‘ସରକାର କିଣନ୍ତୁ ଅଣ-ଏଫ୍‌ଏକ୍ୟୁ ମାନର ଧାନ’

ନରସିଂହ ଉଠାଇଲେ ଧାନର ଅଭାବୀ ବିକ୍ରି ପ୍ରସଙ୍ଗ

ଭୁବନେଶ୍ୱର : ମରୁଡ଼ି, ରୋଗପୋକ, ଅଦିନିଆ ବର୍ଷା ପରେ ଏବେ ଚାଷୀଙ୍କୁ ଘାରିଛି ଧାନର ଅଭାବୀ ବିକ୍ରି। ଏହା ଅତ୍ୟନ୍ତ ଗୁରୁତର ସମସ୍ୟା ଭାବେ ପଦାକୁ ଆସିଥିବା ଦର୍ଶାଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଆଜି ଏହି ପ୍ରସଙ୍ଗକୁ ଗୃହରେ ଉଠାଇଥିଲେ। ସେ ଦାବି କରିଥିଲେ ଯେ ସରକାର ଅଣ-ଫେୟାର ଆଭରେଜ୍‌ କ୍ୱାଲିଟି(ଏଫ୍‌ଏକ୍ୟୁ) ମାନର ଧାନ କିଣନ୍ତୁ। ଏଥିପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି)ଠାରୁ କମ୍‌ ମୂଲ୍ୟରେ ଧାନ ବିକ୍ରି କରିବାକୁ ଚାଷୀ ପ୍ରସ୍ତୁତ। ତେବେ ଏ ନେଇ ସରକାର ଗୃହରେ ବିବୃତି ରଖନ୍ତୁ ବୋଲି ସେ ଦାବି କରିଥିଲେ। ଅପରାହ୍ଣରେ ଗୃହ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର କହିଲେ ଯେ କୃଷିମନ୍ତ୍ରୀ ଡା. ଦାମୋଦର ରାଉତ ଗୃହରେ କହିଛନ୍ତି ଯେ ଏଥର ମରୁଡ଼ି, ରୋଗପୋକ ସତ୍ତ୍ୱେ ଧାନ ଉତ୍ପାଦନ ଅଧିକ ହେବ। ବାସ୍ତବ କଥା ହେଉଛି ଯେ ଅନେକ ସ୍ଥାନରେ ମଣ୍ଡି ଖୋଲିନାହିଁ। ଯେଉଁଠି ଧାନ ସଂଗ୍ରହ କରାଯାଉଛି, ଅଣଏଫ୍‌ଏକ୍ୟୁ ମାନର ଧାନ ଆଳରେ ଚାଷୀଙ୍କଠାରୁ ପ୍ରତି କ୍ୱିଣ୍ଟାଲ୍‌ ଧାନରୁ ୫ରୁ ୧୦ କିଲୋ ଲେଖାଏଁ କଟାଯାଉଛି। ଚାଷୀଙ୍କ କାମ ହେଉଛି ସେ ଧାନ ଅମଳ କରି ମଣ୍ଡିକୁ ଆଣିବ। ମଣ୍ଡିରେ ଅଣ-ଏଫ୍‌ଏକ୍ୟୁ ମାନର ଧାନକୁ ଏଫ୍‌ଏକ୍ୟୁ ମାନର ଧାନରେ ପରିଣତ କରିବା ପାଇଁ ମେସିନ ରଖାଯିବା କଥା। କିନ୍ତୁ କୌଣସି ମଣ୍ଡିରେ ସେହି ଯନ୍ତ୍ର ରଖାଯାଉନାହିଁ। ଏହାର ସୁଯୋଗରେ ପ୍ରାଥମିକ କୃଷି ସମବାୟ ସମିତି (ପାକ୍‌ସ) ଚାଷୀଙ୍କୁ ଲୁଟୁଛନ୍ତି। ପାକ୍‌ସ ଦୁର୍ନୀତି, ଅନିୟମିତତାରେ ଜଡ଼ିତ। ଏହି ସମିତିଗୁଡ଼ିକ ଅଧିକ ଲାଭାର୍ଜନ କରୁଥିବା ସେ ଅଭିଯୋଗ କରିଥିଲେ।

ନିୟମ ମୁତାବକ ଏକ ଏକର ଅଣଜଳସେଚିତ ଜମିରୁ ସରକାର ୧୨ କ୍ୱିଣ୍ଟାଲ୍‌ ଧାନ ସଂଗ୍ରହ କରିବେ। ଚାଷୀ ନିଜ ବ୍ୟବହାର ରଖିବ ୩ କ୍ୱିଣ୍ଟାଲ୍‌। କିନ୍ତୁ ଶ୍ରୀ ପଦ୍ଧତି ଅବଲମ୍ବନ କରି ଚାଷୀ ପ୍ରତି ଏକର ଜମିରୁ ପ୍ରାୟ ୪୦ କ୍ୱିଣ୍ଟାଲ୍‌ ଧାନ ଅମଳ କରୁଛି। ଯେଉଁଠି ଚାଷୀ ହାତରେ ବଳକା ଧାନ ରହୁଛି, ସେହି ଧାନ ନେବାର ବ୍ୟବସ୍ଥା ସରକାର କରିବା ପାଇଁ ଶ୍ରୀ ମିଶ୍ର ସରକାରଙ୍କୁ କହିଥିଲେ। ନଚେତ୍‌ ସେହି ଚାଷୀମାନେ ଅଭାବୀ ବିକ୍ରିର ଶିକାର ହେବେ। ଯଦି ଅଣ-ଏଫ୍‌ଏକ୍ୟୁ ମାନର ଧାନ ହୋଇଥାଏ, ସେପରି ସ୍ଥଳେ ସହାୟକ ମୂଲ୍ୟ କ୍ୱିଣ୍ଟାଲ୍‌ ପ୍ରତି ୧୫୫୦ ଟଙ୍କାରୁ କମ୍‌ ଦେଲେ ମଧ୍ୟ ତାହା ଚାଷୀଙ୍କ ପାଇଁ ସହାୟକ ହେବ। ଅଭାବୀ ଧାନରୁ ସେ ରକ୍ଷା ପାଇପାରିବ। ଟଙ୍କିକିଆ ଚାଉଳ ଦେଉଥିବା ସରକାର ଚାଷୀ ହିତରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ସେ ଦାବି କରିଥିଲେ। ତେବେ ଏ ନେଇ ବିବୃତି ରଖିବା ପାଇଁ ସରକାରଙ୍କୁ ନିର୍ଦେଶ ଦେବାକୁ ବାଚସ୍ପତିଙ୍କୁ କହିଥିଲେ ବିରୋଧୀ ଦଳ ନେତା।

ଏ ନେଇ ବାଚସ୍ପତି ପ୍ରଦୀପ କୁମାର ଅମାତ କୌଣସି ରୁଲିଂ ନ ଦେଇ ବିଜେପି ବିଧାୟକ କନକ ବର୍ଦ୍ଧନ ସିଂହଦେଓଙ୍କୁ କହିବାକୁ ଅନୁମତି ଡାକିଥିଲେ। ଏହାର ପ୍ରତିବାଦରେ କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟଭାଗକୁ ଯାଇ ‘ଅଭାବୀ ବିକ୍ରି ବନ୍ଦ କର, ଚାଷୀ ମାରଣ ନୀତି ଚଳିବ ନାହିଁ, ଅଭାବୀ ବିକ୍ରି କଲା କିଏ, ନବୀନ ସରକାର ଆଉ କିଏ’ ଆଦି ସ୍ଲୋଗାନ ଦେଇଥିଲେ। ଅନ୍ୟପକ୍ଷରେ ସରକାରଙ୍କ ଠକାମି ଚଳିବ ନାହିଁ ସ୍ଲୋଗାନ ଦେଇଥିଲେ ବିଜେପି ବିଧାୟକମାନେ। ବିଜେଡି ବିଧାୟକମାନେ ନିଜ ନିଜ ଆସନରେ ଛିଡ଼ା ରହି ଛତିଶଗଡ଼, ମହାନଦୀ ସ୍ଲୋଗାନ ଦେଇଥିଲେ। ଗୃହରେ ହଟ୍ଟଗୋଳ ଜାରି ରହିଥିଲା। ବାଚସ୍ପତି ଦୁଇଥର ଗୃହକୁ ମୁଲତବୀ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର