ଧାନ ଚାଷୀଙ୍କୁ ଧୋକା, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବି ଯୋଗାଣ ବିଭାଗ ବେଫିକର
ଏଯାଏ ଧାନ ଦେଇପାରିନାହାନ୍ତି ୨୮ ହଜାର ଚାଷୀ
ଗଞ୍ଜାମରେ ୧୦ ହଜାର ଟୋକନ୍ ରଦ୍ଦ
୨୨ରୁ ୧୫ ବ୍ଲକ୍ରେ ୯୦ % କିଣା ସରିଛି
ବ୍ରହ୍ମପୁର : ନିର୍ବାଚନ ଭିଡ଼ରେ ଖାଦ୍ୟ ଯୋଗାଣ ବିଭାଗ ଯେମିତି ଚାଷୀଙ୍କ କଥା ସମ୍ପୂର୍ଣ୍ଣ ଭୁଲି ଯାଇଛି। ଅଦିନିଆ ବର୍ଷାରେ କ୍ଷତି ସହିଥିବା ଗଞ୍ଜାମ ଜିଲ୍ଲାର ଚାଷୀ ଅଣ୍ଟାସଳଖ କରି ବଡ଼କଷ୍ଟରେ ବଳକା ଧାନ ଅମଳ କରିଥିଲେ। ଏବେ ସେହି ଧାନ ବିକ୍ରି କରିବାକୁ ଚାଷୀଙ୍କୁ ଦିନରାତି ସଂଘର୍ଷ କରିବାକୁ ପଡ଼ୁଛି। ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲା ପାଇଁ ଆସିଥିବା ଧାନ ସଂଗ୍ରହ ଟାର୍ଗେଟ ଅବଧି ସରିବାକୁ ବସିଲାଣି। ଜିଲ୍ଲାର ୨୨ଟି ବ୍ଲକ ମଧରୁ ୧୫ଟି ବ୍ଲକରେ ୯୦ ପ୍ରତିଶତରୁ ଅଧିକ ଧାନ କିଣା ସରିଥିବା ଯୋଗାଣ ବିଭାଗ କହୁଛି। ତଥାପି ଜିଲ୍ଲାରେ ଆହୁରି ୨୮ହଜାର ଚାଷୀ ଧାନ ବିକ୍ରି କରିବା ପାଇଁ ଅପେକ୍ଷା କରି ରହିଛନ୍ତି। ନୂଆ ଟାର୍ଗେଟ ନଆସିଲେ ଚାଷୀ ଧାନ ବିକ୍ରି କରିପାରିବେ ନାହିଁ ବୋଲି ଋଷିକୁଲ୍ୟା ରୟତ ମହାସଭା ତରଫରୁ କୁହାଯାଇଛି। ଏପରିକି ମିଲର୍ଙ୍କ ମନମୁଖୀ ନୀତି ଯୋଗୁଁ ଗଞ୍ଜାମ ଜିଲ୍ଲାରେ ପ୍ରାୟ ୧୦ହଜାର ଚାଷୀଙ୍କ ଟୋକନ୍ ରଦ୍ଦ ହୋଇ ସାରିଥିବା ମହାସଭା ତରଫରୁ କୁହାଯାଇଛି। ଏ ନେଇ ପ୍ରଶାସନ ଅବଗତ ଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଚାଷୀଙ୍କ ଧାନ କ୍ରୟ ନେଇ କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରି ନଥିବା ଅଭିଯୋଗ ହୋଇଛି। ତୁରନ୍ତ ବଳକା ଧାନ କ୍ରୟ ବ୍ୟବସ୍ଥା ନକଲେ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିବାର ସମ୍ଭାବନାକୁ ଏଡ଼ାଇ ଦିଆଯିବ ପାରିବ ନାହିଁ ବୋଲି ବିଭିନ୍ନ ମହଲରେ ପ୍ରକାଶ ପାଇଛି।
ଗଞ୍ଜାମ ଜିଲ୍ଲାରେ ଗତ ଡିସେମ୍ବର ୨୯ତାରିଖରେ ଧାନମଣ୍ଡି ଖୋଲିଛି। ଜିଲ୍ଲାର ୨୨ଟି ବ୍ଲକରେ ୪୪୦ଟି ଧାନ ସଂଗ୍ରହ କେନ୍ଦ୍ର ରହିଛି। ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିବ। ଚଳିତବର୍ଷ ଗଞ୍ଜାମ ଜିଲ୍ଲାରେ ୧ଲକ୍ଷ ୨୨ହଜାର ୮୩୪ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ସେହିପରି ଜିଲ୍ଲାରୁ ୪୧ଲକ୍ଷ ୯୬ହଜାର ୬୯୭ କ୍ବିଣ୍ଟାଲ୍ ଧାନ ସଂଗ୍ରହ କରିବା ପାଇଁ ଟାର୍ଗେଟ ଆସିଛି। ତନ୍ମଧ୍ୟରୁ ୩୯ଲକ୍ଷ ୫୧ହଜାର କ୍ବିଣ୍ଟାଲ୍ ଧାନ ସଂଗ୍ରହ ହୋଇ ସାରିଲାଣି। ଜିଲ୍ଲାରେ ମୋଟ ୯୩ହଜାର ୮୭୭ଜଣ ଚାଷୀ ଧାନ ବିକ୍ରି କରି ସାରିଲେଣି। ବଳକା ରହିଥିବା ପ୍ରାୟ ୨୮ହଜାର ୯୫୭ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ଜଗି ରହିଛନ୍ତି। ଜିଲ୍ଲାରେ ଧାନ ସଂଗ୍ରହ ଟାର୍ଗେଟ ସରିବାକୁ ଆସୁଥିବା ବେଳେ ନୂଆ ଟାର୍ଗେଟ ନଆସିଲେ ଚାଷୀ ଧାନ ବିକ୍ରି କରିବାରୁ ବଞ୍ଚିତ ହେବେ ବୋଲି ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ ଅଭିଯୋଗ କରିଛନ୍ତି। ଟୋକନ୍ ରଦ୍ଦ ହୋଇ ଯାଇଥିବା ଚାଷୀଙ୍କ ଧାନ କ୍ରୟ କରିବା ପାଇଁ ପୁନଃ ସୁଯୋଗ ଦେବାକୁ ମହାସଭା ତରଫରୁ ଦାବି କରାଯାଇଛି। ସେହିପରି ଜିଲ୍ଲାର ବହୁ ଚାଷୀ ଧାନ ବିକ୍ରି କରି ସାରିଥିଲେ ସୁଦ୍ଧା ତାଙ୍କର ବ୍ୟାଙ୍କ ଆକାଉଣ୍ଟ୍କୁ ଟଙ୍କା ଆସି ନାହିଁ। ଏଣୁ ସମସ୍ୟା ସମାଧାନ କରି ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ଦେବାକୁ ଦାବି ହୋଇଛି।
ଗତ ୨୦୨୦-୨୧ ଖରିଫ୍ ଋତୁ ପାଇଁ ଜିଲ୍ଲାରୁ ୪୫ଲକ୍ଷ ୪୩ହଜାର କ୍ବିଣ୍ଟାଲ୍ ଧାନ କ୍ରୟ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କ ଧାନ ନଷ୍ଟ ହୋଇଛି। ଏଣୁ ଟାର୍ଗେଟ କମିବ ବୋଲି ଅନୁମାନ କରାଯାଉଛି। କିନ୍ତୁ ଯେଉଁ ଚାଷୀ ଧାନ ବିକ୍ରି କରିପାରି ନାହାନ୍ତି ତୁରନ୍ତ ସେମାନଙ୍କ ଧାନ କ୍ରୟ କରିବାକୁ ଦାବି ହୋଇଛି। ଜିଲ୍ଲାର ବେଲଗୁଣ୍ଠା, ଭଞ୍ଜନଗର, ବୁଗୁଡ଼ା, ଚିକିଟି, ଧରାକୋଟ, ଦିଗପହଣ୍ଡି, ହିଂଜିଳିକାଟୁ, ଜଗନ୍ନାଥପ୍ରସାଦ, କୁକୁଡ଼ାଖଣ୍ଡି, ପାତ୍ରପୁର, ପୋଲସରା, ପୁରୁଷୋତ୍ତମପୁର, ରଂଗେଇଲୁଣ୍ଡା, ସାନେଖମୁଣ୍ଡି ଓ ସୋରଡ଼ା ବ୍ଲକରୁ ଧାର୍ଯ୍ୟ ଟାର୍ଗେଟର ୯୦ ପ୍ରତିଶତରୁ ଅଧିକ ଧାନ କିଣା ହୋଇ ସାରିଲାଣି। ଏଣୁ ନୂଆ ଟାର୍ଗେଟ ନଆସିଲେ ଚାଷୀ ଧାନ ବିକ୍ରି କରିବେ କିପରି ବୋଲି ଚାଷୀ ସଙ୍ଗଠନଗୁଡ଼ିକ ପ୍ରଶ୍ନ କରିଛନ୍ତି। ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ସମାଧାନ ପନ୍ଥା ବାହାର କରିବାକୁ ଦାବି ହୋଇଛି।