୧୪୭ ବିଧାୟକଙ୍କ ସହ ମନ୍ତ୍ରୀଙ୍କ ମାରାଥନ ବୈଠକ ଶେଷ : ଧାନକିଣା ଅଚଳାବସ୍ଥା ଦୂର ହେବ

ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସଚିବ

ଭୁବନେଶ୍ବର : ୩୦ଟି ଜିଲ୍ଲାରେ ଥିବା ଧାନମଣ୍ଡିଗୁଡ଼ିକରେ ପଡ଼ିରହିଥିବା ଖରିଫ ଧାନ ଚାଷୀଙ୍କଠାରୁ ତୁରନ୍ତ କିଣାଯିବ। ସ୍ଥାନୀୟ ଅଞ୍ଚଳରେ ଥିବା ଧାନମଣ୍ଡି ସମସ୍ୟାଗୁଡ଼ିକ ଦୂର କରିବା ପାଇଁ ଆସନ୍ତା ୨୯ ତାରିଖରେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି (ଡିଏଲ୍‌ପିସି) ବୈଠକ ଡକାଯିବ। ଧାନମଣ୍ଡିରେ ଗଦାଗଦା ଧାନ ପଡ଼ିରହିଥିବା ନେଇ ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ରୁଲିଂ ଅନୁଯାୟୀ ଯୋାଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଲଗାତାର ୩ ଦିନ ଧରି ୫ଟି ବୈଠକ କରି ୧୪୭ ବିଧାୟକମାନଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ପରେ ଆଜି ଯୋଗାଣ ସଚିବ ସବୁ ଜିଲ୍ଲାପାଳମାନଙ୍କୁ ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ ସଂଗ୍ରହ କରିବାକୁ ଚିଠି ଲେଖିଛନ୍ତି।

ପଶ୍ଚିମ ଓଡ଼ିଶାର ୫ଟି ଜିଲ୍ଲାରେ ଥିବା ଧାନମଣ୍ଡିରେ ଧାନ ପଡ଼ିରହିଥିବା ନେଇ ଗତ ୧୯ ତାରିଖରେ ବିଧାନସଭା ଶୂନ୍ୟକାଳରେ ବିରୋଧୀ ଓ ଶାସକ ଦଳ ସଭ୍ୟମାନେ ଗୃହରେ ଉଦ୍‌ବେଗ ପ୍ରକାଶ କରିଥିଲେ। ସଭ୍ୟମାନଙ୍କୁ ଉଦେବଗକୁ ଦେଖି ସବୁ ବିଧାୟକମାନଙ୍କ ଆଲୋଚନା କରି ସମସ୍ୟାର ସମାଧାନ ବାହାର କରିବାକୁ ଯୋଗାଣମନ୍ତ୍ରୀ ଶ୍ରୀ ସ୍ବାଇଁଙ୍କୁ ବାଚସ୍ପତି ଶ୍ରୀ ପାତ୍ର ନିର୍ଦ୍ଦେଶ ଦେଇଥିଲେ। ଏଥିରେ ବିରୋଧୀ ସନ୍ତୁଷ୍ଟ ହୋଇ ନଥିଲେ। ଧାନକିଣାକୁ ନେଇ ବିରୋଧୀ ଗୃହକୁ ଲଗାତାର ଦୁଇଦିନ ଅଚଳ କରିଥିଲେ। ଗତ ୨୪, ୨୫ ଓ ୨୬ ତାରିଖ ୩ ଦିନ ଧରି ମନ୍ତ୍ରୀ ଶ୍ରୀ ସ୍ବାଇଁ ଅଞ୍ଚଳଵାରୀ ୧୪୭ ବିଧାୟକମାନଙ୍କ ସହ ଆଲୋଚନା କରିଥିଲେ। ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମଣ୍ଡିରେ ସାଧାରଣ ମୌଳିକ ସୁବିଧା ସୁଯୋଗ ନଥିବା ନେଇ ପ୍ରାୟ ସବୁ ବିଧାୟକ ମନ୍ତ୍ରୀଙ୍କ ଆଗରେ ଅଭିଯୋଗ କରିଥିଲେ। ଏହାକୁ ଗୁରୁତର ସହ ନେଇ ଆସନ୍ତା ଦିନରେ ସବୁ ମଣ୍ଡିରେ ଆବଶ୍ୟକ ମୌଳିକ ସୁବିଧା ସୁଯୋଗ ଯୋଗାଇଦେବାକୁ ସବୁ ବିଧାୟକମାନଙ୍କୁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

ବୁଧବାର ଯୋଗାଣ ସଚିବ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି, ଯେହେତୁ ବିଧାନସଭା ଆଜିଠାରୁ ପ୍ରାୟ ୧୩ ଦିନ ମୁଲତବୀ ରହିବ ସେ ଦୃଷ୍ଟିରୁ ବଜେଟ୍‌ ଅଧିବେଶନର ଦ୍ବିତୀୟ ବୈଠକ ଆରମ୍ଭ ହେବା ପୂର୍ବରୁ ଧାନ ମଣ୍ଡିରୁ ଚାଷୀଙ୍କ ଧାନ ଉଠିବା ନେଇ ଜିଲ୍ଲାପାଳମାନେ ଆବଶ୍ୟକ ତ୍ବରିତ୍‌ ପଦକ୍ଷେପ ନେବେ। କୌଣସି ସମସ୍ୟାର ସମାଧାନ ପାଇଁ ବିଭାଗୀୟ ନିର୍ଦ୍ଦେଶ କିମ୍ବା ସହାୟତା ଆବଶ୍ୟକ ପଡ଼ିଲେ ସେସବୁ ତୁରନ୍ତ ଯୋଗାଇ ଦିଆଯିବ ବୋଲି ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର