ଧାନ ବିକ୍ରି ପ୍ରସଙ୍ଗକୁ ନେଇ ବିଧାନସଭାରେ ତାତି

ଅସନ୍ତୋଷ ଉଗ୍ର ରୂପ ନେଲାଣି: ନରସିଂହ, ଶାସକ ଦଳ ସଭ୍ୟ ବି ଉଦ୍‌ବେଗ ରଖିଲେ

ଭୁବନେଶ୍ୱର : ଧାନ ବିକ୍ରି ପ୍ରସଙ୍ଗକୁ ନେଇ ବିଧାନସଭାରେ ତାତି। ଖରିଫ ଋତୁରେ ଅନ୍‌ଲାଇନ୍ ଟୋକନ୍‌ ବ୍ୟବସ୍ଥା ଯୋଗୁଁ ଧାନ କିଣା ଆରମ୍ଭ ହୋଇପାରୁ ନ ଥିବାରୁ କଂଗ୍ରେସ ସଭ୍ୟମାନେ ଭୀଷଣ ଉତ୍‌କ୍ଷିପ୍ତ ହୋଇଥିଲେ। ସବୁ ଆଲୋଚନା ବନ୍ଦ କରି ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରଶ୍ନକାଳରୁ ଅଡ଼ି ବସିଥିଲେ। ସେମାନେ ଏମିତି ଗୃହ କମ୍ପାଇଥିଲେ ଯେ ପୂର୍ବାହ୍ନ ଅଧିବେଶନ ମାତ୍ର ୪ ମିନିଟ୍‌ରେ ସୀମିତ ରହିଥିଲା। ଅପରାହ୍ନରେ ସେମାନେ ଏହି ପ୍ରସଙ୍ଗରେ ଗୃହରେ ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ। ଶାସକ ଦଳ ସଭ୍ୟ ବି ଏଥିରେ ସ୍ବର ମିଳାଇଥିଲେ।

ପୂର୍ବାହ୍ନରେ ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ କଂଗ୍ରେସ ସଭ୍ୟମାନେ ଠିଆ ହୋଇ ଧାନ କିଣାରେ ଅବ୍ୟବସ୍ଥା ସମ୍ପର୍କରେ ଆଲୋଚନା ପାଇଁ ଦାବି କରିଥିଲେ। କିନ୍ତୁ ବାଚସ୍ପତି ସେମାନଙ୍କୁ ବସିବା ପାଇଁ କହି ପ୍ରଶ୍ନକାଳ ଆରମ୍ଭ କରିଥିଲେ। ବିଧାୟକ ବ୍ୟୋମକେଶ ରାୟଙ୍କ ଏକ ପ୍ରଶ୍ନର ଉତ୍ତର ଦେବାକୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଡାକିଥିଲେ ବାଚସ୍ପତି। ସେହି ସମୟରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ମିଶାଇ ମାତ୍ର ୪ ଜଣ ସଭ୍ୟ ଉପସ୍ଥିତ ଥିଲେ। ସନ୍ତୋଷ ସିଂହ ସାଲୁଜା, ସୁରେଶ ରାଉତରାୟ ଓ ସି ଏସ୍ ରାଜନ ଏକ୍କା ନିଜ ନିଜ ଆସନରେ ଠିଆ ହୋଇ ଧାନ ପ୍ରସଙ୍ଗରେ ‌ଆଲୋଚନା ପାଇଁ ପାଟି କରିଥିଲେ। କିନ୍ତୁ ବାଚସ୍ପତି ପ୍ରଶ୍ନ କାଳ ଜାରି ରଖିବାରୁ ସେମାନେ ଉତ୍‌କ୍ଷିପ୍ତ ହୋଇପଡ଼ିଲେ। ତିନି ଜଣ କଂଗ୍ରେସ ସଭ୍ୟ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ। ସେମାନେ ଗୃହ ମଧ୍ୟ ଭାଗରେ ପାଟି କରୁଥିଲା ବେଳେ ତାରା ପ୍ରସାଦ ବାହିନୀପତି ଗୃହକୁ ପ୍ରବେଶ କରିଥିଲେ। ସେ ସିଧା ମଧ୍ୟ ଭାଗକୁ ଆସି ସେମାନଙ୍କ ସହ ସାମିଲ୍‌ ହୋଇ ନାରାବାଜି ଆରମ୍ଭ କରିଦେଇଥିଲେ। ଦୁଇଟି ଚେୟାର ଉପରେ ଶ୍ରୀ ବାହିନୀପତି ଓ ଶ୍ରୀ ସାଲୁଜା ଠିଆ ହୋଇ ବାଚସ୍ପତିଙ୍କ ଟେବୁଲ୍‌ ବାଡ଼େଇଥିଲେ। ପରେ ପରେ କଂଗ୍ରେସର ଆଉ ଦୁଇ ସଭ୍ୟ ଅଧିରାଜ ମୋହନ ପାଣିଗ୍ରାହୀ ଓ ଦାଶରଥୀ ଗମାଙ୍ଗୋ ପହଞ୍ଚିଥିଲେ। କଂଗ୍ରେସ ସଭ୍ୟମାନଙ୍କ ହୋହଲ୍ଲାରେ ଆଉ ଗୃହ ଚଳାଇବା ସମ୍ଭବ ହୋଇ ନ ଥିଲା। ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖିଲେ।

