ଡିସେମ୍ବରରୁ ୧୦ ଜିଲ୍ଲାରେ ଧାନକିଣା

ନିର୍ଧାରିତ ମାନର ଚାଉଳ ପାଇଁ ମିଲ୍‌ ମାଲିକଙ୍କୁ ଚେତାବନୀ, ଅଧିକ ଭାଗଚାଷୀ, ନାମମାତ୍ର ଚାଷୀଙ୍କୁ ସାମିଲ କର: ମନ୍ତ୍ରୀ

ଭୁବନେଶ୍ବର : ଆସନ୍ତା ଡିସେମ୍ବର ମାସ ପ୍ରଥମ ସପ୍ତାହରୁ କେନ୍ଦ୍ରାଞ୍ଚଳ ରାଜସ୍ବ ଅଞ୍ଚଳ ଅନ୍ତର୍ଗତ ୧୦ଟି ଜିଲ୍ଲା ପାଇଁ ଖରିଫ ଧାନ ସଂଗ୍ରହ କରାଯିବ। କିଛି ଜିଲ୍ଲାରେ ଡିସେମ୍ବର ପ୍ରଥମ ସପ୍ତାହରେ ଏବଂ ଅନ୍ୟ କିଛି ଜିଲ୍ଲାରେ ମାସର ଦ୍ବିତୀୟାର୍ଧ ବେଳକୁ ଧାନ କିଣିବେ ସରକାର। ଅବଶ୍ୟ ପ୍ରତ୍ୟେକ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ନିର୍ଦିଷ୍ଟ ତାରିଖ ‌େଘାଷଣା କରିବେ। ଏ ‌େନଇ ଆଜି ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସମବାୟ ବ୍ୟାଙ୍କ ସମ୍ମିଳନୀ କକ୍ଷରେ ଧାନ ସଂଗ୍ରହ ପାଇଁ ପ୍ରାକ୍‌ ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଛି। ବୈଠକରେ ନିର୍ଧାରିତ ମାନର ଚାଉଳ ପ୍ରଦାନ କରିବାକୁ ମିଲ୍‌ ମାଲିକ ଏବଂ ଧାନ ସଂଗ୍ରହ ପ୍ରକ୍ରିୟାରେ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି।

ବୈଠକରେ କେନ୍ଦ୍ରାଞ୍ଚଳ କଟକ, ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, ଜଗତ୍‌ସିଂହପୁର, ଯାଜପୁର, ନୟାଗଡ଼, ପୁରୀ, ଖୋର୍ଧା, କେନ୍ଦ୍ରାପଡ଼ା ଜିଲ୍ଲାଗୁଡ଼ିକରୁ ଧାନକିଣା ପାଇଁ ସମସ୍ତ ପ୍ରସ୍ତୁତି କରିବା ସଂପର୍କରେ ଆଲୋଚନା ହୋଇଥିଲା। ପଶ୍ଚିମାଞ୍ଚଳ ଜିଲ୍ଲାଗୁଡ଼ିକ ଭଳି ଏଥର ଚାଷୀଙ୍କଠାରୁ ଧାନ କିଣିବାର ୨୪ରୁ ୭୨ ଘଣ୍ଟା ମଧ୍ୟରେ ସଂପୃକ୍ତ ଚାଷୀଙ୍କୁ ଧାନକିଣା ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ବୈଠକରେ କୁହାଯାଇଥିଲା। ଏଥିପାଇଁ ସଂପୃକ୍ତ ଅଧିକାରୀ ଧାନକିଣା ଦିନ ହିଁ ସେ ସଂପର୍କିତ ତଥ୍ୟ ଅପ୍‌ଲୋଡ୍‌ କରିବାକୁ ନିର୍ଦେଶ ଦିଆଯାଇଛି।

ବୈଠକର ନିଷ୍ପତ୍ତି ଅନୁଯାୟୀ ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ଅଧିକ ସଂଖ୍ୟକ ଭାଗଚାଷୀ, ନାମମାତ୍ର ଚାଷୀଙ୍କୁ ସାମିଲ କରାଯିବ। ଯେଉଁମାନଙ୍କର ଭୂଲେଖରେ ଜମିଜମା ରେକର୍ଡ ନାହିଁ ସଂପୃକ୍ତ ରାଜସ୍ବ ଅଧିକାରୀ ସେମାନଙ୍କର ଜମିଜମାର ବିବରଣୀ ଯୋଗାଇଦେବାକୁ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଏହାକୁ ନେଇ ନିର୍ଭୁଲ ଚାଷୀ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି। କେନ୍ଦ୍ରାଞ୍ଚଳ ଜିଲ୍ଲାଗୁଡ଼ିକରୁ ଧାନ ସଂଗ୍ରହ କରି ନିର୍ଧାରିତ ମାନର ଚାଉଳ ଦେବାକୁ ମିଲ୍‌ ମାଲିକମାନଙ୍କୁ ମନ୍ତ୍ରୀ ଶ୍ରୀ ପାତ୍ର ନିର୍ଦେଶ ଦେଇଛନ୍ତିି। ଏ କ୍ଷେତ୍ରରେ କୌଣସି ବ୍ୟତିକ୍ରମକୁ ପ୍ରଶୟ ଦିଆଯିବ ନାହିଁ। ଖରିଫ ଧାନ ସଂଗ୍ରହ ନିମନ୍ତେ ମଣ୍ଡି ଖୋଲିବା ସହିତ ଅନ୍ୟାନ୍ୟ ପ୍ରସ୍ତୁତି କରିବାକୁ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି। ବୈଠକରେ ବିଭାଗୀୟ ସଚିବ ବୀର ବିକ୍ରମ ଯାଦବ, ସମବାୟ ସଚିବ ରଞ୍ଜନା ଚୋପ୍‌ଡ଼ା, ୮ଟି ଜିଲ୍ଲାର ଜିଲ୍ଲାପାଳ ଓ ଅନ୍ୟ ୨ଟି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ, ବିଭାଗୀୟ ବରିଷ୍ଠ ଅଧିକାରୀ ଓ ମୁଖ୍ୟ ଯୋଗାଣ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର