ଧାନ କିଣାରେ ବିଳମ୍ବ : ଓଡ଼ିଶା ଧାନ ଏବେ ଛତିଶଗଡ଼ମୁହାଁ

ଦଲାଲଙ୍କ କବ୍‌ଜାରେ ଚାଷୀ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଗତ ନଭେମ୍ବର ୧ ତାରିଖ ଠାରୁ ଧାନ କ୍ରୟ ପାଇଁ ଘୋଷଣା କରାଯାଇଥିଲା। ୨୦ ଦିନ ପରେ ମଧ୍ୟ ମିଲର୍ସ ଚୁକ୍ତି ନକରିବା ନେଇ ଚାଷୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଧାନ କିଣାରେ ବିଳମ୍ବ ଯୋଗୁଁ ଚାଷୀ କମ୍‌ ମୂଲ୍ୟରେ ଦଲାଲ ହାତରେ ଟେକି ଦେଉଛନ୍ତି। ଏହି ଧାନ ଏବେ ଦଲାଲ ମାଧ୍ୟମରେ ଛତିଶଗଡ଼ ଚାଲାଣ ହେଉଥିବା ଦେଖିବାକୁ ମିଳୁଛି।

କଳାହାଣ୍ଡି ଜିଲ୍ଲାରେ ଗତ ନଭେମ୍ବର ୨ ତାରିଖ ଠାରୁ ଧାନ କ୍ରୟ ପାଇଁ ଜିଲ୍ଲା ପ୍ରଶାସନ ଘୋଷଣା କରିଥିଲା। ହେଲେ ବର୍ତ୍ତମାନ ସୁଦ୍ଧା ଧାନ କ୍ରୟ ପାଇଁ ଆନୁସଙ୍ଗିତ ବ୍ୟବସ୍ଥା ହୋଇପାରି ନାହିଁ। ମିଲର୍ସ ମାନଙ୍କ ଅସହଯୋଗ ଯୋଗୁଁ ଧାନ କ୍ରୟ ଏବେ ମିଲର୍ସ ପାଖରେ ବନ୍ଧାପଡିଛି । ମିଲର୍ସମାନେ ଜାଣିଶୁଣି ଦଲାଲ ଜରିଆରେ ଅଣ୍ଡର ରେଟରେ ଧାନ କ୍ରୟ କରି ପଡୋଶୀ ଛତିଶଗଡକୁ ଚାଲାଣ କରୁଥିବା ଅଭିଯୋଗ ହେଉଛି।

କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଲକର ଉଛଲା, କୁମଯୋର, ବାନେର, କୁଚାଗାଁ, ଆମଯୋର, କୋକସରା ବ୍ଲକର ଭଇଁରିପାଲି, କାଶୀବାହାଲ, ଚିକିଲି, ଆମପାଣି ସମେତ ବିଭିନ୍ନ ଅଞ୍ଚଳରୁ କ୍ବିଣ୍ଟାଲ ୧୧ଶହ ଟଙ୍କାରେ ଧାନ କ୍ରୟ କରି ଲଡୁଗାଁ ଠାରେ ମହଜୁଦ କରାଯାଉଛି। ଗାଁ ଗାଁ ବୁଲି ଚାଷୀମାନଙ୍କ ପାଖକୁ ଯାଇ କମ ଦରରେ ଧାନ କିଣି ଟ୍ରକ, ଟ୍ରାକ୍ଟର ପଡୋଶୀ ଛତିଶଗଡ ରାଜ୍ୟର ଝାକଂରପଡା, ଦେଭୋଗ ଅଂଚଳକୁ ଚାଲାଣ କରୁଥିବା ଅଭିଯୋଗ ହେଉଛିା ସରକାରଙ୍କ ଟୋଲଗେଟ ଉଚ୍ଛେଦ ନିୟମ ଲାଗୁ ହେବା ପରେ ଆରଏମସି ଗେଟ ଗୁଡିକ ଉଠିଯିବା ପରେ ଦଲାଲମାନେ ଅନାୟସରେ ବାନେର ଲଡୁଗାଁ ରାସ୍ତା ଦେଇ ଛତିଶଗଡ ରାଜ୍ୟ ଝାଙ୍କରପଡାକୁ ଧାନ ଚାଲାଣ କରୁଛନ୍ତି।

ଲଡୁଗାଁ ଠାରେ ମୁଖ୍ୟ ଦଲାଲମାନେ କିଛି ମିଲର୍ସଙ୍କ ସହିତ ମିଶି ଲଡୁଗାଁରୁ କାଉଡୋଲା, ଡୁଙ୍ଗରିଗୁଡା, ବେହେରା ଦେଇ ଛତିଶଗଡ ଝାକରପଡା ଧାନ ମଣ୍ଡିର ବ୍ୟବସାୟୀଙ୍କ ପାଖରେ ଧାନ ପହଞ୍ଚାଇ ଦେଉଛନ୍ତି। ସେଠାରେ ପ୍ରାୟ ୧୪୦୦ ଟଙ୍କାରେ ଚାଷୀ ଧାନ ଦେଉଥିବା ବେଳେ ଛତିଶଗଡି ବେପାରୀମାନେ କାଗଜପତ୍ର କରି ପ୍ରାୟ ୧୭୫୦ ଟଙ୍କାରେ ବିକ୍ରୟ କରୁଛନ୍ତି। ଓଡିଶାରେ ଧାନ କ୍ରୟରେ ବିଳମ୍ବ ନେଇ ଚାଷୀ କମ୍‌ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକ ଦେଖାଣିଆ କାଁ ଭାଁ ଚଢଉ କରାଯାଇ ଦଲାଲ ମାନଙ୍କୁ କ୍ଲିନଚିଟ ଦେଉଥିବା ଯୋଗୁଁ ଚାଷୀ ମହଲରେ କ୍ଷୋଭ ପ୍ରକାଶ ପାଇଛି।

ଏ ନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ଧାନ ବିକ୍ରି ପାଇଁ ପ୍ରତିବନ୍ଧକ ନାହିଁ। ଚାଷୀ ଅଣ୍ଡର ରେଟରେ ଧାନ ବିକ୍ରି କରୁଥିବା ନେଇ ଆମକୁ ଅଭିଯୋଗ କରୁନାହାନ୍ତି , ତେଣୁ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରୁନାହିଁ ବୋଲି କହିଥିଲେ।

ସମ୍ବନ୍ଧିତ ଖବର