ଟୋକନ ପାଇ ମଧ୍ୟ ଧାନ ବିକି ପାରିଲେନି ୨ ଲକ୍ଷ ଚାଷୀ

ଭୁବନେଶ୍ବର : ଦିନକ ପରେ ସରିବ ଧାନ ସଂଗ୍ରହ। ଟୋକନ ପାଇ ମଧ୍ୟ ଧାନ ବିକି ପାରିଲେ ନାହିଁ ୨ ଲକ୍ଷ ୪୯ ହଜାର ୮୨୭ ଚାଷୀ। ଏଥିରେ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୨୬ ହଜାର ୩୪୩, ମୟୂରଭଞ୍ଜର ୨୦ ହଜାର ୪୦୨, ବରଗଡ଼ର ୧୮ ହଜାର ୫୮୧ ଚାଷୀ ଅଛନ୍ତି। କନ୍ଧମାଳ ଠାରୁ କୋରାପୁଟ ଏଭଳି କୌଣସି ଜିଲ୍ଲା ନାହିଁ ଯେଉଁଠି ଟୋକନ ପାଇଥିବା ସବୁ ଚାଷୀ ଧାନ ବିକ୍ରି ପାଇଁ ସକ୍ଷମ ହୋଇଛନ୍ତି। ଟୋକନ ଲାପ୍ସ, ଟାର୍ଗେଟ ସମାପ୍ତ ରାଜ୍ୟ ସରକାର ଆଳ ଯାହା ମଧ୍ୟ ଦେଖାନ୍ତୁ, ମଣ୍ଡିରେ ମିଲର୍ସଙ୍କ ମନମାନୀ ସ୍ପଷ୍ଟ ଦିଶୁଛି। ସରକାର ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରୁଛନ୍ତି, କିନ୍ତୁ ମିଲର୍ସ ନ ଚାହିଁଲେ ଧାନ ଉଠିପାରୁ ନାହିଁ। ସରକାରଙ୍କ ମିଲର୍ସଙ୍କ ପ୍ରତି ଦୁର୍ବଳତା ଯୋଗୁଁ ଚାଷୀ ଦୁର୍ଦ୍ଦଶା ବଢୁଛି।

ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ୧୫ ଲକ୍ଷ ୪୩ ହଜାର ୩୭୫ ଚାଷୀ ଧାନ ବିକ୍ରି ପାଇଁ ଟୋକନ ପାଇଥିଲେ। ଧାନ ବିକ୍ରି କରିପାରିନଥିବା ଚାଷୀଙ୍କ ମଧ୍ୟରେ ଅନୁଗୁଳର ୬୧୧୦, ବାଲେଶ୍ବରର ୧୭,୪୦୫, ଭଦ୍ରକ ୧୨,୫୪୧, ବୌଦ୍ଧର ୨୫୬୯, କଟକ ୧୫,୯୧୭, ଦେବଗଡ଼ ୨୦୫୮, ଢେଙ୍କାନାଳ ୪୭୦୪, ଗଜପତି ୯୩୯, ଗଂଜାମ ୨୬,୩୪୩, ଜଗତସିଂହପୁର ୧୭,୫୩୭, ଯାଜପୁର ୧୦,୧୫୧, ଝାରସୁଗୁଡ଼ା ୯୬୩, କଳାହାଣ୍ଡି ୯୪୨୦, କନ୍ଧମାଳ ୮୪୯, କେନ୍ଦ୍ରାପଡ଼ା ୧୩,୭୬୪, କେନ୍ଦୁଝର ୧୦,୮୮୨, ଖୋର୍ଧା ୬୩୦୫, କୋରାପୁଟ ୧୫୦୮, ମାଲକାନଗିରି ୧୦,୭୧୭, ନବରଙ୍ଗପୁର ୧୭୫୯, ନୟାଗଡ଼ ୩୯୫୨, ନୂଆପଡ଼ା ୪୨୭୩, ପୁରୀ ୧୧,୩୩୧, ରାୟଗଡ଼ା ୧୨୫୭, ସମ୍ବଲପୁର ୪୮୦୨, ସୁବର୍ଣ୍ଣପୁରର ୩୧୨୬, ସୁନ୍ଦରଗଡ଼ର ୩୫୪୦ ଚାଷୀ ଅଛନ୍ତି। ଗଞ୍ଜାମ ଜିଲ୍ଲା ଚାଷୀ ସଙ୍ଗଠନ ପକ୍ଷରୁ କୁହାଯାଇଛି, ଗଞ୍ଜାମ ଜିଲ୍ଲାରୁ ୪ ଲକ୍ଷ କ୍ବିଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ଦିଆଯାଇଥିଲା। ଏଠାରେ ଡିସେମ୍ବର ୨୯ ତାରିଖରୁ ମାର୍ଚ ୩୧ ତାରିଖ ପର୍ଯ୍ୟନ୍ତ ଧାନ ସଂଗ୍ରହ ହେବାର ଥିଲା। ଟୋକନ ସରିଯାଇଥିବା କହି ୧୭ ତାରିଖରୁ ଧାନ ସଂଗ୍ରହ ବନ୍ଦ ହୋଇଗଲା।

କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି ଯେ ରାଜ୍ୟରେ ଚାଷୀଙ୍କ ସ୍ଥିତି ନୀତି ଆୟୋଗର ରିପୋର୍ଟ ହିଁ ଦର୍ଶାଇଛି ରାଜ୍ୟ ଚାଷୀ ଆୟର ସ୍ଥିତି। ପ୍ରତିବର୍ଷ ଅନେକ ସଂଖ୍ୟାରେ ଚାଷୀ ଧାନ ବିକ୍ରି କରିପାରୁନାହାନ୍ତି। ଏଥିଯୋଗୁଁ ଆୟ ହାରାହାରି ୫୧୦୦ରେ ପହଞ୍ଚିଛି। ଟୋକନ ଲାପ୍ସ, ଟାର୍ଗେଟ ସମାପ୍ତକୁ ସରକାର କେବଳ ଆଳ କରୁଛନ୍ତି। ସରକାର ପ୍ରତିଟି ଚାଷୀ ଠାରୁ ଧାନ କ୍ରୟ କରିବା ଉଚିତ ବୋଲି ସେ ଦାବି କରିଛନ୍ତି।

ଧାନ ସଂଗ୍ରହ ବ୍ୟବସ୍ଥା ଅନୁଯାୟୀ ମଣ୍ଡିକୁ ଆସୁଥିବା ପ୍ରତ୍ୟେକ ଚାଷୀଙ୍କ ଧାନ ସରକାର କିଣିବାକୁ ବାଧ୍ୟ। ଖାଦ୍ୟ ଯୋଗାଣ ବିଭାଗର ଏଜେନ୍ସି ଭାବରେ ପେକ୍ସ ଧାନ କ୍ରୟ କରନ୍ତି। କିନ୍ତୁ ସମବାୟ ସମିତିଗୁଡ଼ିକରେ ଆବଶ୍ୟକ ଗୋଦାମର ଅଭାବରୁ ଧାନ ସିଧାସଳଖ ମିଲ ପାଖକୁ ଯାଇଥାଏ। ଫଳରେ ମିଲରମାନେ ମନଇଚ୍ଛା ଧାନ ସଂଗ୍ରହରେ କଟନିଛଟନି କରନ୍ତି କିମ୍ବା ଧାନ ସଂଗ୍ରହ କ୍ରୟ ମନ୍ଥର କରି ଦିଅନ୍ତି। ସ୍ଥିତି ଏଭଳି ହୁଏ ଯେ ଟୋକନ ଲାପ୍ସ କରିଯାଏ ଏବଂ ଚାଷୀ ବିକ୍ରି କରିପାରେ ନାହିଁ। ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ କହିଛି, ବିଭିନ୍ନ ଜିଲ୍ଲାରେ ଏତେ ସଂଖ୍ୟକ ଚାଷୀ ବିକ୍ରି ନକରିବାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଧାନ ସଂଗ୍ରହ ତାରିଖ ବଢାଇବା କିମ୍ବା ଟୋକନ ନବୀକରଣ ପାଇଁ ଅନୁରୋଧ କରିଥିଲା। ମାତ୍ର ଏସଂକ୍ରାନ୍ତରେ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନେଇ ନାହାନ୍ତି।

ସମ୍ବନ୍ଧିତ ଖବର