ଅପରାହ୍ନରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବୈଧାନିକ ପ୍ରଶ୍ନ ଉତ୍ଥାପନ ଛଳରେ ଏହି ପ୍ରସଙ୍ଗ ଉଠାଇ କହିଥିଲେ, ଖରିଫ ଧାନ ସଂଗ୍ରହ ନେଇ ପଶ୍ଚିମ ଓଡ଼ିଶାରେ ଗତ ୧୫ ତାରିଖରୁ ଧାନ ମଣ୍ଡି ଖୋଲାଯାଇଛି। କିନ୍ତୁ ଚାଷୀଙ୍କ ଠାରୁ ଧାନ କିଣାଯାଇନି। ହଜାର ହଜାର କ୍ବିଣ୍ଟାଲ ଧାନ ଧରି ଚାଷୀମାନେ ଶୀତ କାକରରେ ମଣ୍ଡିରେ ପଡ଼ିରହିଛନ୍ତି। ଚଳିତ ବର୍ଷ ନୂଆ କରି ଭୁବନେଶ୍ବରରୁ ପ୍ରଦାନ କରାଯାଉଥିବା ଟୋକନ୍ ବ୍ୟବସ୍ଥା ଧାନ କିଣାକୁ ବାଟବଣା କରିଛି। ବଲାଙ୍ଗୀର ଜିଲ୍ଲାର ଉଦାହରଣ ଦେଇ ଶ୍ରୀ ମିଶ୍ର କହିଥିଲେ ଯେ ଗତ ଅକ୍ଟୋବର ଶେଷ ସପ୍ତାହରୁ ଜିଲ୍ଲାର ଚାଷୀମାନେ ଧାନ ଅମଳ କରିସାରିଛନ୍ତି। ବିଶେଷକରି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଖରେ ଧାନ ଗଚ୍ଛିତ କରି ରଖିବା ପାଇଁ ଘର ନାହିଁ। ସେମାନେ ଯଥାଶୀଘ୍ର ଧାନ ବିକିଲେ ଆବଶ୍ୟକ ଖର୍ଚ୍ଚ ତୁଲାଇବେ ବୋଲି ଅପେକ୍ଷା କରିଛନ୍ତି। କିନ୍ତୁ ସରକାର ଏ ବର୍ଷ ଏଭଳି ବ୍ୟବସ୍ଥା କରିଛନ୍ତି ଚାଷୀ ଧାନ ବିକ୍ରି କରିପାରୁନାହାନ୍ତି। କାକରରେ ପଡ଼ି ରହିଥିବା ଧାନକୁ ବାଧ୍ୟ ହୋଇ ଚାଷୀମାନେ ମିଲ ମାଲିକ, ଦଲାଲ ଓ ଏପରିକି ଛତିଶଗଡ଼ ବେପାରୀଙ୍କୁ ଦେଉଛନ୍ତି। ଫଳରେ ସମଗ୍ର ପଶ୍ଚିମ ଓଡ଼ିଶାରେ ଚାଷୀମାନେ ଏକଜୁଟ ହୋଇ ଆନ୍ଦୋଳନକୁ ଓହ୍ଲାଇଲେଣି। ଯେ କୌଣସି ମୁହୂର୍ତ୍ତରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇପାରେ। ଏଥିପାଇଁ ସରକାର ଦାୟୀ ରହିବେ।

ଶ୍ରୀ ମିଶ୍ର ଆହୁରି କହିଥିଲେ ଯେ ବର୍ତ୍ତମାନ ଚାଷୀ କ୍ବିଣ୍ଟାଲ ଧାନ ଉତ୍ପାଦନ କରିବା ପାଇଁ ଯେତିକି ଖର୍ଚ୍ଚ କରୁଛି ଧାର୍ଯ୍ୟ ହୋଇଥିବା ଏମ୍‌ଏସ୍‌ପି ତାକୁ ଭରଣା କରିପାରୁନି। ଅତୀତରେ ଏହି ଗୃହରେ ଧାନର ଏମ୍‌ଏସ୍‌ପି ୨୯୩୦ ଟଙ୍କା କରିବାକୁ ସଂକଳ୍ପ ପାରିତ ହୋଇଥିଲା। କିନ୍ତୁ ଗୃହ କମିଟିକୁ ପ୍ରଧାନମନ୍ତ୍ରୀ ଭେଟିବାକୁ ସମୟ ନ ଦେବା କଥା ସମସ୍ତେ ଜାଣନ୍ତି। ନିଜେ ରାଜ୍ୟ ସରକାର ସେତେବେଳେ ଏହି ଗୃହରେ କ୍ବିଣ୍ଟାଲ ପିଛା ଉତ୍ପାଦନ ଖର୍ଚ୍ଚ ୨୩୪୪ ଟଙ୍କା ହେଉଥିବା ନେଇ ତଥ୍ୟ ରଖିଥିଲେ। ପରେ ୨୪୦୦ ଟଙ୍କା ବୋଲି ମଧ୍ୟ ହିସାବ ଦେଇଥିଲେ। ଏବେ ଭାରତ ସରକାର ଧାର୍ଯ୍ୟ କରିଥିବା ଏମଏସପି ୧୮୧୫ ଟଙ୍କା ମିଳିଲେ ବି କ୍ବିଣ୍ଟାଲ ପିଛା ଚାଷୀଟିଏ ୫୮୫ ଟଙ୍କା କ୍ଷତି ସହୁଛି। ଧାନ ଚାଷୀଙ୍କୁ ନ୍ୟାୟ ଦେବା ପାଇଁ ବରଗଡ଼ ସଭାରେ ନିଜେ ମୁଖ୍ୟମନ୍ତ୍ରୀ ବୋନସ ପ୍ରଦାନ ପାଇଁ ଘୋଷଣା ବି କରିଥିଲେ। ତାହା ବି କାର୍ଯ୍ୟକାରୀ ହେଲାନି।

