ଭୁବନେଶ୍ବର : ଚଳିତ ଖରିଫ୍ ଋତୁରେ ଧାନ କିଣାରେ ଯେଉଁ ଅନଲାଇନ୍ ଟୋକନ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି, ତାହା ଆରମ୍ଭରୁ ଧାନ କିଣା ପ୍ରକ୍ରିୟାକୁ ବାଟବଣା କରିବାକୁ ବସିଛି। ଚାଷୀମାନେ ଏହି ବ୍ୟବସ୍ଥାକୁ ବିରୋଧ କରିବା ଆରମ୍ଭ କରିଛନ୍ତି। ସ୍ଥିତି ଏତେ ଗମ୍ଭୀର ହେଲାଣି ଯେ ଖୋଲା ଆକାଶ ତଳେ ଶହ ଶହ କ୍ବିଣ୍ଟାଲ ଧାନ ପଡ଼ିଛି। ଅଥଚ ବିକ୍ରି ହୋଇପାରୁନାହିଁ। ଏହାକୁ ନେଇ ଚାଷୀ ମହଲରେ ସୃଷ୍ଟି ହୋଇଥିବା ଅସନ୍ତୋଷ କ୍ରମଶଃ ବଢ଼ିବାରେ ଲାଗିଛି। ବରଗଡ଼ ଓ ସମ୍ବଲପୁରରେ ସବୁଠାରୁ ଉତ୍କଟ ପରିସ୍ଥିତି ସୃଷ୍ଟି ହୋଇଛି। ଆସନ୍ତାକାଲି ନୂଆପଡ଼ା ଜିଲ୍ଲାରେ ଧାନ କିଣା ଆରମ୍ଭ ହେବ। କିନ୍ତୁ ମିଳିଥିବା ସୂଚନା ଅନୁସାରେ, ସେଠାରେ ମାତ୍ର ୭ଜଣ ଚାଷୀ ଟୋକନ୍ ପାଇବାରେ ସମର୍ଥ ହୋଇଛନ୍ତି।

Advertisment

ରାଜ୍ୟ ସରକାର ଏଥର ଧାନ କିଣା ବ୍ୟବସ୍ଥାରେ ନୂଆ ପଦ୍ଧତି ଅବଲମ୍ବନ କରିଛନ୍ତି। ଚାଷୀଙ୍କ ଧାନ ସଂଗ୍ରହ ବ୍ୟବସ୍ଥାକୁ ସ୍ବଚ୍ଛ କରିବା ପାଇଁ ଚଳିତ ବର୍ଷ ଚାଷୀଙ୍କୁ ପ୍ରଦାନ କରାଯାଉଥିବା ଟୋକନ୍ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ପି-ପାସ୍ ଜରିଆରେ ପଞ୍ଜୀକୃତ ଚାଷୀ ପୂର୍ବରୁ ସମ୍ପୃକ୍ତି ପ୍ରାଥମିକ ସମବାୟ ସମିତି ଓ ବହୁମୁଖୀ ବୃହଦାକାୟ ସମବାୟ ସମିତିରୁ ଆଗୁଆ ଟୋକନ ସଂଗ୍ରହ କରୁଥିଲେ। କିନ୍ତୁ ସେଥିରେ ଚାଷୀ ଶୋଷଣର ଶିକାର ହେବା ନେଇ ଅଭିଯୋଗ ଆସିବା ପରେ ଚଳିତବର୍ଷଠାରୁ ସରକାର ଏହି ବ୍ୟବସ୍ଥାକୁ ରାଜ୍ୟସ୍ତରରେ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରିଛନ୍ତି। ଧାନ ସଂଗ୍ରହ ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ବଚ୍ଛତା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ପଞ୍ଜୀକୃତ ଚାଷୀର ଆଧାର ସିଡିଂ କରାଯାଇଛି। ଏହାସହିତ ସମ୍ପୃକ୍ତ ଚାଷୀର ପଞ୍ଜୀକୃତ ମୋବାଇଲ ନମ୍ବରକୁ ଏସ୍‌ଏମ୍‌ଏସ୍‌ ଜରିଆରେ ସମସ୍ତ ସୂଚନା ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଥିଲା। ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ ହେବା ପରେ ଭୁବନେଶ୍ବରରୁ ଟୋକନ୍ ପ୍ରଦାନ କରାଯିବା ବ୍ୟବସ୍ଥା ହୋଇଛି। ପଞ୍ଜୀକୃତ ଚାଷୀର ମୋବାଇଲକୁ ଏସ୍‌ଏମ୍‌ଏସ୍‌ ଜରିଆରେ ଟୋକନ୍ ନମ୍ବର ପଠାଇ ଦିଆଯିବ।ଏହି ନମ୍ବରକୁ ମଣ୍ଡିରେ ସମ୍ପୃକ୍ତ ଚାଷୀ ଦେଖାଇବା ପରେ ତାଠାରୁ ଧାନ କିଣାଯିବ।

