନେଇ ପଚାରିବାରୁ ପ୍ୟାକ୍ସରେ ସିସିଟିଭି ଚାଲୁଥିଲା। ହେଲେ ରେକର୍ଡ ହେଉନଥିଲା। ତଦନ୍ତ ସମୟରେ ଜଣାପଡ଼ିଲା ହାର୍ଡଡିକ୍ସ କରପ୍ଟ ହୋଇଯାଇଛି। ଧାନ କେତେ ଯାଇଛି ଆମେ ପ୍ୟାକ୍ସରେ ଏଣ୍ଟ୍ରି କରିଛୁ ବୋଲି କହିଥିଲେ। ଆଉ ସେ ସ୍ୱୀକାର କରିଥିଲେ ଧାନ ସିଧାସଳଖ ମିଲକୁ ଯାଇଛି। ଏଠି ଗୋଟିଏ ପ୍ରଶ୍ନ, ତଦନ୍ତ ପାଇଁ ଯାଇଥିବା ଦୁଇ ଅଧିକାରୀଙ୍କ ମତ କଣ ପାଇଁ ଅଲଗା? ତଦନ୍ତ ବାହାନାରେ ସଲାସୁତୁରା କରୁନାହାନ୍ତି ତ ବରିଷ୍ଠ ପ୍ରଶାସନିକ ଅଧିକାରୀ?