ବିଜେଡିର ବରିଷ୍ଠ ସଭ୍ୟ ପ୍ରଫୁଲ୍ଲ ସାମଲ କହିଥିଲେ ଯେ ଧାନ ସଂଗ୍ରହରେ ସ୍ବଚ୍ଛତା ପାଇଁ ସରକାର ଭଲ ବ୍ୟବସ୍ଥା କରିଛନ୍ତି। କିନ୍ତୁ ସରକାରୀ ନିଷ୍ପତ୍ତି ଓ କାର୍ଯ୍ୟକାରିତା ଭିତରେ ଅନ୍ତର ରହିଥିବା ଦେଖିବାକୁ ମିଳୁଛି। ରାଜ୍ୟସ୍ତରୀୟ ଟୋକନ୍ ବ୍ୟବସ୍ଥା ଭଲ ହୋଇଥିଲେ ବି ଏହା ଯେପରି ଚାଷୀଙ୍କ ପାଖରେ ପହଞ୍ଚିବ ସେଥିପାଇଁ ବିଭାଗ ଯତ୍ନବାନ୍ ହେବା ଦରକାର। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ ଯେ ଟୋକନ୍ ବ୍ୟବସ୍ଥା ନେଇ ଚାଷୀମାନଙ୍କ ଭିତରେ ଘୋର ଅସନ୍ତୋଷ ସୃଷ୍ଟି ହୋଇଛି। ସେମାନେ ଏବେ ରାଜରାସ୍ତାକୁ ଓହ୍ଲାଇଲେଣି। ଚଳିତବର୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ଧାନ କିଣା କାର୍ଯ୍ୟରେ ନିୟୋଜିତ କରାଯାଇଥିଲେ ବି ଚାଷୀର ଧାନ କିଣାଯାଉନି। ଶ୍ରୀ ବାହିନୀପତି ଅଭିଯୋଗ କରିଥିଲେ ଯେ ଏ ସରକାର ଧାନ କିଣା ଋତୁରେ ନିର୍ବାଚନ ପାଣ୍ଠି ସଂଗ୍ରହ କରିଥାଏ। କୌଣସି ବି ମଣ୍ଡିରେ ଧାନର ଏଫଏକ୍ୟୁ ମାନ ନିର୍ଦ୍ଧାରଣ ପାଇଁ ମେସିନ ନାହିଁ। ଧାନକୁ ହାତରେ ଦେଖିଦେଇ ଚାଷୀଙ୍କଠାରୁ କଟନି ଛଟନି କରାଯାଉଛି। ବର୍ତ୍ତମାନ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବା ଦରକାର। ଏହି ସମାନ ପ୍ରସଙ୍ଗରେ ଗୃହରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଥଲେ ଯେ ଧାନର ଏମ୍‌ଏସ୍‌ପି କେନ୍ଦ୍ର ସରକାର ଧାର୍ଯ୍ୟ କରିଥିଲେ ବି ପଡ଼ୋଶୀ ଛତିଶଗଡ଼ ରାଜ୍ୟରେ ଥିବା କଂଗ୍ରେସ ସରକାର ଚାଷୀଙ୍କୁ ୨୫୦୦ ଟଙ୍କା ପ୍ରଦାନ କରୁଛି। ଓଡ଼ିଶା ସରକାର ଚାହିଁଲେ ଚାଷୀର ଉତ୍ପାଦନ ଖର୍ଚ୍ଚ ଭରଣା କରିବା ନେଇ ପଦକ୍ଷେପ ନେଇପାରନ୍ତେ। ଗୃହରେ ଉପସ୍ଥିତ ନଥିବା ବିଜେପି ସଦସ୍ୟମାନଙ୍କ ଉଦ୍ଦେଶ୍ୟରେ ଶ୍ରୀ ସାଲୁଜା କହିଥିଲେ ଯେ ଏମ୍‌ଏସ୍‌ପି ୨୯୩୦ ଟଙ୍କା କରିବାକୁ ବିଜେପିର ବନ୍ଧୁମାନେ ଦିଲ୍ଲୀରେ ଚାପ ପକାଇବା ଦରକାର। ଫଳରେ ଓଡ଼ିଶାର ଚାଷୀମାନେ ଉପକୃତ ହୋଇପାରନ୍ତେ। ଅନ୍ୟମାନଙ୍କ ମଧ୍ୟରେ ଏହି ପ୍ରସଙ୍ଗରେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ, କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ପ୍ରମୁଖ ସ୍ବର ଉଠାଇଥିଲେ।

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ରୁଲିଂ ଦେଇ କହିଥିଲେ ଯେ ସରକାର ଚାହିଁଲେ ଏହି ପ୍ରସଙ୍ଗରେ ଗୃହରେ ବିବୃତି ରଖିପାରିବେ।

ସମ୍ବନ୍ଧିତ ଖବର