ଏହି ବ୍ୟବସ୍ଥାଟି କିନ୍ତୁ ଧାନ କିଣା ପ୍ରକ୍ରିୟାରେ ଏକ ବଡ଼ ଅବ୍ୟବସ୍ଥା ସୃଷ୍ଟି କଲାଣି। ଆମ ବରଗଡ଼ ପ୍ରତିନିଧିଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଜିଲ୍ଲାରେ ଏଥର ୧୬୯ଟି ମଣ୍ଡି ଖୋଲିବା କଥା। ବର୍ତମାନ ସୁଦ୍ଧା ୩୫ଟି ମଣ୍ଡି ଖୋଲିଛି। ସେଥିରେ କିନ୍ତୁ ପ୍ରାୟ ୮୦ ହଜାର କ୍ବିଣ୍ଟାଲ ଧାନ ବିକ୍ରି ଅପେକ୍ଷାରେ ରହିଛି। ସବୁଠାରୁ ଅଧିକ ଅତାବିରା ବ୍ଲକରେ। ସେଠାରେ ପ୍ରାୟ ୫୫ ହଜାର କ୍ବିଣ୍ଟାଲ ଧାନ ଧରି ଚାଷୀ ଅପେକ୍ଷା କରିଛି। ଏହି ଜିଲ୍ଲାର ଚାଷୀମାନେ ନଭେମ୍ବର ୧୦ ତାରିଖରୁ ଧାନ କିଣିବା ଲାଗି ଦାବି କରି ଆସୁଥିଲେ। ପ୍ରଶାସନ ବାତ୍ୟା ଆଳ ଦେଖାଇ ୧୫ ତାରିଖକୁ ଘୁଞ୍ଚାଇଥିଲା। କିନ୍ତୁ ଏବେ ସୁଦ୍ଧା ମାତ୍ର ୫୪୦୦ ଚାଷୀଙ୍କୁ ଟୋକନ୍ ମିଳିଛି। ଚାଷୀଙ୍କର ଯୁକ୍ତି ହେଉଛି, ଜାନୁଆରି ପ୍ରଥମ ସପ୍ତାହ ସୁଦ୍ଧା ସେମାନେ ରବି ଫସଲ ଆରମ୍ଭ କରିବେ। ଯଦି ଧାନ ବିକ୍ରି କରୁ କରୁ ଡିସେମ୍ବର ଅଧା ହେବ, ତେବେ ରବି ଫସଲ କରିବେ କେବେ?

ସମ୍ବଲପୁର ସ୍ଥିତି ବି ସେମିତି। ଆମ ପ୍ରତିନିଧିଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଉପଖଣ଼୍ଡରେ ୯୪ଟି ମଣ୍ଡିରୁ ଧାନ କିଣା ଯିବା କଥା। ବର୍ତମାନ ପାଖାପାଖି ୩୦ଟି ମଣ୍ଡିରେ ୧୫ହଜାର ପ୍ୟାକେଟରୁ ଅଧିକ ଧାନ ଧରି ଚାଷୀ ଠିଆ ହେଲେଣି। କିଛି ଚାଷୀଙ୍କୁ ଟୋକନ୍ ମିଳିଛି। ହେଲେ ଗୋଟିଏ ବି ବସ୍ତା ବିକ୍ରି ହୋଇନାହିଁ। ଟୋକନ୍ ବ୍ୟବସ୍ଥାକୁ ବିରୋଧ କରି ଚାଷୀମାନେ ଆଜି ମଣ୍ଡି ଖୋଲିବାକୁ ଆସିଥିବା ଅଧିକାରୀଙ୍କୁ ଫେରାଇ ଦେଇଛନ୍ତି। କଳାହାଣ୍ଡି ଜିଲ୍ଲାରେ ମିଲର୍ସ ଚୁକ୍ତି ସରିନଥିବା ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ଚାଷୀ ଆରମ୍ଭରୁ ଅନ୍‌ଲାଇନ୍ ଟୋକନ୍ ବ୍ୟବସ୍ଥାକୁ ବିରୋଧ କରୁଛନ୍ତି। ରାଜ୍ୟ ସରକାର କିନ୍ତୁ ଏହି ବ୍ୟବସ୍ଥାର ସମାଧାନର ରାସ୍ତା ନ କାଢ଼ି ଜୋରଜବରଦସ୍ତ ଲାଗୁ କରିବାକୁ ବସିଛନ୍ତି। ଫଳରେ ଧାନ କିଣା ପ୍ରଭାବିତ ହୋଇଛି । ଏମିତିରେ ବି ଅନଲାଇନ୍ ଟୋକନ୍ ବ୍ୟବସ୍ଥାଟି ଯେ ଶତ ପ୍ରତିଶତ ସଫଳ ସେ ଆଶଙ୍କା ଦେଖାଦେଲାଣି। କାରଣ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ମୋବାଇଲ୍ ନେଟଵର୍କ ନାହିଁ। ଏସବୁ ଅଞ୍ଚଳର ଚାଷୀ କିଭଳି ଟୋକନ୍ ପାଇବେ? ଉପକୂଳ ସ୍ଥିତି ଆହୁରି ସାଂଘାତିକ। ସାମୁଦ୍ରିକ ବାତ୍ୟା ଫନି ପରେ ଟେଲି ଯୋଗାଯୋଗ ବ୍ୟବସ୍ଥାରେ ଏବେ ସାଂଘାତିକ ସମସ୍ୟା ଦେଖାଯାଉଛି। ଅନେକ ସ୍ଥାନରେ ନେଟଵର୍କ ନାହିଁ। ବାତ୍ୟା ବୁଲ୍‌ବୁଲ୍ ୬ଟି ଜିଲ୍ଲାରେ ଅନେକ କ୍ଷତି ଘଟାଇଛି। ଏଭଳି ସ୍ଥିତିରେ ସଂପୃକ୍ତ ଚାଷୀଙ୍କ ପାଖକୁ କିଭଳି ଟୋକନ୍ ଯିବ, ତାହା ବଡ଼ ପ୍ରଶ୍ନ ସୃଷ୍ଟି କଲାଣି।