ନୂଆପଡ଼ା, : ନୂଆପଡ଼ା ଜିଲ୍ଲାରେ ୨୦୨୦-୨୧ ରେ ଜିଲ୍ଲାରେ ୨୨ ଏସ୍‌ଏଚ୍‌ଜିଧାନ କ୍ରୟ କରିଥିଲେ। ଯାହାର କମିସନ ଓ ହେମାଲିଙ୍କ ଟଙ୍କା ମିଶି ୧ କୋଟି ୫ ଲକ୍ଷ ଟଙ୍କା ହୋଇଥିଲା। ରାଜ୍ୟ ସରକାର ଏହି ଟଙ୍କା ଦେଇ ନଥିଲେ। ଗ୍ରୁପ୍‌ର ମହିଳା ସୁନା ଗହଣା ବନ୍ଧକ ଓ ଧାର କରଜ କରି ହେମାଲିଙ୍କ ଟଙ୍କା ଦେଇଥିଲେ। ଏ ନେଇ ସୋମବାର ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ସରକାର ଓ ପ୍ରଶାସନର ତତ୍ପରତା ଦେଖିବାକୁ ମିଳିଛି। ଓଡ଼ିଶା ସ୍ବତନ୍ତ୍ର ରିଲିଫ କମିସନ ପ୍ରଦୀପ କୁମାର ଜେନା ଓ ଯୋଗାଣ ବିଭାଗର ସଚିବ ଏହା ଉପରେ ହସ୍ତକ୍ଷେପ କରିଛନ୍ତି। ନୂଆପଡ଼ା ଜିଲ୍ଲାପାଳ ସ୍ବଧାଦେବ ସିଂହଙ୍କୁ ଏହା ଉପରେ ତୁରନ୍ତ ରିପୋର୍ଟ ଦେବା ସହ ଜିଲ୍ଲାର ୨୨ ଏସ୍‌ଏଚ୍‌ଜିର ଆକାଉଣ୍ଟକୁ ତୁରନ୍ତ ଟଙ୍କା ଦେବାକୁ ନିର୍ଦେଶ ଦେଇଥିବା ଜଣାଯାଇଛି। ନୂଆପଡ଼ା ଜିଲ୍ଲାପାଳ ଯୋଗାଣ ବିଭାଗ ଓ ମିସନ ଶକ୍ତି ଅଧିକାରୀମାନଙ୍କୁ ଡାକି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ଏସ୍‌ଏଚ୍‌ଜିର ଖାତକୁ ଟଙ୍କା ଆସିଥିବା ଜଣାପଡ଼ିଛି।