ଘଟଗାଁ : ସରକାର ଚାଷୀ ମାରଣ ଓ ମିଲର ପୋଷଣ ନୀତି ଯୋଗୁଁ ଚାଷୀ ହତାଶ ହୋଇପଡ଼ିଛି। ସେପଟେ ନକଲି ଚାଷୀ ବେଶ୍ ମୁନାଫା କମାଉଛି। ମିଲର ମାଲାମାଲ ହେଉଛି। ସରକାର ପ୍ରଥମେ ୨୦ ପ୍ରତିଶତ କମ୍ କିଣିବାକୁ କହିଥିବା ବେଳେ ପରେ ୪୦ ପ୍ରତିଶତ ଏବେ ୬୦ ପ୍ରତିଶତ ଧାନ କମ୍ କିଣିବାକୁ କହିଛନ୍ତି। ଫଳରେ ଚାଷୀ ତାର ଧାନ ବିକି ପାରୁ ନାହିଁ। ସେପଟେ କିଛି ଦଲାଲ ଶାଗମାଛ ଦରରେ ଧାନ କିଣି ନକଲି ଚାଷୀଙ୍କ ଜରିଆରେ ମିଲରେ ବିକି ବେଶ୍ ମୁନାଫା କମାଉଛନ୍ତି। ଏହାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ଚାଷୀଙ୍କ ଅଭିଯୋଗ ହେଲା, ଘଟଗାଁରେ ଟୋକନ ବ୍ୟବସ୍ଥା ଏକ ପ୍ରହସନ ଓ ପ୍ରତାରଣା ପୂର୍ଣ୍ଣ। ଚାଷୀଙ୍କ ଦୁଃଖ ବୁଝିବାକୁ ବ୍ଲକଠାରୁ ଜିଲ୍ଲା ପ୍ରଶାସନ ଯାଏ ସମସ୍ତେ ନିରବ। ଚାଷୀ ଧାନ ମଣ୍ତିକୁ ଆଣି ବିକ୍ରି କରି ନ ପାରି ଆଜି ଘରକୁ ଫେରାଇ ନେବାକୁ ବାଧ୍ୟ ହେଉଛି। ସେପଟେ ବେପାରୀ ୧୨୦୦ ଟଙ୍କାରେ ଚାଷୀଠାରୁ କିଣି ଦଲାଲଙ୍କୁ ଧରି ଚାଷୀଙ୍କୁ ମୋହରା କରି ତା ମାଧ୍ୟମରେ ସିଧାସଳଖ ମିଲର ପାଖରେ ପହଞ୍ଚାଇ ଦଲାଲ ମାଲେମାଲ ହେଉଛି। କୁଇଣ୍ଟାଲ ପିଛା ୭୦୦ ଟଙ୍କା ପାଉଛି। ଏହି ଟଙ୍କାରେ ନକଲି ଚାଷୀଙ୍କ ଠାରୁ ଆରମ୍ଭକରି ମୁଷ୍ଟିମେୟ କର୍ମଚାରୀ ବେଶ ମୁନାଫା କମାଉଛନ୍ତି। ଚାଷୀ ସବୁଜାଣି ମୁଣ୍ତପାତି ସହିଯିବାକୁ ବାଧ୍ୟ ହେଲାଣି।
ଖବର ଅନୁଯାୟୀ ପ୍ରଥମେ ଧାନ କିଣା ଆରମ୍ଭ ଦିନ ଠାରୁ ଲ୍ୟାମ୍ପସ୍ ମନମାନିରେ ଧାନ କିଣିଲା। ପ୍ରଥମେ ଟୋକନର ଧାର୍ଯ୍ୟଥିବା ଧାନଠାରୁ ୨୦% କମ୍ ନେଲେ। ଯାହାକି କୌଣସି ଲିଖିତ ଆଦେଶନାମା ନ ଥିଲା। ଏହାକୁ ଖୋଦ ସହାୟକ ନିବନ୍ଧକ ତଥା ଏଆରସିଏସ ଅଜୟ କୁମାର ସେଠୀଙ୍କ ସ୍ବୀକାର କରିଥିଲେ। ଏହାପରେ ୨୦% ବଦଳରେ ୪୦%କମ୍ ଧାନ କିଣାହେଲା ଆଜି ଏହା ସବୁଠାରୁ ବଳିଗଲା ୬୦% କମ ଧାନ କିଣାହେଲା। ଫଳରେ ଚାଷୀମାନେ ମଣ୍ତିକୁ ଧାନ ଆଣି ନାମକୁ ମାତ୍ର ୨୦/୨୫ କୁଇଣ୍ଟାଲ ଧାନଦେଇ ଅବଶିଷ୍ଟ ଧାନ ଫେରାଇନେବାକୁ ବାଧ୍ୟ ହୋଇଥିଲେ। ସଦାଶିବ ସାହୁ, ବିଜୟ କୁମାର ସାହୁ, ମନୋଜ କୁମାର ନାଏକ, ଜଗନ କୁମାର ମହାନ୍ତ, ରାହାସ ବିହାରୀ ନାଏକ, ରାଜେନ୍ଦ୍ର ମହାନ୍ତ, ସୁବାସ ସାହୁ, ଦୟାସାଗର ମହାନ୍ତ, ବିଭୂତି ଭୂଷଣ ରାଉତ ପ୍ରମୁଖ ସେମାନଙ୍କ ଧାନ ଆଜି ଫେରାଇ ନେଇଛନ୍ତି। ସେମାନଙ୍କ ଠାରୁ ଅଳ୍ପ କେଇ କୁଇଟାଂଲ ଧାନକିଣିଥିବା ଜଣାଯାଇଛି।
ଏ ସମ୍ପର୍କ ଲ୍ୟାମ୍ପସ ଦାୟିତ୍ବରେ ଥିବା ବିଜୟ କୁମାର ପଲେଇଙ୍କୁ ପଚାରିବାରୁ ସେ କହିଥିଲେ ଯେ ମାସ୍କୁ ମାତ୍ର ୭୦୦ କୁଇଣ୍ଟାଲ ନେଇଛନ୍ତି। ୪୬ ଜଣଙ୍କ ଟୋକନ ଦିଆଯାଇଛି। ୧୮୦୦ କୁଇଣ୍ଟାଲ ମାସ୍ ମିଳିବା କଥା। ମାତ୍ର ୭୦୦ ଆସିବାରୁ ବାଧ୍ୟ ହୋଇ କାଟିକାଟି ଦିଆଯାଉଛି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/77fe2d64-0514-431b-8266-3afde77a73bc.jpg)